ନୂଆଦିଲ୍ଲୀ,୨୬ା୭ (ପି.ଟି.) ଏନ୍ଇଇଟି ପ୍ରଶ୍ନପତ୍ର ବିଭ୍ରାଟ ଓ ତାହାକୁ ନେଇ ଉପୁଜିଥିବା ଆନ୍ଦୋଳନ ଜୋରଦାର ହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କକ୍ରୋଚ ଜନତା ପାର୍ଟି (ସିଜେପି) ଜନ୍ତରମନ୍ତରରେ ଜୁନ୍ ୨୦ରୁ ଆନ୍ଦୋଳନ ଜାରି ରଖି ଧର୍ମେନ୍ଦ୍ରଙ୍କ ଇସ୍ତଫା ସହ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଓ ମୃତ ଏନ୍ଇଇଟି ପରୀକ୍ଷାର୍ଥୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଡ଼ି ବସିଥିଲା।
ଜୁଲାଇ ୨୦ରେ 'ଚଲୋ ସଂସଦ' ରାଲି ବେଳେ ଅନ୍ଦୋଳନକାରୀଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପରେ ଦେଶବ୍ୟାପୀ ପ୍ରତିବାଦ ଜୋର ଧରିଥିଲା। ଆନ୍ଦୋଳନକୁ ସମର୍ଥନ କରି ସାମାଜିକ କର୍ମୀ ସୋନମ ଓ୍ୱାଙ୍ଗ୍ଚୁକ୍ ୨୬ ଦିନ ଆମରଣ ଅନଶନ କରିବା ସରକାରଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଥିଲା। ଶେଷରେ ସରକାର ଚାପରେ ପଡ଼ି ସିଜେପିର ସମସ୍ତ ଦାବି ମାନି ନେବା ପରେ ଶନିବାର ଜନ୍ତରମନ୍ତରରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।
ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍କୁ ନେଇ ଚାପ ବଢ଼ିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଛନ୍ତି। ଧର୍ମେନ୍ଦ୍ରଙ୍କ ଇସ୍ତଫା କକ୍ରୋଚ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଦୀର୍ଘଦିନ ଧରି ଚାଲିଥିବା ଆନ୍ଦୋଳନର ମୁଖ୍ୟ ଦାବି ଥିଲା। ଏହି ଆନ୍ଦୋଳନ ଜାତୀୟ ରାଜଧାନୀରୁ ଆରମ୍ଭ ହୋଇ ଦେଶର ବିଭିନ୍ନ ଭାଗକୁ ବ୍ୟାପିବା ପରେ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି। ଧର୍ମେନ୍ଦ୍ରଙ୍କ ଇସ୍ତଫା ଛାତ୍ର ଆନ୍ଦୋଳନର ବଡ଼ ବିଜୟ। ଗଣତନ୍ତ୍ରର ବିଜୟ ହେଲା ବୋଲି ୨୬ ଦିନ ଅନଶନ ଚଳାଇଥିବା ଜଳବାୟୁ କର୍ମୀ ସୋନମ୍ ଓ୍ୱାଙ୍ଗ୍ଚୁକ୍ କହିଛନ୍ତି। ପରୀକ୍ଷା ଅନିୟମିତତା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଏବଂ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଦାବିରେ ସେ ଅନଶନରେ ବସିଥିଲେ।
ଧର୍ମେନ୍ଦ୍ର ତାଙ୍କ ଇସ୍ତଫା ସମ୍ପର୍କରେ କହିଛନ୍ତି, ଗତ ୧୦ ଦିନ ମଧ୍ୟରେ ହୋଇଥିବା ଅଗ୍ରଗତି ତାଙ୍କୁ ଗଭୀର ଭାବେ ବ୍ୟଥିତ କରିଥିଲା। ଏହା ବ୍ୟକ୍ତିଗତ ସମ୍ମାନର ପ୍ରସଙ୍ଗ ନ ଥିଲା। ଦେଶର ଅଖଣ୍ଡତା ଅକ୍ଷୁଣ୍ଣ ରହୁ, କୌଣସି ଜଣେ ବି ପିଲାଙ୍କ ଭବିଷ୍ୟତ ଆଇନଗତ ଜଟିଳତାରେ ନ ପଡ଼ି ସେମାନଙ୍କ କ୍ୟାରିୟର ଗଠନ ପାଇଁ ପାଠପଢ଼ାରେ ସମୟ ଦିଅନ୍ତୁ ଏବଂ ଦେଶବିରୋଧୀ ଶକ୍ତିଗୁଡ଼ିକ ସ୍ଥିତିର ଫାଇଦା ନ ଉଠାନ୍ତୁ ବୋଲି ସେ ଚାହିଁଥିଲେ। ଏହିସବୁ ବିଷୟକୁ ବିଚାରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପାଖକୁ ସେ ପଠାଇଥିବା ଇସ୍ତଫାପତ୍ର ଗୃହୀତ ହୋଇଛି। ଏହାପରେ ଖାଦ୍ୟ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଥିବା ପ୍ରହ୍ଲାଦ ଜୋଷୀଙ୍କୁ ଶିକ୍ଷାମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଧର୍ମେନ୍ଦ୍ରଙ୍କ ଇସ୍ତଫା ଗୃହୀତ ହେବା ସହ ଜୋଷୀଙ୍କ ନିଯୁକ୍ତି ସମ୍ପର୍କରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନକାଳ ମଧ୍ୟରେ ଜନ ବିବାଦକୁ ନେଇ ଇସ୍ତଫା ଦେବାରେ ଧର୍ମେନ୍ଦ୍ର ହେଉଛନ୍ତି ୨ୟ କେନ୍ଦ୍ରମନ୍ତ୍ରୀ। ୨୦୧୮ରେ ମିଠୂ ଆନ୍ଦୋଳନ ବେଳେ ତତ୍କାଳୀନ ବହିର୍ୱ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍.ଜେ. ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ସେ ଇସ୍ତଫା ଦେଇଥିଲେ। ପରୀକ୍ଷା ଅନିୟମିତତାକୁ ନେଇ ଚିନ୍ତା ଦୂର କରିବା ଦିଗରେ ପଦକ୍ଷେପ ନିଆଯିବା ବୋଲି କେନ୍ଦ୍ର ସରକାର ଶୁକ୍ରବାର ଘୋଷଣା କରିବାର ଦିନକ ପରେ ଧର୍ମେନ୍ଦ୍ର ଇସ୍ତଫା ଦେଇଛନ୍ତି। ଏଥିସହିତ ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ
ଇସ୍ତଫା ଦେଲେ…
ସରକାର ବିଲ୍ ଆଣିବାକୁ ଯାଉଛନ୍ତି। ପ୍ରଶ୍ନପତ୍ର ଲିକ୍ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରାଯିବା ସହ ତ୍ୱରିତ ବିଚାର ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବା ବ୍ୟବସ୍ଥା ପ୍ରସ୍ତାବିତ ଆଇନରେ ରହିବ।
ଆମ୍ ଆଦ୍ମୀ ପାର୍ଟିର ପୂର୍ୱତନ କାର୍ଯ୍ୟକର୍ତ୍ତା ଅଭିଜିତ୍ ଦୀପ୍କେ ଗତ ମେ'ରେ କକ୍ରୋଚ ଜନତା ପାର୍ଟି ନାମରେ ଏକ ବ୍ୟଙ୍ଗାତ୍ମକ ଅନ୍ଲାଇନ ଅଭିଯାନ ଆରମ୍ଭ କରିଥିଲେ, ଯାହା ପ୍ରଶ୍ନପତ୍ର ଲିକ୍ ବିରୋଧୀ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲା। ଧର୍ମେନ୍ଦ୍ରଙ୍କ ଇସ୍ତଫାକୁ ପ୍ରଶଂସା କରି ଗଣତନ୍ତ୍ରର ବିଜୟ ହେଲା ବୋଲି ଦୀପ୍କେ ଯନ୍ତରମନ୍ତର ବିକ୍ଷୋଭ ସ୍ଥଳରୁ ଘୋଷଣା କରିଛନ୍ତି। ଅନ୍ୟ ୨ଟି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି। ସିଜେପିର ଅନ୍ୟ ୨ଟି ଦାବି ହେଲା ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ପରେ ନିରାଶ ହୋଇ ଆତ୍ମହତ୍ୟା କରିଥିବା ଛାତ୍ରୀଛାତ୍ରଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ ଏବଂ ଗତ ୨୦ ତାରିଖ ଚଲୋ ସଂସଦ ଅଭିଯାନ ବେଳେ ଛାତ୍ରୀଛାତ୍ରଙ୍କ ଉପରେ ଦମନଲୀଳା ଚଳାଇଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ସୂଚନାଯୋଗ୍ୟ, ୨୦ ତାରିଖରେ ସଂସଦ ଭବନ ଅଭିମୁଖେ ପଦଯାତ୍ରା ଆନ୍ଦୋଳନକୁ ନୂଆ ମୋଡ଼ ଦେଇଥିଲା। ଏଥିରେ ଅନେକ ହଜାର ଛାତ୍ରୀଛାତ୍ର ଓ ଯୁବବର୍ଗ ସାମିଲ ହୋଇଥିଲେ। ଅସରପା ସହ ପଙ୍ଗା ନିଅନାହିଁ ବୋଲି ଦୀପ୍କେ କହିଛନ୍ତି।
ଚଲୋ ସଂସଦ ଅଭିଯାନ ଫଳରେ ଗତ ୨୦ ତାରିଖରେ ସରକାର ସିଜେପି ନେତୃତ୍ୱ ସହ ପ୍ରଥମେ ଆଲୋଚନା କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ବାସଭବନରେ ଆଲୋଚନା ହୋଇଥିଲା। ଏଥିସହିତ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଓ୍ୱାଙ୍ଗ୍ଚୁକ୍ଙ୍କ ସହ ସରକାର କଥା ହୋଇଥିଲେ। ଓ୍ୱାଙ୍ଗ୍ଚୁକ୍ ସିଜେପି ନେତୃତ୍ୱାଧୀନ ଆନ୍ଦୋଳନକୁ ସମର୍ଥନ କରି ଜୁନ୍ ୨୮ରୁ ଅନଶନରେ ବସିଥିଲେ। ତାଙ୍କ ସହ ଏଆଇଏସ୍ଏର ୬ ଜଣ କର୍ମୀ ଅନଶନରେ ସାମିଲ ହେବା ପରେ ଆନ୍ଦୋଳନକୁ ନୂଆ ଗତି ଦେବା ସହ ଦାବିକୁ ଜୋର୍ଦାର କରିଥିଲା। ଗତ ଗୁରୁବାର ରାତିରେ ଓ୍ୱାଙ୍ଗ୍ଚୁକ୍ ଅନଶନ ଭାଙ୍ଗିଥିଲେ। ସିଜେପିର ଦାବିକୁ ମାନି ଶୁକ୍ରବାର କନ୍ଷ୍ଟିଚ୍ୟୁଶନ କ୍ଲବ୍ରେ ଏହାର ପ୍ରତିନିଧିଙ୍କ ସହ ସରକାର ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା କରିଥିଲେ ଓ ଧର୍ମେନ୍ଦ୍ରଙ୍କ ଇସ୍ତଫା ସମ୍ପର୍କରେ ଦିନକ ପରେ ନିଷ୍ପତ୍ତି ନେବେ ବୋଲି କହିଥିଲେ। ଅବଶିଷ୍ଟ ଦାବି ପାଇଁ ଶନିବାର ଆଉ ଏକ ପର୍ଯ୍ୟାୟ ଆଲୋଚନା ହୋଇଛି।
ଓ୍ୱାଙ୍ଗ୍ଚୁକ୍ଙ୍କୁ ଗତ ୧୮ ତାରିଖରେ ଦିଲ୍ଲୀ ପୋଲିସ ଯନ୍ତରମନ୍ତର ଅନଶନ ସ୍ଥଳରୁ ଉଠାଇ ନେଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଧର୍ମେନ୍ଦ୍ରଙ୍କ ଇସ୍ତଫାକୁ ଓ୍ୱାଙ୍ଗ୍ଚୁକ୍ ଗଣତନ୍ତ୍ରର ବିଜୟ ଏବଂ ଶାନ୍ତି, ଧୈର୍ଯ୍ୟ ଓ ଅଧ୍ୟବସାୟର ବିଜୟ ବୋଲି କହିଛନ୍ତି। ସେ ସିଜେପି, ଜେନ୍ ଜି ଏବଂ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିରୋଧୀ ଦଳ ମଧ୍ୟ ଘଟଣାର ଶ୍ରେୟ ଦାବି କରିଛି। ପ୍ରଶ୍ନପତ୍ର ଘଟଣା ପଦାକୁ ଆସିବା ଦିନରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଆସିଥିଲା ବୋଲି ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିବା ସହ ଏହା ଲୋକଙ୍କ ବିଜୟ ବୋଲି ମତ ଦେଇଛନ୍ତି।

