Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜାପାନ ସହଯୋଗରେ ଓଡ଼ିଶାରେ ହେବ ୩ ପ୍ରକଳ୍ପ: ୭,୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି

ଜାପାନ ସହଯୋଗରେ ଓଡ଼ିଶାରେ ହେବ ୩ ପ୍ରକଳ୍ପ: ୭,୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି

ଭୁବନେଶ୍ୱର,୪।୭(ସୁନିତ୍‌ ମିଶ୍ର):ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ଏବେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି(ଗ୍ରୀନ୍‌ ଇକୋନୋମି) ଦ୍ୱାରା ପରିଚାଳିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସ୍ଥାନୀୟ ଲୋକସେବା ଭବନ କନ୍‌ଭେନସନ ସେଣ୍ଟରଠାରେ ଶୁକ୍ରବାର ଆୟୋଜିତ କାର୍ଯ୍ୟକ୍ରମରେ ଜାପାନର ବିଜ୍‌ନେସ୍‌ ପ୍ରତିନିଧିମାନଙ୍କ ସହ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପୁଞ୍ଜିନିବେଶ ସମ୍ପର୍କରେ ବିଶେଷକରି ସବୁଜ ଅର୍ଥନୀତିର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି।

ଜାପାନୀ ଶିଳ୍ପ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀଙ୍କ ସହ କଥାବାର୍ତ୍ତା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଧୁନିକ ପ୍ରଯୁକ୍ତି ପ୍ରୟୋଗରେ ଓଡ଼ିଶାକୁ ଏକ 'ଗ୍ଲୋବାଲ ଗ୍ରୀନ୍‌ ହବ୍‌'ରେ ପରିଣତ କରାଯିବ। ରାଜ୍ୟ ସରକାର ଏସିଏମ୍‌ଇ ଗ୍ରୁପ୍‌ ଓ ଆଇଏଚ୍‌ଆଇ କର୍ପୋରେଶନ ସହ ଏକ ସହଯୋଗପତ୍ର ବା ମେମୋରାଣ୍ଡମ ଅଫ୍‌ କୋଅପ୍‌ରେଶନ (ଏମ୍‌ଓସି) ସ୍ବାକ୍ଷର କରିଛନ୍ତି। ଏହାଦ୍ୱାରା ୨ଟି କମ୍ପାନୀ ଓଡ଼ିଶାରେ ସ୍ବଚ୍ଛ ଶକ୍ତି ଏବଂ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପରେ ବ୍ୟାପକ ରୂପରେ ନିବେଶକରିବା ପାଇଁ ଉଦ୍ୟମ କରିବେ। ଏହି ସହଯୋଗ ଦ୍ୱାରା ୨ କମ୍ପାନୀ ଏସିଏମ୍‌ଇ ଓ ଆଇଏଚ୍‌ଆଇ ଓଡ଼ିଶାରେ ୩ଟି ପ୍ରକଳ୍ପ ସ୍ଥାପନକରିବା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ଏହାର ସମୁଦାୟ ନିବେଶ ମୂଲ୍ୟ ପ୍ରାୟ ୬୭,୦୦୦ କୋଟି ଟଙ୍କା ଏବଂ ଏହାଦ୍ୱାରା ୭,୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଏସିଏମ୍‌ଇ ଓ ଆଇଏଚ୍‌ଆଇ କମ୍ପାନୀ ଓଡ଼ିଶାର ଗୋପାଳପୁରଠାରେ ୦.୪ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ଗ୍ରୀନ୍‌ ଆମୋନିଆ ପ୍ରକଳ୍ପରେ ୨୦ ହଜାର କୋଟି ଟଙ୍କା ନିବେଶ ହେବ ଏବଂ ଏହାଦ୍ୱାରା ୩୪୦୦ ନିଯୁକ୍ତି ସୃଷ୍ଟି ହେବ। ଏହା ସହ ଉକ୍ତ ପ୍ରକଳ୍ପରେ ଅତିରିକ୍ତ ହଜାରେ କୋଟି ଟଙ୍କା ନିବେଶରେ ଏକ ଜେଟି ବିହୀନ ଫ୍ଲୋଟିଂ ଟର୍ମିନାଲ ଭିତ୍ତିଭୂମି ସୃଷ୍ଟି କରାଯିବ। ଏହାସହ ପାରାଦୀପରେ ୩୪ ହଜାର କୋଟି ଟଙ୍କା ବିନିଯୋଗରେ ୦.୮ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ଏକ ଗ୍ରୀନ୍‌ ଆମୋନିଆ ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ୩୬୦୦ ନିଯୁକ୍ତି ସୃଷ୍ଟି ହେବ। ସେହିପରି ୧୨୦୦୦ କୋଟି ଟଙ୍କା ବିନିଯୋଗରେ ପାରାଦୀପରେ ୦.୧ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ଏକ ଗ୍ରୀନ୍‌ ମିଥାନଲ୍‌ ପ୍ରକଳ୍ପ କରାଯିବ। ଏହାଦ୍ୱାରା ୬୦୦ ନିଯୁକ୍ତି ସୃଷ୍ଟିହେବ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧୨ଟି ପ୍ରମୁଖ ଗ୍ରୀନ୍‌ ହାଇଡ୍ରୋଜେନ ଏବଂ ଗ୍ରୀନ୍‌ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରୀ ଦେଇସାରିଛି। ଏହାଦ୍ୱାରା ରାଜ୍ୟକୁ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ଆସିବା ସହ ୩୬ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ପାରାଦୀପ, କେନ୍ଦ୍ରାପଡ଼ା ଏବଂ ଗୋପାଳପୁରକୁ ନେଇ ୨ଟି ସବୁଜ ଶିଳ୍ପ କରିଡର ବିକାଶ କରାଯାଉଛି, ଯାହା ଭାରତର ଇସ୍ପାତ ରାଜଧାନୀ ଓଡ଼ିଶାକୁ ଗ୍ରୀନ୍‌ ଷ୍ଟିଲ୍‌ ଉତ୍ପାଦନରେ ବିଶ୍ୱସ୍ତରୀୟ ଅଗ୍ରଣୀ କରାଇବ। ଏହି କାର୍ଯ୍ୟକ୍ରମରେ ଏସିଏମ୍‌ଇ, ଆଇଏଚ୍‌ଆଇ ଓ ମିତ୍‌ସୁବିସି ଆଦି ଅନ୍ତର୍ଜାତୀୟ ସ୍ତରର କମ୍ପାନୀର ପ୍ରତିନିଧିମାନେ ଯୋଗଦେଇଛନ୍ତି। ଗତ ଦେଢ ବର୍ଷ ମଧ୍ୟରେ ଓଡ଼ିଶା ସରକାର ୧୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ରାଜ୍ୟର ୨୯ ଜିଲାରେ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ବିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଆଗାମୀ କିଛିଦିନ ମଧ୍ୟରେ ରାଜ୍ୟର ସବୁ ଜିଲାରେ ଉଦ୍ୟୋଗ ପ୍ରତିଷ୍ଠା କରାଯାଇ ସମାବେଶୀ ଶିଳ୍ପାୟନ ଲକ୍ଷ୍ୟ ହାସଲ କରାଯିବ। ଏହି ଆଲୋଚନାରେ ଆଇଏଚ୍‌ଆଇ କର୍ପୋରେଶନର ପ୍ରେସିଡେଣ୍ଟ ଓ ସିଇଓ ହିରୋଶି ଲେଡ୍‌ ଓଡ଼ିଶାର ସବୁଜ ଶକ୍ତି ନୀତି ଏବଂ ପୁଞ୍ଜିନିବେଶ ପରିବେଶକୁ ପ୍ରଶଂସାକରି କହିଛନ୍ତି, ଏଠାର ଶକ୍ତିକ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ସହଯୋଗ ଓ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ଶକ୍ତିନୀତି ବେଶ୍‌ ପ୍ରଶଂସନୀୟ। ଏସିଏମ୍‌ଇ ଗ୍ରୁପ୍‌ର ଚେୟାରମ୍ୟାନ ତଥା ମ୍ୟାନେଜିଂ ଡିରେକ୍ଟର ମନୋଜ କୁମାର ଉପାଧ୍ୟାୟ ଓଡ଼ିଶାର ଶିଳ୍ପାନୁକୂଳ ପରିବେଶକୁ ପୁଞ୍ଜିନିବେଶରେ ଶ୍ରେଷ୍ଠ ଗନ୍ତବ୍ୟସ୍ଥଳ ବୋଲି କହିଛନ୍ତି। ଏହି ଅବସରରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଇପିକଲ୍‌ ପରିଚାଳନା ନିର୍ଦ୍ଦେଶକ ଆବୋଲି ସୁନୀଲ ନରଓ୍ବଣେ ଆଲୋଚନା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri