ଦେବଗଡ,୨୬।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । ଅନେକ ଲୋକଙ୍କ ଘର ଦ୍ୱାର ଭାଙ୍ଗି ବାସହରା ହୋଇ ପଡିଛନ୍ତି । ଟିଣ ଆଜବେଷ୍ଟ ଉଡିଯାଇ ଜଣେ ଯୁବକଙ୍କ ହାତ କଟି ଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି ।
କର୍ଡାପାଲ ହକି ଟ୍ରେନିଂ ସେଂଟରରେ ଶ୍ରମିକ କାମ କରୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଦେଖାଯାଇଛି । ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିଥିବା ବେଳେ ରାସ୍ତା ଅବରୋଧ ହୋଇଛି । ଲୋକଙ୍କ ଘର ଉପରେ ଗଛ ମାଡି ବସିବାରୁ ଘର ଦ୍ୱାର ଭାଙ୍ଗି ଯାଇଛି । ତିଲେଇବଣି ଏବଂ ବାରକୋଟ ବ୍ଲକର ବିଭିନ୍ନ ଅଂଚଳରେ କାଳବୈଶାଖୀ ଜନିତ କ୍ଷୟକ୍ଷତି ହୋଇଛି । ପ୍ରବଳ ବେଗରେ ହଠାତ ପବନ ଆସିବାରୁ ଅନେକ ଲୋକଙ୍କ ଘରର ଆଜବେଷ୍ଟ ଛାତ ସମ୍ପୁର୍ଣ୍ଣ ଉଡିଯାଇଥିବା ବେଳେ ରାତିରେ କେଉଁଠି ବାସ କରିବେ ଚିନ୍ତାରେ ପଡି ଯାଇଛନ୍ତି । ଚାଳ ଛପର ଘର ଭାଙ୍ଗିବା ସହିତ ଆସବାବ ପତ୍ର ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।
Dharitri - Odisha's No.1 Odia Daily

