Friday, 21 Sep, 12.26 pm ଧରିତ୍ରୀ

ସମ୍ବଲପୁର
ଏଥର ଜୁନାଗଡ଼ିଆ ବ୍ୟାନରକୁ ନେଇ ଚର୍ଚ୍ଚା

ଜୁନାଗଡ,୨୧।୯(ଡି.ଏନ.ଏ.): ଆଗାମୀ ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏବେଠୁ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ତପତ୍ରତା ଦେଖିବାକୁ ମିଳୁଛି। ଶୁଭେଚ୍ଛା ମାଧ୍ୟମରେ ଲୋକଙ୍କ ମନଜିଣିବା ପାଇଁ ଜିଲାର ବିଭିନ୍ନ ସହର, ଗଳି, କନ୍ଦି, ଛକଠାରେ ପୋଷ୍ଟର, ହୋଡିଂ ଲଗାଯାଉଛି। ଏଥିରୁ ଜୁନାଗଡ ନିର୍ବାଚନ ମଣ୍ଡଳୀ ମଧ୍ୟ ବାଦ ପଡିନାହଁି। ଏଠାରେ ମଧ୍ୟ ବିଭିନ୍ନ ଦଳରେ ଆଶାୟୀ ଥିବା ବିଧାୟକ ଓ ଏମ୍‌ପି ପ୍ରାର୍ଥୀମାନେ ବିଭିନ୍ନ ସ୍ଥାନରେ ବ୍ୟାନର, ହୋଡିଂ କାନ୍ଥ ବାଡରେ ମାରିଥିବା ଦେଖିବାକୁ ମିଳୁଛି। ବୁଧବାର ସ୍ବାଭିମାନ ନାଗରିକ ପକ୍ଷରୁ ଜୁନାଗଡ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବ୍ୟାନରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ବ୍ୟାନରରେ ସ୍ବାଭିମାନ ଜୁନାଗଡ ନିର୍ବାଚନ ମଣ୍ଡଳୀ ପାଇଁ 'ଏଥର ଜୁନାଗଡିଆ' ଲେଖା ହୋଇଥିବା ଦେଖିବାକୁ ମିଳୁଛି। ଯାହାକି ଜୁନାଗଡ ରାଜନୀତିକୁ ଏବେ ସରଗରମ କରିଛି । ୨୦୧୪ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୁନାଗଡ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ପ୍ରାର୍ଥୀ ତଥା ଜୁନାଗଡିଆ ବ୍ଲକ ଅଞ୍ଚଳ ଲୋକ ଟିକେଟ ପାଇଥିଲେ। ତେବେ ବିଜେଡି ପକ୍ଷରେ ଏହାର ବ୍ୟତିକ୍ରମ ଦେଖାଦେଇଥିଲା । ବେସାମରିକ ବିମାନ ପାଇଲଟ୍‌ କାର୍ଯ୍ୟ ଛାଡି ନିର୍ବାଚନ ମୈଦାନକୁ ପ୍ରଥମ ଥର ଭାବେ ଓହ୍ଲାଇଥିବା ବାହାର ନିର୍ବାଚନ ମଣ୍ଡଳୀର କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶଙ୍କୁ ବିଧାୟକ ଟିକେଟ ଦିଆଯାଇଥିଲା।

ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଭୋଟ, ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ପାଇଁ ଦିବ୍ୟଶଙ୍କର ମିଶ୍ର ୫୬୪୪୩ ଭୋଟ୍‌ ପାଇ ବିଜୟୀ ହୋଇଥିଲୋ। ସେହିପରି ଭାଜପା ପକ୍ଷରୁ ସ୍ଥାନୀୟ ଜୁନାଗଡ ବ୍ଲକ ରାଜପୁରର ପ୍ରାର୍ଥୀ ଅନିଲ ସିଂହଦେଓ ୪୬୪୯୮ ଭୋଟ ପାଇଥିବା ବେଳେ କଂଗ୍ରେସରୁ ଗୋବର୍ଦ୍ଧନ ଦାଶ ମଧ୍ୟ ସ୍ଥାନୀୟ ମଥୁରା (ପଲାଶ)ର ଜୁନାଗଡିଆ ପ୍ରାର୍ଥୀ ହିସାବରେ ୩୮୭୧୫ ଭୋଟ ପାଇଥିଲେ । ୧୯୮୫ଠାରୁ ୧୯୯୮ ପର୍ଯ୍ୟନ୍ତ ଜୁନାଗଡ ନିର୍ବାଚନ ମଣ୍ଡଳୀ କଳାହାଣ୍ଡି ମହାରାଜ ପ୍ରତାପ କେଶରୀ ଦେଓଙ୍କ ପୁତ୍ର ବିକ୍ରମ କେଶରୀ ଦେଓଙ୍କ ହାତରେ ଥିଲା । ୧୯୮୫ରେ ପୂର୍ବତନ କଂଗ୍ରେସ ବିଧାୟକ ସ୍ବର୍ଗତ ମହେଶ୍ୱର ବରାଡଙ୍କୁ ଟିକଟ ଦିଆ ନ ଯାଇ ଜଗନ୍ନାଥ ମୁଣ୍ଡଙ୍କୁ ଜୁନାଗଡ ବିଧାନସଭା ମଣ୍ଡଳୀର ଟିକଟ ଦିଆଯାଇଥିଲା ।

ଏହାର ସୁଯୋଗ ନେଇ ବିକ୍ରମ କେଶରୀ ଦେଓ ୧୯୮୫ ରୁ ୧୯୯୦, ୧୯୯୦ରୁ ୧୯୯୫ ଓ ୧୯୯୫ରୁ ୧୯୯୮ ପର୍ଯ୍ୟନ୍ତ ଜୁନାଗଡର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୮ ଉପନିର୍ବାଚନରେ ସେ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବାରୁ ତାଙ୍କ ସ୍ଥାନରେ ସ୍ଥାନୀୟ ଜୁନାଗଡ ବ୍ଲକ ଚିଚୈଗୁଡାର ହିମାଂଶୁ ଶେଖର ମେହେରଙ୍କୁ ଭାଜପା ତରଫରୁ ଟିକଟ ଦିଆଯାଇଥିଲା। ମେହେର ସେତେବେଳେ ପ୍ରାୟ ୯୦୦୦ ରୁ ଊଦ୍ଧର୍‌ବ ଭୋଟରେ ବିଜୟ ଲାଭ କରିଥିଲେ । ୨୦୦୦ରେ ପୁଣି ହିମାଂଶୁ ଶେଖର ମେହେର ଭବାନୀପାଟଣାରୁ ଆସିଥିବା କଂଗ୍ରେସର ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଭୁପିନ୍ଦର ସିଂହଙ୍କୁ ହରାଇ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବିଧାୟକ ଥିଲେ ।

୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ସ୍ଥାନୀୟ ଜୁନାଗଡିଆ ପ୍ରାର୍ଥୀ ପାଇଁ କଂଗ୍ରେସର ଗୋବର୍ଦ୍ଧନ ଦାଶ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୦୯ରେ ଭାରତୀୟ ଜନତା ପାର୍ଟି ବାହାରୁ ପ୍ରାର୍ଥୀ ଆଣି ସ୍ଥାନୀୟ ପ୍ରାର୍ଥିଙ୍କୁ ଅଣଦେଖା କରି ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେରଙ୍କୁ ଟିକଟ ନ ଦେବାରୁ ୨୦୦୯ ନିର୍ବାଚନରେ ଭାଜପାକୁ ପରାଜୟର ସ୍ବାଦ ଚାଖିବାକୁ ପଡିଥିଲା । ଏହାର ସୁଯୋଗ ନେଇ ଡିଭାଇଡ ଆଣ୍ଡ ରୁଲ୍‌ ପଦ୍ଧତିରେ ପୁନଶ୍ଚ ଭବାନୀପାଟଣାର ପ୍ରାର୍ଥୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଜୁନାଗଡର ବିଧାୟକ ହୋଇଥିଲେ । ବାରମ୍ବାର ଭବାନୀପାଟଣାର ବିଭିନ୍ନ ଦଳର ପ୍ରାର୍ଥୀମାନଙ୍କ ଲୋଲୁପ ଦୃଷ୍ଟି ଜୁନାଗଡିଆମାନଙ୍କ ସ୍ବାଭିମାନକୁ ବାଧା ସୃଷ୍ଟି କରିଛି।

ଯଦି ଆଗାମୀ ସାଧାରଣ ନିର୍ବାଚନରେ ବାହାର ପ୍ରାର୍ଥୀଙ୍କୁ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଏ, ତାହାହେଲେ ସେମାନେ ବିରୋଧର ସମ୍ମୁଖୀନ ହେବା ସହ ଜୁନାଗଡ ନିର୍ବାଚନ ମଣ୍ଡଳୀବାସୀ ସେମାନଙ୍କୁ ଉଚିତ୍‌ ଜବାବ ଦେବେ ବୋଲି ରାଜନୈତିକ ସମୀକ୍ଷକମାନଙ୍କଠୁ ଜଣାପଡିଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Dharitri
Top