Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ତିହାସରେ ଏଲ୍‌ ନିନୋ : ବିଗତ ୧୯୮୨-୮୩ ଏବଂ ୧୯୯୭-୯୮ ମସିହାର ଏଲ୍‌ ନିନୋଗୁଡ଼ିକ ବିଂଶ ଶତାବ୍ଦୀର ସବୁଠାରୁ ତୀବ୍ର ଘଟଣା ଥିଲା। ୧୯୮୨-୮୩ର ଘଟଣାଗୁଡ଼ିକ ସମୟରେ, ପୂର୍ବ କ୍ରାନ୍ତିମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ରପୃଷ୍ଠର ତାପମାତ୍ରା ସାଧାରଣଠାରୁ ଅନେକ ଡିଗ୍ରୀ ଅଧିକ ଥିଲା। ତାପମାତ୍ରାର ଏହି ପ୍ରବଳ ବୃଦ୍ଧି ଯୋଗୁ ଜଳବାୟୁରେ ଗୁରୁତର ପରିବର୍ତ୍ତନ ଘଟିଥିଲା, ଯାହାର କେତୋଟି ଦୃଷ୍ଟାନ୍ତ ନିମ୍ନରେ ଦିଆଗଲା।

ଅଷ୍ଟ୍ରେଲିଆର ଅଧିକାଂଶ ଅଞ୍ଚଳ ଦାରୁଣ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହୋଇଥିଲା; ଟାଇଫୁନ ଭଳି ସାମୁଦ୍ରିକ ଝଡ ତାହିତିରେ ଧ୍ୱଂସର ତାଣ୍ଡବଲୀଳା ରଚନା କରିଥିଲା ଏବଂ ଅଭୂତପୂର୍ବ ବର୍ଷା ଏବଂ ବନ୍ୟା ଯୋଗୁ କେନ୍ଦ୍ରୀୟ ଚିଲିରେ ନାହିଁ ନଥିବା ସଙ୍କଟ ଦେଖା ଦେଇଥିଲା। ଉତ୍ତର ଆମେରିକାର ପଶ୍ଚିମ ଉପକୂଳରେ ଶୀତ ଋତୁରେ ମଧ୍ୟ ଅଶାନ୍ତ ଝଡ଼ମାନ ଉଠିଥିଲା ଏବଂ ଚିଲିରୁ ଆଲାସ୍କା ପର୍ଯ୍ୟନ୍ତ ସବୁଠି ମତ୍ସ୍ୟ ଉତ୍ପାଦନ ଗୁରୁତର ହ୍ରାସ ପାଇଥିଲା। ସେହିପରି ୧୯୯୭-୯୮ର ଏଲ୍‌ ନିନୋକୁ ବିଂଶ ଶତାବ୍ଦୀର ସବୁଠାରୁ ଶକ୍ତିଶାଳୀ ଘଟଣା ଭାବରେ ବିବେଚନା କରାଯାଉଛି। ଏହା ସର୍ବପ୍ରଥମ ଏଲ ନିନୋ ଘଟଣା ଥିଲା, ଯାହାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗଭୀର ପର୍ଯ୍ୟବେକ୍ଷଣ କରାଯାଇଥିଲା। ଏହି ଏଲ୍‌ ନିନୋ ଘଟଣା ଇଣ୍ଡୋନେସିଆ, ମାଲେସିଆ ଏବଂ ଫିଲିପାଇନ୍ସରେ ଗୁରୁତର ମରୁଡ଼ି ପରିସ୍ଥିତି ସୃଷ୍ଟି କରିବା ସଙ୍ଗେ ସଙ୍ଗେ ପେରୁରେ ପ୍ରବଳ ବର୍ଷା ଏବଂ ଭୟଙ୍କର ବନ୍ୟାପ୍ଳାବନ ସଂଘଟିତ କରିଥିଲା। ଏହାର ପ୍ରଭାବରେ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ନିଆରେ ଶୀତଦିନେ ପ୍ରବଳ ବୃଷ୍ଟିପାତ ଘଟିଥିଲା ଏବଂ ଦେଶର ମଧ୍ୟପଶ୍ଚିମ ଭାଗରେ ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଇ ପୂର୍ବର ସମସ୍ତ ରେକର୍ଡକୁ ଭଙ୍ଗ କରିଥିଲା।
ସୁତରାଂ ଏଲ୍‌ ନିନୋ ଓ ଜଳବାୟୁ ପରିବର୍ତ୍ତନର ମିଳିତ ପ୍ରଭାବ ସମଗ୍ର ବିଶ୍ୱରେ ତାପପ୍ରବାହକୁ ଅଧିକ ତୀବ୍ର କରିଛି। ଏହାଦ୍ୱାରା ମଧ୍ୟ କ୍ରାନ୍ତିମଣ୍ଡଳୀୟ ଝଡ଼ର ସଂଖ୍ୟା ଓ ତୀବ୍ରତା ବୃଦ୍ଧି ପାଇଛି। ଏଲ୍‌ ନିନୋ ଏକ ପ୍ରାକୃତିକ ଘଟଣା ହୋଇଥିଲେ ମଧ୍ୟ ଏହାର ପ୍ରଭାବକୁ ହ୍ରାସ କରିବା ପାଇଁ ଆମକୁ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ହେବ। ବୃକ୍ଷରୋପଣ, ଜଳ ସଂରକ୍ଷଣ, ପ୍ରଦୂଷଣ ହ୍ରାସ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଅବଲମ୍ବନ ଭଳି ବ୍ୟକ୍ତିଗତ ଓ ସାମୂହିକ ସ୍ତରର ପଦକ୍ଷେପମାନ ଏଲ୍‌ ନିନୋ ଦ୍ୱାରା ସଂଘଟିତ ଜଳବାୟୁ ପରିବର୍ତ୍ତନର ଗତିକୁ ମନ୍ଦିତ କରିପାରିବ।

(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ
ମୋ : ୮୯୧୭୬୩୭୯୭୪


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri