Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହାଟଡିହୀରେ ଅଭାବନୀୟ ଚିତ୍ର: ଖଟିଆରେ ଭାଲିଆ ନାଳ ପାର ହେଲେ ରୋଗୀ, ରାସ୍ତା-ପୋଲ ନଥିବାରୁ ଦୁର୍ଦ୍ଦଶାରେ...

ହାଟଡିହୀରେ ଅଭାବନୀୟ ଚିତ୍ର: ଖଟିଆରେ ଭାଲିଆ ନାଳ ପାର ହେଲେ ରୋଗୀ, ରାସ୍ତା-ପୋଲ ନଥିବାରୁ ଦୁର୍ଦ୍ଦଶାରେ...

ହାଟଡିହୀ, ୪।୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କେ. ବାଲିପାଳ ପଞ୍ଚାୟତ ଅନ୍ତର୍ଗତ ମଲ୍ଲିପଶି ଗ୍ରାମକୁ ପକ୍କା ରାସ୍ତା ଏବଂ ନାଳ ଉପରେ ପୋଲ ନ ଥିବାରୁ ଗ୍ରାମବାସୀଙ୍କୁ କିଭଳି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ଗତ ସୋମବାର ବିଳମ୍ବିତ ରାତିରେ ଜଣେ ଅସୁସ୍ଥ ରୋଗୀଙ୍କୁ ଖଟିଆରେ ବୋହି ଭାଲିଆ ନାଳ ପାର କରାଯାଇଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ବିଭୀଷଣ ନାଏକ ଗତ ସୋମବାର ବିଳମ୍ବିତ ରାତିରେ ହଠାତ୍ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପରିବାରବର୍ଗ ତୁରନ୍ତ ଡାକବର୍ଷା କରି ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ମାତ୍ର ଗାଁକୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ ଏବଂ ମଝିରେ ଭାଲିଆ ନାଳ ରହିଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇପାରି ନଥିଲା। ଆମ୍ବୁଲାନ୍ସଟି ନାଳର ଅପର ପାର୍ଶ୍ୱରେ ଅଟକି ରହିଥିଲା। ବାଧ୍ୟହୋଇ ପରିବାର ଲୋକେ ଏବଂ ଗ୍ରାମବାସୀମାନେ ଅସୁସ୍ଥ ବିଭୀଷଣଙ୍କୁ ଏକ ଖଟିଆରେ ଶୁଆଇ ବିଳମ୍ବିତ ରାତିରେ ଅନ୍ଧାରରେ ହିଁ ଖଟିଆରେ ବୋହି ଭାଲିଆ ନାଳ ପାର କରାଇଥିଲେ।

ଏହାପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଏବଂ ସେଠାରୁ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ପରିବାର ପକ୍ଷରୁ କୁହାଯାଇଛି। ଗାଁକୁ ରାସ୍ତା ଓ ନାଳ ଉପରେ ପୋଲ ନଥିବାରୁ ଏଭଳି ଦୁଃଖ ଓ ଦୁର୍ଦ୍ଦଶା ସେମାନଙ୍କ ନିତିଦିନିଆ ସାଥୀ ପାଲଟିଥିବା ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଭାଲିଆ ନାଳ ଉପରେ ପୋଲ ନିର୍ମାଣ ପାଇଁ ସରକାରୀ ସ୍ତରରୁ ଅନୁଦାନ ମଞ୍ଜୁର ହୋଇଥିଲେ ମଧ୍ୟ ଜଙ୍ଗଲ ବିଭାଗର ଅନୁମତି ମିଳୁନଥିବାରୁ ପୋଲ ନିର୍ମାଣ କାର୍ଯ୍ୟ ଅଧାରୁ ଅଟକି ରହିଛି, ଯାହାକି ସାଧାରଣରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି। ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ରାସ୍ତା ଓ ପୋଲ ନିର୍ମାଣ ପଦକ୍ଷେପ ନେବାକୁ ଦାବି ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri