Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ସାନିଟାରୀୱେର୍ ବ୍ରାଣ୍ଡ 'ହିନ୍ଦୱେର୍' (Hindware) ଦ୍ୱାରା ଦାୟର କରାଯାଇଥିବା ଏହି ମାମଲାରେ କୋର୍ଟଙ୍କ ଏହି ନିଷ୍ପତ୍ତି ଭାରତରେ ଡିଜିଟାଲ୍ ବିଜ୍ଞାପନ ଦୁନିଆର ନିୟମକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ।

ଏହି ବିବାଦ ୨୦୧୩ ମସିହାରୁ ଆରମ୍ଭ ହୋଇଥିଲା। ହିନ୍ଦୱେର୍ କମ୍ପାନୀ ଅଭିଯୋଗ କରିଥିଲା ଯେ, ତାର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ (Grohe ଓ Cera) ଗୁଗଲ ଆଡ୍ସ (Google Ads) ଜରିଆରେ 'Hindware' ଶବ୍ଦକୁ ଏକ କୀୱର୍ଡ (Keyword) ଭାବେ କିଣିଥିଲେ। ଏହାଦ୍ୱାରା ଯେତେବେଳେ କୌଣସି ଗ୍ରାହକ ଗୁଗଲରେ 'Hindware' ସର୍ଚ୍ଚ କରୁଥିଲେ, ସେତେବେଳେ ସର୍ବପ୍ରଥମେ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀଗୁଡ଼ିକର ବିଜ୍ଞାପନ ଦେଖାଯାଉଥିଲା।

ହିନ୍ଦୱେର୍ର କହିବା କଥା ଥିଲା ଯେ, ଏହା ସେମାନଙ୍କର ପଞ୍ଜୀକୃତ ଟ୍ରେଡମାର୍କର ଅବୈଧ ବ୍ୟବହାର ଏବଂ ଏହା ଗ୍ରାହକମାନଙ୍କ ମନରେ ଭ୍ରମ ସୃଷ୍ଟି କରୁଛି। ପରବର୍ତ୍ତୀ ସମୟରେ ଅନ୍ୟ କମ୍ପାନୀଗୁଡ଼ିକ ସହ ବୁଝାମଣା ହୋଇଯାଇଥିଲେ ମଧ୍ୟ ଗୁଗଲ ବିରୋଧରେ ଆଇନଗତ ଲଢ଼େଇ ଜାରି ରହିଥିଲା, ଯେଉଁଥିରେ ଏବେ ଗୁଗଲର ପରାଜୟ ହୋଇଛି।

ଗୁଗଲ ନିଜର ବିଜ୍ଞାପନ ପ୍ଲାଟଫର୍ମ ଜରିଆରେ କମ୍ପାନୀଗୁଡ଼ିକୁ କିଛି ନିର୍ଦ୍ଦିଷ୍ଟ 'କୀୱର୍ଡ' କିଣିବାର ସୁବିଧା ଦେଇଥାଏ। ଯଦି କୌଣସି କମ୍ପାନୀ ନିଜର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀର ନାଁକୁ କୀୱର୍ଡ ଭାବେ କିଣିନିଏ, ତେବେ ସେହି ପ୍ରସିଦ୍ଧ ବ୍ରାଣ୍ଡକୁ ଖୋଜୁଥିବା ୟୁଜରଙ୍କୁ ଅନ୍ୟ କମ୍ପାନୀର ବିଜ୍ଞାପନ ସର୍ଚ୍ଚ ରେଜଲ୍ଟର ସବୁଠାରୁ ଉପରେ ଦେଖାଯାଏ।

ଗୁଗଲ କୋର୍ଟରେ ନିଜର ପକ୍ଷ ରଖି କହିଥିଲା ଯେ, କୀୱର୍ଡଗୁଡ଼ିକ କେବଳ ବ୍ୟାକଏଣ୍ଡ୍ (Backend System) ରେ ବ୍ୟବହାର ହୁଏ ଏବଂ ଏହାକୁ ୟୁଜର ସିଧାସଳଖ ଦେଖିପାରନ୍ତି ନାହିଁ। ତେଣୁ ଏହାକୁ ଟ୍ରେଡମାର୍କର ଉଲ୍ଲଂଘନ କୁହାଯାଇପାରିବ ନାହିଁ।

ତେବେ ଦିଲ୍ଲୀ ହାଇକୋର୍ଟ ଗୁଗଲର ଏହି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଗୁଗଲ ଅନ୍ୟ ବ୍ରାଣ୍ଡର ଲୋକପ୍ରିୟତା ଓ ପ୍ରତିଷ୍ଠାର ବ୍ୟବସାୟିକ ଫାଇଦା ଉଠାଉଛି। ଅନ୍ୟର ଟ୍ରେଡମାର୍କକୁ ନିଲାମ କରି ଗୁଗଲ ରୋଜଗାର କରୁଛି, ଯାହାକୁ କୋର୍ଟ 'ଫ୍ରି-ରାଇଡିଂ' (Free-riding) ବୋଲି ଅଭିହିତ କରିଛନ୍ତି।

ଗୁଗଲକୁ 'Hindware' ଏବଂ ତାହା ସହ ଜଡ଼ିତ ଶବ୍ଦଗୁଡ଼ିକୁ ବିଜ୍ଞାପନ କୀୱର୍ଡ ଭାବେ ବ୍ୟବହାର କରିବା ଉପରେ କୋର୍ଟ ସମ୍ପୂର୍ଣ୍ଣ ରୋକ ଲଗାଇଛନ୍ତି। ଏହି ନିଷ୍ପତ୍ତି କେବଳ ଏକ ଜରିମାନା ନୁହେଁ, ବରଂ ଭବିଷ୍ୟତରେ କୌଣସି କମ୍ପାନୀ ଅନ୍ୟ ଏକ ପ୍ରତିଦ୍ୱନ୍ଦ୍ୱୀ ବ୍ରାଣ୍ଡର ନାଁ ବ୍ୟବହାର କରି ଅନଲାଇନ୍ ବିଜ୍ଞାପନ ଚଲାଇବା କଷ୍ଟକର ହେବ। ଏହାଦ୍ୱାରା ଡିଜିଟାଲ୍ ଦୁନିଆରେ ବ୍ରାଣ୍ଡଗୁଡ଼ିକର ଟ୍ରେଡମାର୍କ ଅଧିକ ସୁରକ୍ଷିତ ରହିବ।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri