Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଚେତାବନୀ, କହିଲେ ଆଗକୁ ବିପଦ!

କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଚେତାବନୀ, କହିଲେ ଆଗକୁ ବିପଦ!

ନୂଆଦିଲ୍ଲୀ, ୨୫।୧୦: ଭାରତର ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ଆନ୍ଦୋଳନ ଏବଂ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ରୋକିବା ଉଚିତ ନୁହେଁ। ଆନ୍ଦୋଳନକାରୀଙ୍କ ସ୍ବରକୁ ଦବାଇବା ପରିବର୍ତ୍ତେ କେନ୍ଦ୍ର ସରକାର ସେମାନଙ୍କ କଥା ଶୁଣିବା ଆବଶ୍ୟକ।

କାରଣ ଆନ୍ଦୋଳନ ସରକାରଙ୍କ ପାଇଁ ଫିଡ୍‌ବ୍ୟାକ ବା ମତାମତ ଭଳି କାମ କରିଥାଏ ଏବଂ ଉନ୍ନତ ଢଙ୍ଗରେ କାର୍ଯ୍ୟ କରିବାକୁ ସରକାରଙ୍କୁ ପ୍ରେରଣା ଦେଇଥାଏ। କିନ୍ତୁ ଯଦି ଆନ୍ଦୋଳନକୁ ଦମନ କରାଯାଏ, ତେବେ ଭାରତରେ ମଧ୍ୟ ନେପାଳ, ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।

ମୁମ୍ବାଇରେ ଆୟୋଜିତ ଆଇପିଏଫ (IPF) ଫେଷ୍ଟିଭାଲ୍ରେ ଉଦ୍ବୋଧନ ଦେଇ ୱାଙ୍ଗଚୁକ କହିଛନ୍ତି, ଗଣତାନ୍ତ୍ରିକ ଦେଶରେ ଲୋକଙ୍କୁ ନିଜ ମତ ରଖିବାର ସୁଯୋଗ ନମିଳିଲେ କିମ୍ବା ସେମାନଙ୍କ କଥା ଶୁଣା ନଗଲେ, ଲୋକେ ଉତ୍ତ୍ୟକ୍ତ ହୋଇପାରନ୍ତି। ଏହାର ପରିଣାମ କେନ୍ଦ୍ର ସରକାରଙ୍କୁ ଭୋଗିବାକୁ ପଡ଼ିପାରେ।

ବ୍ରିଟେନ, ନରୱେ ଓ ସ୍ବିଡେନ ଭଳି ଦେଶରେ ଲୋକଙ୍କୁ ସଂସଦ ବାହାରେ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଏ। ସରକାରଙ୍କ କାର୍ଯ୍ୟାଳୟ ନିକଟରେ ଆନ୍ଦୋଳନ ହେଲେ ସରକାରଙ୍କ ଉପରେ ଚାପ ସୃଷ୍ଟି ହୁଏ ଏବଂ ଏହା ସରକାରଙ୍କ କାର୍ଯ୍ୟଦକ୍ଷତା ବଢ଼ାଇଥାଏ। କିନ୍ତୁ ଭାରତରେ ଆନ୍ଦୋଳନ ପାଇଁ ସ୍ଥାନ ଏତେ ଦୂରରେ ରଖାଯାଇଛି ଯେ ଲୋକଙ୍କ ସୱର ସରକାରଙ୍କ ପାଖରେ ପହଞ୍ଚିପାରୁ ନାହିଁ ବୋଲି ସେ ମତ ଦେଇଛନ୍ତି।

ୱାଙ୍ଗଚୁକ କହିଛନ୍ତି, ଦିଲ୍ଲୀରେ ସଂସଦଠାରୁ ଜନ୍ତର ମନ୍ତର ଯଦି ଏତେ ଦୂରରେ ରହିଛି, ତେବେ ରାମଲୀଳା ମୈଦାନ ଓ ବୁରାଡ଼ି ମୈଦାନ କେତେ ଦୂରରେ ଥିବ, ତାହା ସହଜରେ ଅନୁମାନ କରାଯାଇପାରିବ। ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହେବା ଉଚିତ, କିନ୍ତୁ ଏହା ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାର ଏକ ମାଧ୍ୟମ। ଏହା ସରକାରଙ୍କ କାର୍ଯ୍ୟର ମୂଲ୍ୟାଙ୍କନ ପାଇଁ ମଧ୍ୟ ଏକ ଫିଡ୍ବ୍ୟାକ ଭଳି କାମ କରେ।

ଆନ୍ଦୋଳନ ମାଧ୍ୟମରେ ଦେଶର ଲୋକେ କେଉଁ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି, ତାହା ସରକାର ଜାଣିପାରିବେ। ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ସରକାର ଅବଗତ ହେଲେ ହିଁ ସେମାନଙ୍କ ପାଇଁ କାମ କରିବାର ପ୍ରକୃତ ଅର୍ଥ ରହିଛି। ଲୋକେ ସମସ୍ୟାରେ ଥିଲେ ଏବଂ ସରକାର ସେମାନଙ୍କ କଥା ଶୁଣୁ ନଥିଲେ। ଏହି କାରଣରୁ ନେପାଳ ଓ ବାଂଲାଦେଶରେ ସରକାରଙ୍କୁ ଏତେ ବଡ଼ ଧରଣର କ୍ଷମତାଚ୍ୟୁତ ହେବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି।

ସୋନମ ୱାଙ୍ଗଚୁକ ଆହୁରି କହିଛନ୍ତି, ଆନ୍ଦୋଳନ କରିବା ପାଇଁ ଅନୁମତି ନେବାର ଆବଶ୍ୟକତା ରହିବା ଉଚିତ ନୁହେଁ। ବରଂ ସହରରେ କେଉଁ କାର୍ଯ୍ୟକ୍ରମ କେଉଁଠାରେ ହେଉଛି, ସେ ସମ୍ପର୍କରେ ସରକାର ଓ ପୋଲିସ ଅବଗତ ରହିବା ଯଥେଷ୍ଟ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ଭାରତୀୟ ନାଗରିକଙ୍କ ସାମ୍ବିଧାନିକ ଅଧିକାର। ଯଦି ସରକାର ନିଜେ ଲୋକଙ୍କ ସାମ୍ବିଧାନିକ ଅଧିକାର ଛଡ଼ାଇ ନିଅନ୍ତି, ତେବେ ଏହାର କ୍ଷତି ସରକାରଙ୍କୁ ହିଁ ସହିବାକୁ ପଡ଼ିବ।

ଆନ୍ଦୋଳନକୁ ରୋକିବା ପାଇଁ ପୋଲିସ ଓ ଅର୍ଦ୍ଧସାମରିକ ବଳକୁ ନିୟୋଜିତ କରିବା ପରିବର୍ତ୍ତେ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ମୁତୟନ କରାଯିବା ଉଚିତ ବୋଲି ସେ ମତ ଦେଇଛନ୍ତି। ସୁରକ୍ଷା ବଳର ସବୁଠାରୁ ଅଧିକ ଆବଶ୍ୟକତା ସୀମାରେ ରହିଛି। କାରଣ ଶୀତ ଋତୁରେ ଚାଇନା ଓ ପାକିସ୍ତାନ ପକ୍ଷରୁ ଅନୁପ୍ରବେଶର ଆଶଙ୍କା ରହିଥାଏ ବୋଲି ୱାଙ୍ଗଚୁକ କହିଛନ୍ତି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri