Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏକ ଭିନ୍ନ ପଦକ୍ଷେପ

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର ମାମଲା ଭିନ୍ନ। ଏଠାରେ ସରକାର ତାଙ୍କ ପ୍ରଶାସନିକ ବ୍ୟବସ୍ଥାର ଅଂଶ ହୋଇ ରହିଆସିଥିବା ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଏକ କମିଟି, ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନକୁ ନିରପେକ୍ଷ ଏବଂ ଯୁକ୍ତିଯୁକ୍ତ ଦର୍ଶାଇବା ପରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) କ୍ଲବ୍‌ର ମାନ୍ୟତା ପ୍ରତ୍ୟାହାର କରିବା ନିଷ୍ପତ୍ତିରେ ଅଟଳ ରହିଛି। ଆର୍ଥିକ ଅନିୟମିତତା, ତଥ୍ୟ ଲୁଚାଇବା, ପ୍ରଶାସନିକ ବିଫଳତା, ତଳସ୍ତରର କର୍ମଚାରୀଙ୍କ ପ୍ରତି ପାତରଅନ୍ତର ଏବଂ ବେଆଇନ ଜୁଆଖେଳ ଭଳି ଅଭିଯୋଗ ଉପରେ କମିଟିର ତଥ୍ୟ ଚିନ୍ତାଜନକ। ସୂତ୍ରରୁ ଜଣାପଡ଼ିଛି ଯେ, ଡାଇରେକ୍ଟୋରେଟ୍‌ ଅଫ୍‌ ଇଷ୍ଟେଟ୍ସ ପକ୍ଷରୁ ଜମି ଆବଣ୍ଟନ ବାତିଲ କରିବା ସହ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଅପରପକ୍ଷରେ କ୍ଲବ୍‌ ଏହି ସମସ୍ତ ଅନୁସନ୍ଧାନକୁ ପ୍ରତ୍ୟାଖ୍ୟାନ କରିବା ସହ ତାଙ୍କୁ ପକ୍ଷ ରଖିବା ପାଇଁ ସୁଯୋଗ ଦିଆଯାଇ ନାହିଁ ବୋଲି କହିଛି ଏବଂ ଏହି ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଛି। ଅନେକ ଦଶନ୍ଧି ଧରି ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ କେନ୍ଦ୍ରୀୟ ଅମଲାତନ୍ତ୍ର ସଂସ୍କୃତି ସହ ଜଡ଼ିତ। ସେଠାରେ ସମୟ ବିତାଇଥିବା ଅନେକ ଅଧିକାରୀ ନିଜେ ଅନ୍ୟ ସ୍ଥାନଗୁଡ଼ିକରେ ଯାଞ୍ଚ, ଅନୁସନ୍ଧାନ ଏବଂ ଉଚ୍ଛେଦ ପାଇଁ ଫାଇଲରେ ସ୍ବାକ୍ଷର କରିଥିଲେ। ସେହି ବାବୁମାନେ ଏବେ ଦେଖୁଛନ୍ତି ଫାଇଲ୍‌ ନିଜ ବିରୋଧରେ ମଧ୍ୟ ଯାଇପାରେ। କ୍ଲବ ରହିବ କି ନାହିଁ, ତାହା ବଡ଼ ପ୍ରଶ୍ନ ନୁହେଁ। ଗୁରୁତ୍ୱପୂର୍ଣ୍ଣ ହେଉଛି, ପ୍ରଶାସନିକ ବ୍ୟବସ୍ଥା ଭିତରେ ଥିବା ସଂସ୍ଥାମାନଙ୍କୁ ମଧ୍ୟ ଅନ୍ୟ ସମସ୍ତଙ୍କ ପରି ସମାନ ମାନଦଣ୍ଡରେ ଉତ୍ତରଦାୟୀ କରିବା। ବାସ୍ତବରେ ଏହା ଏକ ପରିବର୍ତ୍ତନର ଆରମ୍ଭ ନା ଏହା କେବଳ ଏକ ସ୍ବତନ୍ତ୍ର ମାମଲା ହୋଇ ରହିଯିବ।
ନିର୍ଭୀକ ତୁକାରାମ
କିଛି ବର୍ଷ ଅନ୍ତରରେ ଭାରତ ଜଣେ ଏମିତି ପ୍ରଶାସନିକ ଅଧିକାରୀଙ୍କୁ ଖୋଜିପାଏ, ଯିଏ କି ଆଇନକୁ କଡ଼ାକଡ଼ି ଭାବେ ଲାଗୁୁ କରନ୍ତି। ଏଥର ସେହି ବ୍ୟକ୍ତିଜଣକ ହେଉଛନ୍ତି ତୁକାରାମ ମୁଣ୍ଢେ । ମହାରାଷ୍ଟ୍ରର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ ଆଡ୍‌ମିନିଷ୍ଟ୍ରେଶନ (ଏଫ୍‌ଡିଏ)ର ଦାୟିତ୍ୱ ନେବା ପରଠାରୁ ମୁଣ୍ଢେ କୃତ୍ରିମ କ୍ଷୀର, ଅପମିଶ୍ରିତ ଖାଦ୍ୟ, ବେଆଇନ ଗୁଟ୍‌ଖା ଏବଂ ଅସ୍ବାସ୍ଥ୍ୟକର ରେଷ୍ଟୁରାଣ୍ଟଗୁଡ଼ିକ ବିରୋଧରେ ବ୍ୟାପକ ଯାଞ୍ଚ ଅଭିଯାନ ଆରମ୍ଭ କରିଛନ୍ତି। ଏଥିରେ ଲୋକଙ୍କ ପ୍ରଶଂସା ମିଳିବା ସ୍ବାଭାବିକ। ଖାଦ୍ୟ ସୁରକ୍ଷା ଆଇନ ମୁଣ୍ଢେ ଦାୟିତ୍ୱ ନେବା ପରେ ଗଢ଼ାଯାଇନାହିଁ। ଏହା ପୂର୍ବରୁ ଥିଲା। ଏବେ ସେଗୁଡ଼ିକୁ ପ୍ରକୃତରେ ଲାଗୁ କରିବାର ଇଚ୍ଛାଶକ୍ତି ପ୍ରକାଶ ପାଇଛି। ଖବର ଅନୁଯାୟୀ,କେତେକ ବ୍ୟବସାୟୀ କେବଳ ଏଫ୍‌ଡିଏ ଟିମ୍‌ ଆସୁଥିବା ଖବର ଶୁଣି ନିଜର କୃତ୍ରିମ କ୍ଷୀରକୁ ନଷ୍ଟ କରିଦେଲେ। ଏହା ଦର୍ଶାଉଛି ଯେ, ଅସଲ ଭୟ କେବେହେଲେ ଆଇନ ପ୍ରତି ନ ଥିଲା, ବରଂ ଭୟ ଥିଲା ଆଇନ ପ୍ରୟୋଗ ଗତିଶୀଳତାରେ। ମୁଣ୍ଢେଙ୍କ କ୍ୟାରିୟରକୁ ଦେଖିଲେ ୨୧ ବର୍ଷର ଚାକିରି କାଳ ମଧ୍ୟରେ ତାଙ୍କୁ ୨୫ ଥର ବଦଳି କରାଯାଇଛି। ତଥାପି ଏଭଳି ପଦକ୍ଷେପ ପାଇଁ ମୁଣ୍ଢେଙ୍କୁ ପ୍ରଶଂସା କରିବା ଯଥେଷ୍ଟ ନୁହେଁ। ଏକ ଗଣତନ୍ତ୍ର କେବେ ହେଲେ ବିଶୁଦ୍ଧ ଖାଦ୍ୟ, ସଚ୍ଚୋଟ ପ୍ରଶାସନ କିମ୍ବା ସ୍ବଚ୍ଛ ଶାସନ ପ୍ରଦାନ କରିବା ପାଇଁ କେତେଜଣ ନିର୍ଭୀକ ବ୍ୟକ୍ତିଙ୍କ ଆଗମନକୁ ଚାହଁି ରହିପାରିବ ନାହିଁ। ତୁକାରାମ ମୁଣ୍ଢେ ବ୍ୟବସ୍ଥାକୁ ସୁଧାରି ଦେବା ପ୍ରକୃତ ସଫଳ କାହାଣୀ ହେବ ନାହିଁ। ବରଂ ଯେଉଁଦିନ ତୁକାରାମଙ୍କ ଭଳି ବହୁ ସଂଖ୍ୟାରେ ଅଧିକାରୀ ବ୍ୟବସ୍ଥାରେ ମିଳିବେ ସେହିଦିନ ପ୍ରକୃତ ସଫଳତା ମିଳିବ।
ସ୍ଥିରତା ନା ଆତ୍ମସନ୍ତୋଷ
ତାମିଲନାଡୁ ସରକାର ସ୍ଥିରତାର ଆବଶ୍ୟକତା ଦର୍ଶାଇ ମୁଖ୍ୟ ଶାସନ ସଚିବ ଏମ୍‌. ସାଇ କୁମାରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିବା ଲାଗି ଅନୁମତି ଦେଇଛନ୍ତି। କେନ୍ଦ୍ର ମଧ୍ୟ ଏଥିରେ ସହମତି ପ୍ରକାଶ କରିଛି। ବରିଷ୍ଠ ଅଧିକାରୀଙ୍କୁ ପଦବୀରେ ରଖିବା ଏବେ ଯୁକ୍ତିଯୁକ୍ତ ମନେ କରାଯାଉଛି। ଏଥିରେ କ୍ୟାବିନେଟ୍‌ ସଚିବ, ସ୍ବରାଷ୍ଟ୍ର ସଚିବ, ଗୁପ୍ତଚର ମୁଖ୍ୟ, ନିୟାମକ ଏବଂ ଏବେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଭଳି ଅଧିକାରୀଙ୍କ ତାଲିକା ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଚାକିରି କାର୍ଯ୍ୟକାଳ ବୃଦ୍ଧିକୁ ଅପରିହାର୍ଯ୍ୟ ବୋଲି ଦର୍ଶାଯାଉଛି। କିନ୍ତୁ ଏସବୁ ଉପରେ କେହି ମୌଳିକ ପ୍ରଶ୍ନ ଉଠାଉନାହାନ୍ତି। ଯଦି ବ୍ୟବସ୍ଥା ନିର୍ଦ୍ଧାରିତ ଅବସର ପରେ ଚାଲିପାରୁ ନାହିଁ, ତେବେ ଏହା ଉତ୍ତରାଧିକାରୀ ଚୟନର ବିଫଳତାକୁ ଦର୍ଶାଉ ନାହିଁି କିି? ପ୍ରତ୍ୟେକ ବରିଷ୍ଠ ଅଧିକାରୀଙ୍କ ପଛକୁ ଅନୁଭବୀ ସହକର୍ମୀମାନେ ନିଜ ପାଳିକୁ ଅପେକ୍ଷା କରି ରହିଥାନ୍ତି। ଯଦି ସରକାରମାନେ ବାରମ୍ବାର ଏହି ନିଷ୍କର୍ଷରେ ପହଞ୍ଚନ୍ତି ଯେ କେବଳ ଜଣେ ବ୍ୟକ୍ତି ହିଁ ପ୍ରଶାସନର ମଙ୍ଗ ଧରିପାରିବେ, ତେବେ ସେମାନେ ସ୍ବୀକାର କରୁଛନ୍ତି ଯେ, ବ୍ୟବସ୍ଥା ଏକ ବିଶ୍ୱାସଯୋଗ୍ୟ ଉତ୍ତରାଧିକାରୀ ପାଇବାରେ ବିଫଳ ହୋଇଛି। ଏହା ଏମ୍‌. ସାଇ କୁମାରଙ୍କ ଯୋଗ୍ୟତା ବିରୋଧରେ ନୁହେଁ। କାରଣ ସେ ଜଣେ ଦକ୍ଷ ପ୍ରଶାସକ। ବହୁ ପୂର୍ବରୁ ଚାକିରି କାର୍ଯ୍ୟକାଳ ବୃଦ୍ଧିକୁ ଅସାଧାରଣ ଭାବେ ଦେଖାଯାଉଥିଲା। ଏବେ ଏହା ପ୍ରଶାସନିକ ପରମ୍ପରା ହୋଇଯାଇଛି। ଏହା ସରକାରମାନଙ୍କୁ ସ୍ବଳ୍ପକାଳୀନ ଆଶ୍ୱସ୍ତି ଦେଇପାରେ, କିନ୍ତୁ ଏହା ପରବର୍ତ୍ତୀ ପିଢ଼ିର ଅଧିକାରୀଙ୍କୁ ସୁଯୋଗ ଦିଏ ନାହିଁ। ଏହା ମଧ୍ୟ ଏକ ଧାରଣା ଦୃଢ଼ କରେ ଯେ ଶାସନ ବ୍ୟବସ୍ଥା ସଂସ୍ଥା ଅପେକ୍ଷା ପରିଚିତ ବ୍ୟକ୍ତିଙ୍କୁ ପଦବୀରେ ରଖିବା ଉପରେ ଅଧିକ ଗୁରୁତ୍ୱ ଦେଉଛି।

ଦିଲୀପ ଚେରିଏନ
Email: dilipcherian@gmail.com


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri