Dailyhunt
ଘର ଲିପା ମାଟି ସଂଗ୍ରହ ପାଇ ଯାଇଥିଲେ ମହିଳା: ଅତଡ଼ା ଖସି ଚାଲିଗଲା ଜୀବନ, ଭାଉଜ, ଝିଆରୀ ଆହତ

ଘର ଲିପା ମାଟି ସଂଗ୍ରହ ପାଇ ଯାଇଥିଲେ ମହିଳା: ଅତଡ଼ା ଖସି ଚାଲିଗଲା ଜୀବନ, ଭାଉଜ, ଝିଆରୀ ଆହତ

ନ୍ଦପୁର,୩୦।୪(ତୁଷାର କାନ୍ତ ମହାନ୍ତି): ବାପ ଘର ବୁଲି ଆସି ଫେରିବା ବାଟରେ ଗଙ୍ଗାନାଳ କଡ଼ରୁ ଘର ଲିପା ପାଇଁ ମାଟି ସଂଗ୍ରହ କରୁଥିବା ବେଳେ ମାଟି ଅତଡ଼ା ଖସି ଗୁରୁବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ଆହତ ହୋଇଛନ୍ତି।

ଏଭଳି ଏକ ଅଘଟଣ ଘଟିଛି କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ନୀଳଦୋରାପୁଟ ଗ୍ରାମରେ।

ମୃତକ ମହିଳା ଜଣକ ହେଲେ କଟଲାପୁଟ ଗ୍ରାମର ପୁଷ୍ପ ମାଳିଙ୍କ ସ୍ତ୍ରୀ ଗୁପ୍ତେଶରୀ(୨୧) ବୋଲି ଜଣାପଡିଛି। କମାରବେଲଗାଁ ଗ୍ରାମର ମାଳତୀ ଖିଲ(୨୮) ଏବଂ କାଞ୍ଚନ ଛୋଡ଼ିଆ (୧୩) ଆହତ ହୋଇ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି।

ମିଳିଥିବା ସୂଚନା ମୁତାବକ, ଗୁପ୍ତେଶରୀ ସ୍ବାମୀ ଏବଂ ୩ ବର୍ଷର ଦିବ୍ୟାଙ୍ଗ ପୁଅକୁ ଧରି ବାପଘର କମାରବେଲଗାଁ ବୁଲିବାକୁ ଆସିଥିଲେ। ଗୁରୁବାର ଶାଶୁଘର ଫେରିବା ବାଟରେ ଘରଲିପା ପାଇଁ ମାଟି ସଂଗ୍ରହ କରିବା ବୋଲି ଭାଇ ଭାଉଜ ଓ ଝିଆରୀଙ୍କ ସହ ମିଶି ନୀଳ ଦୋରାପୁଟ ଗଙ୍ଗାନାଳ ନିକଟରେ ପହଞ୍ଚି ଥିଲେ।

ନାଳକଡ ନୀଳଗିରୀ ବାଡ଼ରେ ସ୍ବାମୀ ପୁଷ୍ପ ଓ ଭାଇ ଦିଲୀପଙ୍କୁ ଦିବ୍ୟାଙ୍ଗ ପୁଅକୁ ଧରିବାକୁ ଦେଇ ଭାଉଜ ଲଳିତା, ଝିଆରୀ କାଞ୍ଚନଙ୍କ ସହ ମାଟି ସଂଗ୍ରହ କରୁଥିଲେ। ସେତିକିବେଳେ ହଠାତ୍‌ ମାଟି ଅତଡ଼ା ଖସି ୩ଜଣଙ୍କ ଉପରେ ପଡ଼ିଥିଲା। ଭାଉଜ ଓ ଝିଆରୀ ଅଳ୍ପକେ ବର୍ତ୍ତି ବାହାରକୁ ବାହାରି ପାଟି କରିବାରେ ସ୍ବାମୀ ଓ ଭାଇ ପହଞ୍ଚି ମାଟି ହଟାଇ ଗୁପ୍ତେଶ୍ୱରୀଙ୍କୁ ଉଦ୍ଧାର କରି ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ସ୍ବାମୀ ପୁଷ୍ପ ନନ୍ଦପୁର ଥାନାରେ ଏତଲା ଦେଇଥିଲେ। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ତ୍ରିନାଥ ତୋଟା ପାଡ଼ିଆ ସୂଚନା ଦେଇଛନ୍ତି।

ଅନ୍ୟପଟେ ପରିବାରଟି ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ପ୍ରଦାନ କରିବାକୁ ମଲିବେଲଗାଁ ସରପଞ୍ଚ ପ୍ରହଲ୍ଲାଦ ମୁଦୁଲି ଓ ଗ୍ରାମବାସୀ ଅନୁରୋଧ କରିଛନ୍ତି। ନନ୍ଦପୁର ତହସିଲଦାର ଦେବବ୍ରତ ମହାରଣା ଘଟଣା ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ନିର୍ଦ୍ଦେଶ ମୁତାବକ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ସୂଚନା ଥାଉକି ୩ ବର୍ଷ ତଳେ ସମ୍ପୃକ୍ତ ସ୍ଥାନରେ ମାଟି ଅତଡ଼ା ଖସି ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିଲା ଓ ଦୁଇ ଜଣ ଗୁରୁତର ହୋଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri