Dailyhunt
ଏହି ଜିଲାରୁ ପୁରାତନ ମଧ୍ୟପ୍ରସ୍ତର ଯୁଗୀୟ ମାନବ ସଭ୍ୟତା ଠାବ

ଏହି ଜିଲାରୁ ପୁରାତନ ମଧ୍ୟପ୍ରସ୍ତର ଯୁଗୀୟ ମାନବ ସଭ୍ୟତା ଠାବ

ସୁନ୍ଦରଗଡ, ୭ା୪(ଜୟ ନାରାୟଣ ମେଣ୍ଡୁଳି):ଓଡ଼ିଶାର ଦେବଗଡ଼ ଜିଲାରୁ ପ୍ରଥମ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ ମାନବ ସଭ୍ୟତାର (ପାଲେଓଲିଥିକ) ସନ୍ଧାନ ମିଳିଛି। ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଇତିହାସ ବିଭାଗ ଏବଂ ପୁରୀ ପ୍ରତ୍ନତତ୍ତ୍ୱ ସର୍ଭେ ସର୍କଲର ମିଳିତ ଟିମ୍‌ ଏହି ବିରଳ ପ୍ରଥମ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ ସଭ୍ୟତାର ସନ୍ଧାନ କରିଛନ୍ତି।

ପୁରୀ ପ୍ରତ୍ନତତ୍ତ୍ବ ସର୍ଭେ ସର୍କଲର ଅଧୀକ୍ଷକ ଡ. ଦିବିଶାଦ ବ୍ରଜସୁନ୍ଦର ଗଡନାୟକ ଏବଂ ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଇତିହାସ ବିଭାଗର ଗବେଷକ ସହକାରୀ ପ୍ରଫେସର ଡ. ସାକିର ହୁସେନ, ସହକାରୀ ପ୍ରଫେସର ଡ. ଜୟଶଙ୍କର ନାଏକଙ୍କ ପ୍ରତିନିଧିତ୍ୱରେ ଏହି ଟିମ୍‌ ଦେବଗଡ଼ ଜିଲା ଅନ୍ତର୍ଗତ ରିଆମାଳ ତହସିଲ ମୁଖ୍ୟାଳୟର ଓଏସଆରଟିସି ବସ ଷ୍ଟାଣ୍ଡ ନିକଟସ୍ଥ ଏକ ଛୋଟ ପାହାଡ଼ ପାଦଦେଶରୁ ଏହି ପୁରାତନ ମଧ୍ୟ ପ୍ରସ୍ତର (ପାଲେଓଲିଥିକ) ଯୁଗର ପଥର ଉପକରଣ ଏବଂ କଳାକୃତି ଦସ୍ତାବିଜ ସନ୍ଧାନ କରିଛନ୍ତି। ରିଆମାଳ ନିକଟରେ ବାଇପାସ ରାସ୍ତା ନିର୍ମାଣ ପାଇଁ ପାହାଡ଼ରୁ ଲାଟେରାଇଟ ମାଟି ଅପସାରଣ ଯୋଗୁ ଉପକରଣଗୁଡ଼ିକ ଷ୍ଟ୍ରାଟିଗ୍ରାଫିରେ ପ୍ରକାଶିତ ହୋଇଥିଲା ଏବଂ ପୃଷ୍ଠରେ ବିଛାଡ଼ି ଦିଆଯାଇଥିଲା। ସଂଗୃହୀତ ସାମଗ୍ରୀରେ ହସ୍ତକୁଠାର, ଫାଳ କରିବା ପ୍ରସ୍ତର ଉପକରଣ( ଲେଭାଲୋଇଜ କୋର୍‌) ଏବଂ ଛେଲିବା ଉପକରଣ( ଫ୍ଲେକ୍ସ), ଆଲ, ସ୍କ୍ରାପର୍‌, ପିକ, ଡିସ୍କୋଇଡ ଏବଂ ସାଧାରଣ ପୁରାତନ ମଧ୍ୟ ପ୍ରସ୍ତର (ପାଲେଓଲିଥିକ) ଯୁଗ ସହିତ ସମାନତା ଥିବା ଅନ୍ୟାନ୍ୟ ଉପକରଣ ମଧ୍ୟ ରହିଛି। ଅଧିକ ଗବେଷଣା ନିଶ୍ଚିତ ଭାବରେ ଏହି ଅଞ୍ଚଳର ପ୍ରାଗୈତିହାସିକ ମାନବ ଜୀବନଶୈଳୀ ଉପରେ ଅନ୍ତର୍ଦୃଷ୍ଟି ପ୍ରଦାନ କରିବ। ପ୍ରାଥମିକ ସର୍ବେକ୍ଷଣରୁ ଜଣାଯାଇଛି,ଏହି ପ୍ରସ୍ତର ଉପକରଣ ଅତି କମରେ ୬୦ହଜାରରୁ ୭୦ହଜାର ବର୍ଷ ପୁରୁଣା ହେବବୋଲି ଗବେଷକ ଡ. ଜୟ ଶଙ୍କର ନାଏକ ସୋମବାର ସୁନ୍ଦରଗଡଠାରେ ସୂଚନା ଦେଇଛନ୍ତି। ଏହି ପ୍ରତ୍ନତାତ୍ତ୍ୱିକ ଅବଶେଷର ସନ୍ଧାନ ପରେ ଏଠାରେ ବହୁ ପ୍ରାଚୀନ କାଳରେ ଏହି ପୁରାତନ ମଧ୍ୟ ପ୍ରସ୍ତର ଯୁଗର ମାନବ ସଭ୍ୟତା ବିକଶିତ ହୋଇଥିଲା ବୋଲି ଏହି ଗବେଷକମାନେ ଦାବି କରିଛନ୍ତି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri