Dailyhunt
ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ...

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ...

ଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ ଏକ ଟ୍ରାକ୍ଟର ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ମହେନ୍ଦ୍ରଗିରି ସ୍ଥିତ ବନ ବିଭାଗର ପର୍ଯ୍ୟଟକ ରହଣିସ୍ଥଳ (କଟେଜ୍) କୁ ପାଣି ଯୋଗାଇବା ପାଇଁ ଏକ ଟ୍ରାକ୍ଟର ନିୟୋଜିତ ହୋଇଥିଲା।

ଶନିବାର ଟ୍ରାକ୍ଟରଟି ଟ୍ୟାଙ୍କର ଯୋଗେ ପାଣି ନେଇ ଯାଉଥିବା ସମୟରେ ମହେନ୍ଦ୍ରଗିରି ଘାଟି ରାସ୍ତାରେ କୌଣସି କାରଣବଶତଃ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା।

ମୃତକ ହେଲେ ଟେରଣି ଗ୍ରାମର ସନ୍ୟାସୀ ଭୂୟାଁ (୧୯)। ସେ ଟ୍ରାକ୍ଟରର ହେଲ୍ପର ଭାବେ କାମ କରୁଥିଲେ। ଦୁର୍ଘଟଣା ସମୟରେ ସେ ଇଞ୍ଜିନ ପାର୍ଶ୍ୱରେ ବସିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସେହିଭଳି ଆହତ ହେଲେ ମାଡ଼ବା ଗ୍ରାମର ଚାଳକ ରବୀନ୍ଦ୍ର ଧାଙ୍ଗଡ଼ା ଭୂୟାଁ (୨୦)। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଏହି ଦୁର୍ଘଟଣା ପାଇଁ ଚାଳକ ରବୀନ୍ଦ୍ରଙ୍କ ବେପରୁଆ ଗାଡ଼ି ଚାଳନାକୁ ଦାୟୀ କରିଛନ୍ତି ମୃତ ସନ୍ୟାସୀଙ୍କ ପରିବାର ଲୋକେ। ଏନେଇ ସେମାନେ ଗାରାବନ୍ଧ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri