Dailyhunt
ଖେଳ ପାଇଁ ଜୈବ-ସୁରକ୍ଷିତ ବାତାବରଣ ଅବାସ୍ତବ: ଡ୍ରାଭିଡ୍‌

ଖେଳ ପାଇଁ ଜୈବ-ସୁରକ୍ଷିତ ବାତାବରଣ ଅବାସ୍ତବ: ଡ୍ରାଭିଡ୍‌

ନୂଆଦିଲ୍ଲୀ,୨୬।୫ (ପି.ଟି.): ଏବେକାର କୋଭିଡ୍‌-୧୯ ମହାମାରୀ ପରିସ୍ଥିତିରେ ଜୈବ- ସୁରକ୍ଷିତ ବାତାବରଣରେ କ୍ରିକେଟ ଆରମ୍ଭ କରିବାର ଅଭିଳାଷ ନିହାତି ଅବାସ୍ତବ। ଏକଥା କହିଛନ୍ତି ଭାରତୀୟ ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ। ଏହି କ୍ରମରେ ସେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଦ୍ୱାରା ଆରମ୍ଭ କରାଯାଇଥିବା କ୍ରିକେଟ ପ୍ରକ୍ରିୟାକୁ ସେ ନାପସନ୍ଦ କରିଛନ୍ତି।
କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଇସିବି ପାକିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜ ଜୈବ- ସୁରକ୍ଷିତ ବାତାବରଣରେ ଆୟୋଜନ କରିବାକୁ ଘୋଷଣା କରିଛି। ତେବେ ଡ୍ରାଭିଡ୍‌ ଇସିବିର ଏହି ନିଷ୍ପତ୍ତି ଠିକ୍‌ ନୁହେଁ।

ବର୍ତ୍ତମାନର ପରିସ୍ଥିତିରେ ଏଭଳି ଅଭିଳାଷ ପୋଷଣ କରିବା ନିହାତି ଅବାସ୍ତବ ବୋଲି ସେ କହିଛନ୍ତି। ଇସିବି ନିକଟରେ ଆଉ କୌଣସି କ୍ରିକେଟ କାର୍ଯ୍ୟସୂଚୀ ନାହିଁ।

ତେଣୁ ଏହି ଦୁଇଟି ସିରିଜ ଆୟୋଜନ କରିବାକୁ ଇସିବି ବେଶ୍‌ ଆଗ୍ରହୀ ହୋଇଛି। ଇସିବି କୌଣସି ପ୍ରକାର ଏହି ଦୁଇଟି ସିରିଜ ଆୟୋଜନ କରିବାରେ ସଫଳ ହେଲେ ମଧ୍ୟ କ୍ୟାଲେଣ୍ଡର ଅନୁଯାୟୀ ସବୁ ସିରିଜ ଖେଳାଯିବା ସମସ୍ତଙ୍କ ପାଇଁ ଏକ ପ୍ରକାର ଅସମ୍ଭବ ବୋଲି ସେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ କହିଛନ୍ତି।
କେବଳ ଇସିବି ନୁହେଁ, ଦକ୍ଷିଣ ଆଫ୍ରିକା ମଧ୍ୟ ଜୈବ-ସୁରକ୍ଷିତ ବାତାବରଣରେ ଭାରତ ବିପକ୍ଷ ଘରୋଇ ସିରିଜ ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି। ଏଭଳି ପରିସ୍ଥିତିରେ ଯଦି ଟେଷ୍ଟ ଖେଳାଯାଏ ଓ ଦ୍ୱିତୀୟ ଦିନରେ କୌଣସି ଖେଳାଳି ପଜିଟିଭ ବୋଲି ଜଣାପଡେ, ତେବେ କ'ଣ କରାଯିବ। ସେତେବେଳେ କ'ଣ ସମସ୍ତଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବ ବୋଲି ସେ ପ୍ରଶ୍ନ ପଚାରିଛନ୍ତି। ଏପରି ସ୍ଥିତି ହେଲେ ଟେଷ୍ଟ ଅଧାରୁ ବନ୍ଦ ହେବା ନିଶ୍ଚିତ। କିନ୍ତୁ ଏଭଳି ସମ୍ଭାବନାକୁ ଏଡାଇବା ପାଇଁ ଆମକୁ ସ୍ବାସ୍ଥ୍ୟ ବିଭାଗ ଓ ସରକାରୀ କର୍ତ୍ତୃପକ୍ଷଙ୍କ ସହ ମିଳିମିଶି କାର୍ଯ୍ୟ କରିବାକୁ ହେବ। ଯଦି ଜଣେ ଖେଳାଳି ପଜିଟିଭ ବୋଲି ଜଣାପଡନ୍ତି ତା'ହେଲେ ପୂରା ଟୁର୍ନାମେଣ୍ଟ ଯେପରି ବାତିଲ ନ ହେବ ସେ ନେଇ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ବୋଲି ଡ୍ରାଭିଡ କହିଛନ୍ତି। ପୁଣି ଫାଙ୍କା ଷ୍ଟାଡିୟମରେ ଖେଳ ଆୟୋଜନ କରାଗଲେ, କ୍ରୀଡ଼ାବିତ୍‌ମାନେ ଦର୍ଶକମାନଙ୍କୁ ହରାଇବେ। ପୂର୍ଣ୍ଣ ଷ୍ଟାଡିୟମରେ ଖେଳିବାର ମଜା ମଧ୍ୟ କ୍ରୀଡ଼ାବିତ୍‌ମାନେ ହରାଇବେ। ଜଣେ ଖେଳାଳି ନିଜର ପ୍ରସ୍ତୁତି, ପ୍ରାକ୍ଟିସ୍‌, ଭାବପ୍ରବଣତା ଓ ମାନସିକସ୍ଥିତିକୁ ନିୟନ୍ତ୍ରଣ କରିପାରିବେ। କିନ୍ତୁ ନିଜ ପ୍ରଦର୍ଶନ ତଥା ଫଳାଫଳକୁ ନୁହେଁ। ତେଣୁ ଏଭଳି ସ୍ଥିତିରେ କ୍ରୀଡ଼ାବିତ୍‌ମାନଙ୍କୁ ଧୈର୍ଯ୍ୟ ଅବଲମ୍ବନ କରିବାକୁ ହେବ ବୋଲି ଡ୍ରାଭିଡ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri