Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏଙ୍ଗ୍‌ଜାଇଟିର ଲକ୍ଷଣ ଓ ଉପଚାର

ଏଙ୍ଗ୍‌ଜାଇଟିର ଲକ୍ଷଣ ଓ ଉପଚାର

ମ ସମସ୍ତଙ୍କର ମନ ବେଳେବେଳେ ବ୍ୟସ୍ତ, ବିବ୍ରତ, ବିଚଳିତ ଓ ଅସ୍ଥିର ରହିଥାଏ। ଏହା ମୁଖ୍ୟତଃ କେତେକ କଠିନ ଓ ଚିନ୍ତାଜନକ ପରିସ୍ଥିତିରେ ଦେଖାଯାଇଥାଏ। ଯେତେବେଳେ ପରିସ୍ଥିତି ବଦଳେ, ସେତେବେଳେ ସବୁ ଠିକ୍‌ଠାକ ହୋଇଯାଏ। ମାତ୍ର କିଛି ଲୋକଙ୍କ ମନରେ ବ୍ୟସ୍ତତା ଓ ଛାନିଆ ସବୁବେଳେ ଲାଗି ରହେ ବା ଅଧିକ ମାତ୍ରାରେ ଦେଖାଯାଇଥାଏ।

ଏହା ବିନା କାରଣରେ ବା ଅତି ସାମାନ୍ୟ କାରଣରେ ଦେଖାଯାଇଥାଏ। ଏହାକୁ ମାନସିକ ଉଦ୍‌ବେଗ ରୋଗ ବା 'ଜେନେରାଲାଇଜ୍‌ଡ ଏଙ୍ଗ୍‌ଜାଇଟିଡିସ୍‌ ଅର୍ଡର' ବୋଲି କୁହାଯାଏ। ସାଧାରଣ ଲୋକଙ୍କ ଭାଷାରେ ଏହାକୁ ଏଙ୍ଗ୍‌ଜାଇଟି ରୋଗ ବୋଲି କୁହାଯାଏ। ଏହା ମୁଖ୍ୟତଃ ୩୦ରୁ ୪୦ ବର୍ଷ ବୟସରେ ଦେଖାଯାଏ। ଆଧୁନିକ ଭାରତୀୟ ସମାଜରେ ଏହି ରୋଗର ପ୍ରାଦୁର୍ଭାବ କ୍ରମଶଃ ବଢ଼ିବାରେ ଲାଗିଛି।
ଲକ୍ଷଣ: ଏଙ୍ଗ୍‌ଜାଇଟି ରୋଗର ନିମ୍ନଲିଖିତ ଲକ୍ଷଣ ଦେଖାଯାଇଥାଏ। ମନ ସବୁବେଳେ ଅତ୍ୟଧିକ ବ୍ୟସ୍ତ ଓ ବିବ୍ରତ ରହେ। ରୋଗୀର ମନ ସବୁବେଳେ ବିଚଳିତ ରହେ। ତା' ମନରେ ଅତି ଛୋଟ ଛୋଟ କଥାରେ ଉଦ୍‌ବେଗ ଲାଗି ରହେ। ମନରେ ବିନା କାରଣରେ କିମ୍ବା ଅତି ଛୋଟ କଥାରେ ଛାନିଆ କିମ୍ବା ଆଶଙ୍କା ଲାଗିରହେ, ଯେମିତିକି କିଛି ଖରାପ ହୋଇଯିବ। ଯେମିତିକି ରୋଗୀର ମନରେ ନକାରାତ୍ମକ ଭାବନା ଆସେ ଯେ, ମୋର କିଛି ଖରାପ ହୋଇଯିବ କି? ପିଲାମାନେ ବାହାରକୁ ଯାଇଛନ୍ତି, ସେମାନଙ୍କର କିଛି ଖରାପ ହୋଇଯିବ କି? ଦିନର ସବୁ କାମ କେମିତି ହେବ? ଏହିଭଳି ଭାବରେ ମନରେ ଆଶଙ୍କା ଲାଗି ରହେ। ଅତି ଛୋଟ ଛୋଟ କଥାରେ ମନ ଅସ୍ଥିର ରହେ। ରୋଗୀ ଅଧିକାଂଶ ସମୟ ଚିଡ଼ିଚିଡ଼ା ରହେ। ଅତି ସାମାନ୍ୟ କଥାରେ ମନରେ ସବୁବେଳେ ଟେନ୍‌ସନ ବା ମାନସିକ ଚାପ ଓ ଚିନ୍ତା ଲାଗି ରହେ। ମନର ଏକାଗ୍ରତା କମିଯାଏ। କୌଣସି କାମରେ ମନ ଲାଗେନାହିଁ, କାହା ସହିତ କଥା ହେବାକୁ ଇଚ୍ଛା ହୁଏ ନାହିଁ। ବେଳେବେଳେ ଦେହ ହାତ ଥରିବା, ପାଟି ଶୁଖିଯିବା, ଛାତି ଧଡ଼ଧଡ଼ ହେବା, ଅତ୍ୟଧିକ ଝାଳ ବୋହିବା ଓ ମୁଣ୍ଡ ବୁଲାଇବା ଆଦି ଲକ୍ଷଣ ମଧ୍ୟ ଦେଖାଯାଇଥାଏ। କେତେକ ଲୋକଙ୍କର ଏଙ୍ଗ୍‌ଜାଇଟି ରୋଗ ଯୋଗୁଁ ଅଧିକାଂଶ ସମୟରେ ମୁଣ୍ଡବିନ୍ଧା ମଧ୍ୟ ହୋଇଥାଏ, ଗୋଡ଼ ହାତ ଘୋଳେଇ ହୋଇଗଲା ପରି ଲାଗିଥାଏ। କିଛି ସମୟ ପାଇଁ ରୋଗୀର ବ୍ଲଡପ୍ରେସର ବଢ଼ି ଯାଇଥାଏ, ସବୁବେଳେ ପେଟରେ ଗ୍ୟାସ୍‌ ହେଲା ପରି ଲାଗିଥାଏ। ନିଦ କମି ଯାଇଥାଏ। ରାତିରେ ନିଦ ଆସିବାକୁ ଡେରି ହୁଏ। ରାତିରେ ଶୋଇବାକୁ ବିଛଣାକୁ ଗଲାବେଳେ ବହୁତ ଅଯଥା ଚିନ୍ତା ମନକୁ ଆସେ। ରୋଗୀକୁ ଏହି ସମୟରେ ବହୁତ ବ୍ୟସ୍ତ ଲାଗେ। ଅଳ୍ପ କାମ କଲା ପରେ ଲୋକକୁ ହାଲିଆ ଲାଗେ। ତେବେ ଯଦି ଆପଣଙ୍କୁ ୬ ମାସରୁ ଅଧିକ ସମୟ ଏଭଳି ଅତ୍ୟଧିକ ଟେନ୍‌ସନ ଲାଗିରହୁଛି, ମନ ଅଧିକାଂଶ ସମୟ ବ୍ୟସ୍ତ, ବିବ୍ରତ, ଛାନିଆ ରହୁଛି, ଏଥିଯୋଗୁ ଆପଣଙ୍କ ଜୀବନ ଉପରେ ଖରାପ ପ୍ରଭାବ ପଡ଼ୁଛି, ତେବେ ଏହା ମାନସିକ ଉଦ୍‌ବେଗ ରୋଗ ବା ଜେନେରାଲାଇଜ୍‌ଡ ଏଙ୍ଗ୍‌ଜାଇଟି ଡିସ୍‌ଅର୍ଡର ହୋଇଥାଏ।
କିଛି ଲୋକ ମାନସିକ ଉଦ୍‌ବେଗର ମୁକାବିଲା କରି ନ ପାରି ଭୁଲ୍‌ବଶତଃ ବିଭିନ୍ନ ପ୍ରକାରର ନିଶା ସେବନ (ସିଗାରେଟ୍‌, ମଦ ଓ ଗୁଟ୍‌ଖା) ଆରମ୍ଭ କରିଦିଅନ୍ତି, ଯାହା ଦ୍ୱାରା ଉଦ୍‌ବେଗ ଆହୁରି ବଢ଼ିଯାଏ। ଏଙ୍ଗ୍‌ଜାଇଟି ରୋଗର ଲକ୍ଷଣକୁ ଲୋକମାନେ ଶାରୀରିକ ରୋଗର (ହାର୍ଟ କିମ୍ବା ପେଟର) ଲକ୍ଷଣ ଭାବି ବିଭିନ୍ନ ପ୍ରକାରର ପରୀକ୍ଷାନିରୀକ୍ଷା କରାଇ ଥାଆନ୍ତି। ମାତ୍ର ଏଥିରେ କୌଣସି ଅସୁବିଧା ବାହାରି ନ ଥାଏ। ଏହି ଏଙ୍ଗ୍‌ଜାଇଟି ରୋଗର ଠିକ୍‌ ସମୟରେ ଚିକିତ୍ସା ନ କଲେ ରୋଗର ଲକ୍ଷଣ ବଢ଼ିଥାଏ। ପରେ ଡିପ୍ରେଶନ, ଅନ୍ୟ କେତେକ ଏଙ୍ଗ୍‌ଜାଇଟି ରୋଗ (ପ୍ୟାନିକ ରୋଗ) ଆରମ୍ଭ ହୋଇପାରେ। କିଛି ଲୋକ ଏଙ୍ଗ୍‌ଜାଇଟିର ମୁକାବିଲା କରି ନ ପାରି ଆତ୍ମହତ୍ୟା ମଧ୍ୟ କରିଥାନ୍ତି।
କାରଣ: ବିଭିନ୍ନ କାରଣରୁ ଏଙ୍ଗ୍‌ଜାଇଟି ରୋଗ ହୋଇପାରେ। ଏହି ରୋଗରେ ମସ୍ତିଷ୍କରେ କେତେକ ନିର୍ଦ୍ଦିଷ୍ଟ ରାସାୟନିକ ପଦାର୍ଥ (ନିଉରୋଟ୍ରାନ୍ସମିଟର)ର ମାତ୍ରାରେ ଅସନ୍ତୁଳନ ଯୋଗୁ ହୋଇଥାଏ। ଏହି ରାସାୟନିକ ପଦାର୍ଥଗୁଡ଼ିକ ହେଲା ସେରୋଟୋନିନ ଓ ନରଏପିନେଫ୍ରିନ। ଏହାର ମୁଖ୍ୟତଃ ତିନୋଟି କାରଣ ଅଛି। ସେଗୁଡ଼ିକ ହେଲା- ଜିନ୍‌ଗତ କାରଣ, ସାମାଜିକ କିମ୍ବା ପାରିପାର୍ଶ୍ୱିକ ଚାପ କାରଣରୁ ଏହି ରାସାୟନିକ ଅସନ୍ତୁଳନ ଘଟିପାରେ ଏବଂ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ।
ଚିକିତ୍ସା: ଏଙ୍ଗ୍‌ଜାଇଟି ରୋଗର ଚିକିତ୍ସା ସମ୍ପୂର୍ଣ୍ଣ ସମ୍ଭବ। ଏଥିନିମନ୍ତେ ଯଥାଶୀଘ୍ର ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ ଜରୁରୀ ଅଟେ। ଏଥିପାଇଁ ବିଭିନ୍ନ ପ୍ରକାରର ଚିକିତ୍ସା ଉପଲବ୍ଧ ଅଛି। ଏଙ୍ଗ୍‌ଜାଇଟି ରୋଗର ଚିକିତ୍ସା ପାଇଁ ବିଭିନ୍ନ ପ୍ରକାରର ଔଷଧ ବ୍ୟବହାର କରାଯାଇଥାଏ। ଏହି ଔଷଧଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସେବନ କରିବାକୁ ପଡ଼ିଥାଏ। ରୋଗର ଲକ୍ଷଣ କମିଲେ ମେଡିସିନର ଡୋଜ୍‌ କମାଇ ଦିଆଯାଏ। ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ ବନ୍ଦ କରିଦେଲେ ରୋଗର ଲକ୍ଷଣ ପୁଣି ଦେଖାଦେଇଥାଏ। ଅଧିକାଂଶ ରୋଗୀ କିଛି ମାସ ମେଡିସିନ ଖାଇଲା ପରେ ଲକ୍ଷଣ କମିଗଲେ ମେଡିସିନ୍‌ ବନ୍ଦ କରିଦିଅନ୍ତି, ସେତେବେଳେ ଲକ୍ଷଣ ଦେଖାଦେଲେ ସେମାନେ ଭୁଲ୍‌ରେ ଭାବିଥା'ନ୍ତି ଯେ ଆମେ ମେଡିସିନ ଉପରେ ନିର୍ଭର ହୋଇଯାଇଛୁ। ମେଡିସିନ ବନ୍ଦ କଲା ମାନେ ଲକ୍ଷଣ ପୁଣି ଦେଖାଦେଉଛି। ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ୍‌ ଧାରଣ। ଚିକିତ୍ସା ଚାଲୁଥିବା ଭିତରେ ମେଡିସିନ ବନ୍ଦ କରିଦେଲେ ଲକ୍ଷଣ ପୁଣି ଦେଖାଦେଇଥାଏ। ରୋଗୀ କେବେ ମେଡିସିନ୍‌ ଉପରେ ନିର୍ଭରଶୀଳ ହୁଏ ନାହିଁ।
ଚିକିତ୍ସା କୋର୍ସ ସାଧାରଣତଃ ନିମ୍ନୋକ୍ତ ନିର୍ଦ୍ଦିଷ୍ଟ କଥା ଉପରେ ନିର୍ଭର କରିଥାଏ।
- ରୋଗର ଲକ୍ଷଣ କେତେ ତୀବ୍ର ଅଛି।
- ରୋଗ ଆରମ୍ଭ ହେବାର କେତେଦିନ ପରେ ରୋଗୀ ଡାକ୍ତରଙ୍କ ପାଖକୁ ଚିକିତ୍ସା ହେବାକୁ ଆସିଛି।
- ରୋଗୀ କେତେ ନିୟମିତ ଚିକିତ୍ସା ନେଉଛି।
ଏହା ସହିତ ମନସ୍ତାତ୍ତ୍ୱିକ ଚିକିତ୍ସା (କାଉନ୍‌ସିଲିଂ) ଦରକାର ହୋଇଥାଏ। ନିଜର ଜୀବନଶୈଳୀକୁ ସୁସ୍ଥ ରଖନ୍ତୁ। ମଦ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ଉଚିତ। ପ୍ରତିଦିନ ଅତିକମ୍‌ରେ ୬ ରୁ ୮ ଘଣ୍ଟା ଶୁଅନ୍ତୁ। ଦିନକୁ ୩୦ରୁ ୪୫ ମିନିଟ ପାଇଁ ଶାରୀରିକ ବ୍ୟାୟାମ କରନ୍ତୁ। ୧୫ରୁ ୨୦ ମିନିଟ ଯୋଗ କରନ୍ତୁ। ସ୍ମାର୍ଟ ଫୋନର ବ୍ୟବହାର କମ୍‌ କରନ୍ତୁ। ପ୍ରତିଦିନ କିଛି relaxing exercise କରନ୍ତୁ। ମନକୁ ଶାନ୍ତ କରିବାର ଉପାୟକୁ ବ୍ୟବହାର କରିବା ଜରୁରୀ। ଧୀର ଓ ଗଭୀର ନିଃଶ୍ୱାସପ୍ରଶ୍ୱାସ ନେବା, ଯୋଗ ଅଭ୍ୟାସ ମାନସିକ ଉଦ୍‌ବେଗ ଦୂର କରିବାରେ ସାହାଯ୍ୟ କରିଥାଏ। ମନକୁ ଶାନ୍ତି ଦେଉଥିବା କଥା, ଜାଗା ଓ ଘଟଣା ସମ୍ପର୍କରେ ଚିନ୍ତା କରିବା ଉଚିତ। ନିଜକୁ ଭଲ ଲାଗୁଥିବା କାର୍ଯ୍ୟକ୍ରମରେ ବ୍ୟସ୍ତ ରଖିବା ଓ ମଧୁର ସଙ୍ଗୀତ ଶୁଣିବା ଦ୍ୱାରା ମଧ୍ୟ ମାନସିକ ଉଦ୍‌ବେଗ କମିଥାଏ। ଉଦ୍‌ବେଗ ଦୂର କରିବା ନିମନ୍ତେ ଏହି ସମୟରେ କୌଣସି ବଡ଼ ସିଦ୍ଧାନ୍ତ ନେବା ଅନୁଚିତ। ଏହା ସାଧାରଣତଃ ଭୁଲ୍‌ ହେବାର ସମ୍ଭାବନା ଥାଏ।

ଡା. ସତ୍ୟକାମ ମହାପାତ୍ର

- ମାନସିକ ରୋଗ ବିଶେଷଜ୍ଞ, କଟକ
ମୋ : ୮୮୯୫୨୯୩୯୯୭

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri