Dailyhunt
ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ କର୍ତ୍ତବ୍ୟରେ ଅବହେଳା ଓ ଆଦେଶ ଅବମାନନା କରିଥିବା ଅଭିଯୋଗରେ ନିଲମ୍ବିତ କରିଥିବାର ଜଣାପଡ଼ିଛି।

ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୩୯/ଇଲେକ୍ସନ ପ୍ରକାରେ ଭୋଟଗ୍ରହଣ କେନ୍ଦ୍ର ନଂ.୧୧୦-ସିଧାମଡାଙ୍ଗାର ବୁଥ ସ୍ତରୀୟ ଅଧିକାରୀ ତଥା ସହକାରୀ ଶିକ୍ଷକ ରାମାନୁଜ ଦାସ ଲୋକ ପ୍ରତିନିଧିତ୍ୱ ଆଇନ ୧୯୫୦ ଏବଂ ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୧ର ବ୍ୟବସ୍ଥା ଅନୁଯାୟୀ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ଅବହେଳା କରିଥିବାର ଦର୍ଶାଯାଇଛି। ନିଲମ୍ବନ ଆଦେଶ ପତ୍ରରେ ଦର୍ଶାଯାଇଛି ଯେ, ଦାସ କୌଣସି ବୈଧ କାରଣ ନଦର୍ଶାଇ କର୍ତ୍ତବ୍ୟ ନ କରିବା, ସଠିକ ଭାବରେ ନ୍ୟସ୍ତ ଦାୟିତ୍ୱକୁ ନିର୍ବାହ କରିବାରେ ବିଫଳ ହୋଇଛନ୍ତି । ଯାହାକି ଘୋର ଅବହେଳା, କର୍ତ୍ତବ୍ୟରେ ଅବହେଳା ଏବଂ ଆଇନଗତ ଆଦେଶର ଅବମାନନା ପ୍ରଦର୍ଶନ କରିଛନ୍ତି। ତେଣୁ ନିଲମ୍ବନ କରାଯାଇ ଥିବାର ଦର୍ଶାଯାଇଛି । ନିଲମ୍ବନ ସମୟ ମଧ୍ୟରେ ସେ ସକ୍ଷମ ଅଧିକାରୀଙ୍କ ପୂର୍ବ ଅନୁମତି ବିନା ତାଙ୍କ ମୁଖ୍ୟାଳୟ ଛାଡିବେ ନାହିଁ ଏବଂ ନିୟମ ଅନୁଯାୟୀ ଗ୍ରହଣୀୟ ଭାବରେ ଜୀବନଯାପନ ଭତ୍ତା ପାଇବାର ହକଦାର ହେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri