Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଘାତକ ଭୂତାଣୁ ଇବୋଲା

ଘାତକ ଭୂତାଣୁ ଇବୋଲା

ମମାନଙ୍କୁ ଅନେକ ପ୍ରକାର ସଂକ୍ରମଣ ହୋଇଥାଏ। କେତେକ ସାମାନ୍ୟ କ୍ଷତିକାରକ ହୋଇଥିବା ବେଳେ ଆଉ କେତେକ ଗୁରୁତର ଓ ଅତ୍ୟନ୍ତ ଗୁରୁତର ହୋଇଥାଆନ୍ତି। ଜୀବାଣୁ, ପରଜୀବୀ, ଫଙ୍ଗସ୍‌, କୀଟାଣୁ ଓ ସବୁଠାରୁ ଅଧିକ ଭୂତାଣୁ ସଂକ୍ରମଣ ହୋଇଥାଏ। ଜୀବାଣୁ ଯେପରି ଗ୍ରାମ ପଜିଟିଭ, ଗ୍ରାମ ନେଗେଟିଭ ଅଟନ୍ତି; ଭୂତାଣୁ (ସବୁଠାରୁ କ୍ଷୁଦ୍ର ଜୀବ ନାନୋମିଟରରେ ମପାଯାଏ) ସେହିପରି ମୁଖ୍ୟତଃ ଡିଏନ୍‌ଏ କିମ୍ବା ଆରଏନ୍‌ଏରେ ହୋଇଥାଆନ୍ତି।

ଇବୋଲା ସେହିପରି ଏକ ଭୂତାଣୁ, ଯାହା ମଣିଷ ଓ କେତେକ ପ୍ରାଣୀଙ୍କୁ ଯଥା- ଫଳଭକ୍ଷୀ ବାଦୁଡ଼ି, ମାଙ୍କଡ଼ ଓ ଏପ୍‌ ପ୍ରଜାତି, ଆଣ୍ଟିଲୋପ୍‌ମାନଙ୍କୁ ସଂକ୍ରମିତ ହୋଇଥାଏ। ଏହା ଫାଇଲୋଭାଇରିଡି ଫ୍ୟାମିଲି, ଅର୍ଥୋଇବାଲୋ ସ୍ପେସସ୍‌ର ଚାରିଗୋଟି ପ୍ରକାର ଭୂତାଣୁ ଯଥା-ଯାଇରେ, ସୁଦାନ, ତାଇ ଜଙ୍ଗଲ ଓ ବୁଣ୍ଡିବ୍ୟୋଗୋ ଭୂତାଣୁ ଦ୍ୱାରା ହୋଇଥାଏ।
ଇବୋଲା ଭୂତାଣୁ ବାୟୁ ଦ୍ୱାରା ସଂକ୍ରମିତ ହୋଇ ନ ଥାଏ। ଶରୀରର ବିଭିନ୍ନ ତରଳ ପଦାର୍ଥ ମାଧ୍ୟମରେ ଏହା ବ୍ୟାପିଥାଏ। ଲାଳ, ଝାଳ, ଧାତୁ, ମଳ, ମୂତ୍ର, କ୍ଷୀର, ଗର୍ଭାଶୟ ଜଳ ସହ ଯୌନ ସମ୍ପର୍କ ଦ୍ୱାରା ହେଉଥିବା ବେଳେ ଡାକ୍ତରଖାନାର ବିଭିନ୍ନ ଯନ୍ତ୍ରପାତି ଓ ଶଲ୍ୟ ଚିକିତ୍ସା ଉପକରଣ ଦ୍ୱାରା ମଧ୍ୟ ବ୍ୟାପିଥାଏ। ଅନ୍ୟପକ୍ଷରେ ସଂକ୍ରମିତ ବ୍ୟକ୍ତିଙ୍କ ସହ ରହିବା ବା ତା' ନିକଟକୁ ଯିବାଆସିବା ଦ୍ୱାରା ହୁଏ। ସଂକ୍ରମଣର ଦୁଇ ଦିନଠାରୁ ତିନି ସପ୍ତାହ ମଧ୍ୟରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ।
ସାଧାରଣତଃ ଇବୋଲା ସଂକ୍ରମଣ ଆମ ଦେଶରେ ନାହିଁ। ମାତ୍ର ଅନ୍ୟ କେତେକ ଦେଶରେ ଏହା ଗୁରୁତର ହୋଇଛି ଏବଂ ସଂକ୍ରମିତ ରୋଗୀମାନଙ୍କ ମଧ୍ୟରୁ ମାତ୍ର ୫୦% ବା ଅଧା ଲୋକଙ୍କୁ ଚିକିତ୍ସା ଦ୍ୱାରା ବଞ୍ଚାଇ ଦିଆଯାଇପାରିଛି। ଏହା ଉପ-ସାହାରା ଆଫ୍ରିକୀୟ ଦେଶ କଙ୍ଗୋ, ସୁଦାନ ଇତ୍ୟାଦିରେ ହୋଇଥାଏ। ଏକଦା ଏହି ମହାମାରୀରେ ୨୯୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ଆମ ଦେଶ ଓ ରାଜ୍ୟରେ ଭୂତାଣୁଜନିତ ରୋଗ ନ ହେବା ପାଇଁ ନିଆଯାଉଥିବା ପଦକ୍ଷେପ 'ଇବୋଲା' ପାଇଁ ମଧ୍ୟ ପ୍ରତିଷେଧକ ଅଟେ।
ଲକ୍ଷଣ: ସାଧାରଣତଃ ଇବୋଲା ପୀଡ଼ିତ ବ୍ୟକ୍ତିମାନଙ୍କଠାରେ ନିମ୍ନଲିଖିତ ଲକ୍ଷଣ ପ୍ରକାଶ ପାଇଥାଏ। ପ୍ରାଥମିକ ଲକ୍ଷଣ ସ୍ବରୂପ ଜ୍ୱର, କମ୍ପ, ଅତ୍ୟନ୍ତ ଦୁର୍ବଳତା, ମାଂସପେଶୀୟ ଯନ୍ତ୍ରଣା, ଅତ୍ୟଧିକ ମୁଣ୍ଡବିନ୍ଧା ଓ ଗଳା ଦରଜ ହୋଇଥାଏ। ଏହି ସଂକ୍ରମଣ କ୍ରମଶଃ ଅଧିକ ହେଲେ ବାନ୍ତି, ପତଳା ଝାଡ଼ା, ଦେହସାରା ଲାଲ୍‌ ଲାଲ୍‌ ଫଳିଯିବା, କିଡ୍‌ନୀ ଏବଂ ଲିଭର କାର୍ଯ୍ୟହୀନତା, ବାହ୍ୟ ଓ ଆଭ୍ୟନ୍ତରୀଣ ରକ୍ତସ୍ରାବ ମଧ୍ୟ ହୋଇଥାଏ। ଏହା ଅନ୍ୟାନ୍ୟ ଭୂତାଣୁ ରୋଗ ଯଥା- ଡେଙ୍ଗୁ ପରି ହୋଇଥାଏ। ସ୍ଥଳ ବିଶେଷରେ ଗୁରୁତର ଅବସ୍ଥାରେ ଜୀବନହାନି ଘଟିଥାଏ।
ଏହାର ନିର୍ଣ୍ଣୟ ଲକ୍ଷଣରୁ ଅନ୍ୟମାନଙ୍କୁ ସଂକ୍ରମଣ ହେଉଥିଲେ ତାହା ଆଶଙ୍କା କରାଯାଇଥାଏ। ପିସିଆର୍‌ ପରୀକ୍ଷା ମଧ୍ୟ ଏଥିରେ ସାହାଯ୍ୟ କରିଥାଏ। ଏହାର ଚିକିତ୍ସା 'ବୋଙ୍ଗା' ନାମକ ମନୋକ୍ଲାନାଲ ଆଣ୍ଟିବଡି ଓ 'ଇନ୍‌ମାଜେବ' ନାମକ ତିନିଟିକିଆ ଆଣ୍ଟିବଡି ଦ୍ୱାରା ହୋଇଥାଏ। ଏହାସହିତ ସାଲାଇନ୍‌, ଅମ୍ଳଜାନ, ରକ୍ତଚାପ ବୃଦ୍ଧି ପାଇଁ ଔଷଧ ଓ ସ୍ଥଳ ବିଶେଷରେ ପାରାସିଟାମଲ ଓ ଭିଟାମିନ୍‌ର ଉପଯୋଗ କରାଯାଇଥାଏ।
ଏଥିଲାଗି 'ରେଭେବୋ' ନାମକ ଫଳପ୍ରଦ ଟିକା ମଧ୍ୟ ବାହାରିଛି। ମାତ୍ର ସ୍ବାସ୍ଥ୍ୟରକ୍ଷାର ସମସ୍ତ ପଦକ୍ଷେପ ଓ କୋଭିଡ୍‌ ବେଳର ସମସ୍ତ ସତର୍କତା ଏହା ପାଇଁ ମଧ୍ୟ ପ୍ରଯୁଜ୍ୟ। ଯଦିଓ ଏହା ଆମ ରାଜ୍ୟରେ ଓ ଦେଶରେ ହେବାର ଆଶଙ୍କା ଅତି କ୍ଷୀଣ, ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ।
ଡା. ରାମଚନ୍ଦ୍ର ରାଉତ
- ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର
ମୋ: ୮୨୪୯୦୮୭୯୯୫

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri