Dailyhunt
ଡିଜିଟାଲ ଇଣ୍ଡିଆ ନାରା ପ୍ରହସନ: ନେଟୱର୍କ ପାଇଁ ଗଛ ଉପରେ ମଞ୍ଚା, ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି କୋମଳମତି ଶିଶୁ

ଡିଜିଟାଲ ଇଣ୍ଡିଆ ନାରା ପ୍ରହସନ: ନେଟୱର୍କ ପାଇଁ ଗଛ ଉପରେ ମଞ୍ଚା, ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି କୋମଳମତି ଶିଶୁ

ଥୁଆମୂଳ ରାମପୁର,୫।୫ (ଦୁର୍ଗା କୀର୍ତ୍ତି): ସମଗ୍ର ଦେଶରେ ଡିଜିଟାଲ ବିପ୍ଳବ ଓ ୫-ଜି ସେବାର ଜୟଗାନ କରାଯାଉଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରୁ ଆସିଛି ଏକ ଦୁଃଖଦ ତଥା ଚିନ୍ତାଜନକ ଚିତ୍ର। ବ୍ଲକ ମୁଖ୍ୟାଳୟଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଅବସ୍ଥିତ ତଳନାଗି ପଞ୍ଚାୟତର ମୁର୍କା ଓ ତଳନାଗି ଗ୍ରାମରେ 'ଡିଜିଟାଲ ଇଣ୍ଡିଆ'ର ନାରା କେବଳ ଏକ ସ୍ଲୋଗାନରେ ସୀମିତ ରହିଯାଇଛି।

ଏଠାରେ ମୋବାଇଲ ନେଟୱର୍କ ପାଇବା ସାତସପନ ପାଲଟିଥିବା ବେଳେ ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ନେଟୱର୍କ ପାଇଁ ଗଛ ଉପରେ ମଞ୍ଚା କରି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଏହି ଅଞ୍ଚଳରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବସବାସ କରୁଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ମୋବାଇଲ ସେବା ଉପଲବ୍ଧ ହୋଇନାହିଁ। ବିଶେଷ କରି କୋମଳମତି ଶିଶୁମାନେ ପାଠ ପଢିବା ପାଇଁ ବିପଦସଙ୍କୁଳ ଅବସ୍ଥାରେ ପାହାଡ଼ କିମ୍ବା ଗଛ ଉପରେ ଚଢ଼ି ମଞ୍ଚା ବାନ୍ଧୁଛନ୍ତି। ଖରା ଦିନେ ଯେନତେନ ପ୍ରକାରେ ପାଠପଢ଼ା ଚାଲୁଥିବା ବେଳେ ବର୍ଷା ଓ ଶୀତ ଦିନେ ଏହା ଅତି କଷ୍ଟକର ହୋଇପଡୁଛି। ଗ୍ରାମବାସୀମାନେ ମଧ୍ୟ କୌଣସି ଜରୁରୀ ସୂଚନା ଦେବା ପାଇଁ ବା କଥା ହେବା ପାଇଁ ଗଛରେ ମୋବାଇଲ ଝୁଲାଇ ନେଟୱର୍କକୁ ଚାହିଁ ରହୁଛନ୍ତି।

ନେଟୱର୍କ ଅଭାବରୁ ଗ୍ରାମବାସୀମାନେ ୧୦୮ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ କିମ୍ବା ପୋଲିସ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ଜରୁରୀକାଳୀନ ଚିକିତ୍ସା ସମୟରେ ଯୋଗାଯୋଗ ହୋଇପାରୁ ନଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ଗ୍ରାମବାସୀ ଦିନମଜୁରିଆ ହୋଇଥିବାରୁ ସେମାନେ ନିଜର ଅସୁବିଧା ବିଷୟରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଅସମର୍ଥ ହେଉଛନ୍ତି। ଆଧୁନିକ ଯୁଗରେ ମୋବାଇଲ ସେବା ଏକ ମୌଳିକ ଆବଶ୍ୟକତା ପାଲଟିଥିବା ବେଳେ ମୁର୍କା ଓ ତଳନାଗି ଗ୍ରାମବାସୀ ଏଥିରୁ ବଞ୍ଚିତ ହେବା ସରକାରଙ୍କ ବିକାଶମୂଳକ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଙ୍ଗଲ ଓ ପାହାଡ଼ ଘେରା ଏହି ଦୁର୍ଗମ ଅଞ୍ଚଳରେ ତୁରନ୍ତ ମୋବାଇଲ ଟାୱାର ସ୍ଥାପନ କରି ସେବା ଯୋଗାଇ ଦେବାକୁ ଅଞ୍ଚଳବାସୀ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ବିନିତ ଅନୁରୋଧ କରିଛନ୍ତି।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri