Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜଳବାୟୁ ସଙ୍କଟର ସଙ୍କେତ ପାଲଟିଛି ପଫିନ ପକ୍ଷୀ

ଜଳବାୟୁ ସଙ୍କଟର ସଙ୍କେତ ପାଲଟିଛି ପଫିନ ପକ୍ଷୀ

ଆଇସଲାଣ୍ଡ, ୧୮ା୧୦: ବିଶ୍ୱ ଜଳବାୟୁ ପରିବର୍ତ୍ତନର ସବୁଠାରୁ ଭୟଙ୍କର ପ୍ରଭାବ ଏବେ ସୁଦୂର ସମୁଦ୍ରର ସବୁଠାରୁ ଆକର୍ଷଣୀୟ ଓ ରଙ୍ଗିନ ପକ୍ଷୀ 'ଆଟ୍‌ଲାଣ୍ଟିକ ପଫିନ' ଉପରେ ଦେଖିବାକୁ ମିଳିଛି। ଯଦି ବିଶ୍ୱ ତାପମାତ୍ରା ଏବଂ ଅଙ୍ଗାରକାମ୍ଳ ନିର୍ଗମନ ଏହିଭଳି ଭାବେ ଅନିୟନ୍ତ୍ରିତ ହୋଇ ବଢ଼ି ଚାଲେ, ତେବେ ୨୦୫୦ ସୁଦ୍ଧା ବ୍ରିଟେନ ଏବଂ ଆୟରଲ୍ୟାଣ୍ଡରେ ପଫିନ ପକ୍ଷୀଙ୍କ ସଂଖ୍ୟା ପ୍ରାୟ ୮୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇପାରେ।

ବିଶ୍ୱର ପ୍ରାୟ ୧୧,୦୦୦ ପକ୍ଷୀ ପ୍ରଜାତି ଜଳବାୟୁ ସଙ୍କଟର ସାମ୍ନା କରୁଥିବା ବେଳେ ସାମୁଦ୍ରିକ ପକ୍ଷୀମାନଙ୍କ ଉପରେ ଏହାର ପ୍ରଭାବ ସବୁଠାରୁ ଭୟଙ୍କର ହୋଇଛି। ଗବେଷକଙ୍କ ମତରେ ୨୦୫୦ ସୁଦ୍ଧା ବିଶ୍ୱରୁ ପ୍ରାୟ ୧୦ ରୁ ୯ ପଫିନ ବିଲୁପ୍ତ ହୋଇଯିବାର ଆଶଙ୍କା ରହିଛି।ଚ ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ରର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ପଫିନମାନଙ୍କର ମୁଖ୍ୟ ଖାଦ୍ୟ 'ସାଣ୍ଡ ଇଲ' ଭଳି ମାଛମାନେ ପ୍ରଜନନ କ୍ଷେତ୍ର ଛାଡ଼ି ଶୀତଳ ଜଳ ଅଭିମୁଖେ ଚାଲିଯାଉଛନ୍ତି। ଖାଦ୍ୟ ଅନ୍ୱେଷଣରେ ପଫିନମାନଙ୍କୁ ବହୁ ଦୂରକୁ ଯିବାକୁ ପଡ଼ୁଛି, ଯାହା ସେମାନଙ୍କ ଛୁଆମାନଙ୍କ ବଞ୍ଚିବା ସମ୍ଭାବନାକୁ ହ୍ରାସ କରୁଛି। କେବଳ ସେତିକି ନୁହେଁ, ସମୁଦ୍ରରେ ବାରମ୍ୱାର ଆସୁଥିବା ଭୟଙ୍କର ବାତ୍ୟା ଯୋଗୁ ବିଗତ ଶୀତଦିନେ ପ୍ରାୟ ୨୦,୦୦୦ ରୁ ଅଧିକ ସାମୁଦ୍ରିକ ପକ୍ଷୀ (ଯେଉଁଥିରେ ଅଧିକାଂଶ ପଫିନ) ଫ୍ରାନ୍ସ, ସ୍ପେନ, ପର୍ତ୍ତୁଗାଲ, କର୍ନୱାଲ ଓ ସ୍କଟଲାଣ୍ଡର ଉପକୂଳରେ ମୃତ ଅବସ୍ଥାରେ ମିଳିଛନ୍ତି। ଆର୍‌ଏସପିବିର ବରିଷ୍ଠ ସାମୁଦ୍ରିକ ଅଧିକାରୀ ସାମୁଏଲ ରୋବେଲ ଏହାକୁ ବିଗତ ଏକ ଦଶନ୍ଧି ମଧ୍ୟରେ ସବୁଠାରୁ ବଡ଼ 'ସୀବର୍ଡ ରେକ' ବୋଲି କହିଛନ୍ତି। ଏହା ବ୍ୟତୀତ ସମୁଦ୍ରରେ ତେଲ ଓ ପ୍ଲାଷ୍ଟିକ ପ୍ରଦୂଷଣ ମଧ୍ୟ ଏହି ସଙ୍କଟକୁ ଦ୍ୱିଗୁଣିତ କରୁଛି। ନିଜ ଜନ୍ମଭୂମି ପ୍ରତି ଥିବା ଅହେତୁକ ମୋହ ଯୋଗୁ ପଫିନମାନେ ପରିବେଶ ଖରାପ ହେଲେ ମଧ୍ୟ ପ୍ରତିବର୍ଷ ସେହି ସମାନ ଦ୍ୱୀପକୁ ଫେରିଥାନ୍ତି, ଯାହା ସେମାନଙ୍କ ବିଲୁପ୍ତିର କାରଣ ସାଜୁଛି।
ବଡ଼ ସଙ୍କଟ ଭିତୋ ମଧ୍ୟ କେତେକ ଆଶାବାଦୀ ଦିଗ ସାମ୍ନାକୁ ଆସିଛି। ସ୍କଟଲାଣ୍ଡ ଏବଂ ଇଂଲଣ୍ଡର ଆଖପାଖ ସମୁଦ୍ରରେ ବ୍ୟବସାୟିକ ଭାବେ ସାଣ୍ଡ ଇଲ ମାଛ ଧରିବା ଉପରେ ସମ୍ପୂର୍ଣ୍ଣ ଆଇନଗତ ପ୍ରତିବନ୍ଧକ ଲଗାଯାଇଛି, ଫଳରେ ପଫିନଙ୍କ ପାଇଁ ପ୍ରାକୃତିକ ଖାଦ୍ୟ ସୁରକ୍ଷିତ ରହିପାରିବ। ଏହା ବ୍ୟତୀତ ବୈଜ୍ଞାନିକମାନଙ୍କର ଆଧୁନିକ 'ଜିଓଲୋକେସନ ଟେକ୍ନୋଲୋଜି' ଏବଂ ସାଟେଲାଇଟ ଟ୍ରାକିଂ ବେଶ ସଫଳ ସାବ୍ୟସ୍ତ ହୋଇଛି। ଏହା ସାହାଯ୍ୟରେ ପକ୍ଷୀମାନେ ପ୍ରଜନନ ଋତୁ ବାହାରେ ସମୁଦ୍ରର କେଉଁ କେଉଁ ଅଞ୍ଚଳରେ ରହୁଛନ୍ତି ତାହା ଠିକ ଭାବେ ଜଣାପଡ଼ୁଛି। ଏହି ତଥ୍ୟ ଆଧାରରେ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଅଞ୍ଚଳକୁ 'ସାମୁଦ୍ରିକ ସୁରକ୍ଷିତ ଅଞ୍ଚଳ' ଭାବେ ଘୋଷଣା କରାଯାଉଛି। ପଫିନ ପକ୍ଷୀ ଅନେକ ଦଶନ୍ଧି ବଞ୍ଚିପାରନ୍ତି ଏବଂ ପ୍ରତିରୋଧ କ୍ଷମତା ଯୋଗୁ ଯଦି ଆମେ ମାନବୀୟ ଚାପକୁ କମାଇ ପାରିବା, ତେବେ ସେମାନେ ଖୁବ ଶୀଘ୍ର ନିଜର ବଂଶ ସଂଖ୍ୟା ଫେରିପାଇବେ ବୋଲି ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି। ପରିବେଶବିତମାନଙ୍କ ମତରେ, ପଫିନ ପକ୍ଷୀ କେବଳ ଏକ ସାମୁଦ୍ରିକ ଜୀବ ନୁହେଁ, ବରଂ ଆମ ସାମୁଦ୍ରିକ ପରିସଂସ୍ଥାର ସ୍ୱାସ୍ଥ୍ୟର ପ୍ରତିଫଳନ। ସେମାନଙ୍କୁ ସୁରକ୍ଷିତ ରଖିବା ଏକ ସୁସ୍ଥ ପୃଥିବୀ ଏବଂ ଆମ ନିଜର ଭବିଷ୍ୟତ ପାଇଁ ଅତ୍ୟନ୍ତ ଜରୁରୀ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri