Dailyhunt
ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। ଏହା ରାଜସ୍ଥାନର ଲଗାତର ଦ୍ୱିତୀୟ ବିଜୟ ହୋଇଥିବା ବେଳେ ଗୁଜରାଟ ତା'ର ଦ୍ୱିତୀୟ ପରାଜୟବରଣ କରିଛି। ଏହି ମ୍ୟାଚ୍‌ ଜରିଆରେ ବିଷ୍ଣୋଇ ଟି୨୦ କ୍ରିକେଟରେ ୨୦୦ ଉଇକେଟ ପୂରଣ କରିଛନ୍ତି।

ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୧୦ ରନ କରିଥିଲା। ଦଳ ପାଇଁ ଧ୍ରୁବ ଜୁରେଲ ୪୨ ବଲରେ ସର୍ୱାଧିକ ୭୫ (୫ ଲେଖାଏ ଚୌକା ଓ ଛକା) ଓ ଯଶସ୍ୱି ଜୟସ୍ୱାଲ ୩୬ ବଲରେ ୫୫ (୬ ଚୌକା ଓ ୩ ଛକା) ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବୈଭବ ସୂର୍ଯ୍ୟବଂଶୀ ୧୮ ବଲରେ ୩୧ (୫ ଚୌକା ଓ ୧ ଛକା) ଓ ଶିମରନ ହେଟମାୟର ୧୮ (୧ ଚୌକା ଓ ୨ ଛକା) ରନ କରିଥିଲେ। ଜବାବରେ ଗୁଜରାଟକୁ ସାଇ ସୁଦର୍ଶନ ଓ କୁମାର କୁଶାଗ୍ର ଭଲ ଆରମ୍ଭ ଦେଇଥିଲେ। ଦୁହେଁ ୮ ଓଭରରେ ଦଳୀୟ ସ୍କୋରକୁ ୭୮ ରନରେ ପହଞ୍ଚିଥିଲେ। କୁଶାଗ୍ର ୧୮ (୩ ଚୌକା) ରନ କରି ପ୍ରଥମ ବ୍ୟାଟର ଭାବେ ଆଉଟ୍‌ ହୋଇଥିଲେ। ଏହିଠାରୁ ସୁଦର୍ଶନ ଓ ଜୋଶ ବଟଲର ଦଳୀୟ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ହେଲେ ଏହାପରେ ଦଳ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। ଏକଦା ୧୦୭/୧ ସ୍କୋର କରିଥିବା ଗୁଜରାଟ ପରବର୍ତ୍ତୀ ୫୪ ରନ ମଧ୍ୟରେ ୬ ଉଇକେଟ ହରାଇ ଦିଗହରା ହୋଇଯାଇଥିଲା। ସୁଦର୍ଶନ ୪୪ ବଲରେ ୭୩ (୯ ଚୌକା ଓ ୩ ଛକା), ଗ୍ଲେନ ଫିଲିପ୍ସ (୩), ଓ୍ୱାଶିଂଟନ ସୁନ୍ଦର (୪), ଜୋଶ ବଟଲର ୧୪ ବଲରେ ୨୬ (୫ ଚୌକା), ରାହୁଲ ତଓ୍ୱେଟିଆ (୧୨) ଆଉଟ୍‌ ହୋଇଥିଲେ।

କାମଚଳା ଅଧିନାୟକ ରଶିଦ ଖାନ ଓ ରାବାଡା ଅଷ୍ଟମ ଉଇକେଟରେ ୨୯ ବଲରେ ୪୩ ରନ ଯୋଡ଼ିଥିଲେ। ହେଲେ ତାହା ଦଳକୁ ଜିତାଇବା ପାଇଁ ଯଥେଷ୍ଟ ହୋଇ ନ ଥିଲା। ଗୁଜରାଟ ଶେଷ ପର୍ଯ୍ୟନ୍ତ ଖେଳିବା ସତ୍ତ୍ୱେ ୮ ଉଇକେଟ ହରାଇ ୨୦୪ ରନ କରିବାକୁ ସକ୍ଷମ ହୋଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri