Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ: କୋରାପୁଟ ଜିଲାରୁ ବାଦ୍‌ ପଡ଼ିଲେ...

ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ: କୋରାପୁଟ ଜିଲାରୁ ବାଦ୍‌ ପଡ଼ିଲେ...

କୋରାପୁଟ,୫ା୭(ଅମିତାଭ ବେହେରା): ରବିବାର କୋରାପୁଟସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତା ଆୟୋଜିତ ବୈଠକରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇଥିବାବେଳେ ଏଥିରୁ ୬୨ ହଜାର ୨୯୦ ଜଣ ଭୋଟର ବାଦ ପଡ଼ିଛନ୍ତି। ୬୨ ହଜାର ୨୯୦ ଜଣ ୟୁଇଏଫ ଚିହ୍ନଟ ହୋଇଥିବାବେଳେ ଏହା ମୋଟ୍‌ ଭୋଟରଙ୍କ ୬.୪୫ ପ୍ରତିଶତ।

ଏଥିମଧ୍ୟରୁ ୩୦,୦୪୮ ଜଣ ମୃତ, ୨୩,୨୩୬ ଜଣ ସ୍ଥାୟୀ ଭାବେ ସ୍ଥାନାନ୍ତରିତ, ୪,୯୪୪ ଜଣ ପୂର୍ବରୁ ନାମଭୁକ୍ତ, ୩,୮୪୫ ଜଣ ଅନୁପସ୍ଥିତ ଏବଂ ୨୧୭ ଜଣ ଅନ୍ୟାନ୍ୟ ଶ୍ରେଣୀରେ ରହିଛନ୍ତି। ବିଧାନସଭା କ୍ଷେତ୍ର ଭିତ୍ତିକ ତଥ୍ୟ ଅନୁଯାୟୀ, ଲକ୍ଷ୍ମୀପୁରରେ ଡିଜିଟାଇଜେଶନ ହାର ସର୍ବାଧିକ ୯୪.୨୫% ଥିବାବେଳେ କୋରାପୁଟରେ ୟୁଇଏଫ୍‌ ହାର ସର୍ବାଧିକ ୭.୭୦% ରହିଛି। ଏହି ତାଲିକା ପ୍ରକାଶ ପାଇବା ପୂର୍ବରୁ ସ୍ଥାନୀୟ ରାଜନୈତିକ ଦଳମାନଙ୍କ ସହ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ସ୍ବତନ୍ତ୍ର ସଂକ୍ଷିପ୍ତ ପୁନରୀକ୍ଷଣ (ଏସଆଇଆର -୨୦୨୬) କାର୍ଯ୍ୟକ୍ରମର ସମୟସୂଚୀ ଓ ଜିଲାର ଭୋଟର ତାଲିକା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରାଯାଇଥିଲା। ରବିବାର ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇଥିବାବେଳେ ୫ ଜୁଲାଇରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ସେହିପରି ୨ ସେପ୍ଟେମ୍ବର ସୁଦ୍ଧା ଦାବି ଓ ଆପତ୍ତିର ସମାଧାନ କରାଯାଇ ୬ ସେପ୍ଟେମ୍ବରରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଜିଲାରେ ବର୍ତ୍ତମାନ ନୂଆ ୨୧୧ଟି ବୁଥ୍‌ ସୃଷ୍ଟି କରାଯାଇଛି। ଫଳରେ ମୋଟ୍‌ ବୁଥ୍‌ ସଂଖ୍ୟା ୧୩୭୬କୁ ବୃଦ୍ଧି ପାଇଛି। ସେହିପରି ଜିଲାରେ ମୋଟ୍‌ ୯,୬୬,୪୨୪ ଜଣ ଭୋଟର ଥିବାବେଳେ ୯,୦୪,୧୩୪ ଜଣଙ୍କ ତଥ୍ୟ ଡିଜିଟାଇଜ ହୋଇଛି, ଯାହା ୯୩.୫୫ ପ୍ରତିଶତ। ବୈଠକରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଭୋଟର ତାଲିକାରେ ତ୍ରୁଟି ସଂଶୋଧନ, ନୂତନ ଭୋଟରଙ୍କ ନାମ ସାମିଲ ଓ ଦାବି-ଆପତ୍ତି ଦାଖଲ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଯାଇଥିଲା। ଏହି ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ସମେତ କଂଗ୍ରେସ, ବିଜେଡି ଆଦି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri