Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମଇଦାନ କମ୍ପାଇଲେ ବୈଭବ! ସେମିଫାଇନାଲରେ କଲେ ଏମିତି କାରନାମା, ପଡିଗଲା ଚହଳ

ମଇଦାନ କମ୍ପାଇଲେ ବୈଭବ! ସେମିଫାଇନାଲରେ କଲେ ଏମିତି କାରନାମା, ପଡିଗଲା ଚହଳ

ନୂଆଦିଲ୍ଲୀ,୧।୯: ଭାରତୀୟ କ୍ରିକେଟରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ୧୫ ବର୍ଷୀୟ ଯୁବ କ୍ରିକେଟର୍‌ ବୈଭବ ସୂର୍ଯ୍ୟବଂଶୀ। ପ୍ରତିଯୋଗିତାମୂଳକ କ୍ରିକେଟରେ ପାଦ ଦେବା ପରଠାରୁ ନିଜର ବିସ୍ଫୋରକ ବ୍ୟାଟିଂରେ ସେ ଚର୍ଚ୍ଚା ସାଉଁଟୁଛନ୍ତି। ପ୍ରଥମେ IPL, ପରେ ଇଣ୍ଡିଆ-ଏ ଏବଂ ଅଣ୍ଡର-୧୯ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିବା ପରେ ଏବେ ରେଡ ବଲରେ ଘରୋଇ କ୍ରିକେଟର ବଡ଼ ଟୁର୍ନାମେଣ୍ଟ ଦୁଲୀପ ଟ୍ରଫିରେ ମଧ୍ୟ ନିଜ ବ୍ୟାଟିଂର ଜଲୱା ଦେଖାଇଛନ୍ତି।

ଇଷ୍ଟ ଜୋନ ପାଇଁ ଖେଳୁଥିବା ବୈଭବ ସୂର୍ଯ୍ୟବଂଶୀ ସେଣ୍ଟ୍ରାଲ ଜୋନ ବିପକ୍ଷ ସେମିଫାଇନାଲରେ ଦୁଇଟି ଇନିଂସ୍‌କୁ ମିଶାଇ ମୋଟ ୧୩୨ ରନ କରିଛନ୍ତି। ଏହି ସମୟରେ ତାଙ୍କ ବ୍ୟାଟ୍‌ରୁ ମୋଟ ୧୦ଟି ଚୌକା ଓ ୯ଟି ଛକା ଦେଖିବାକୁ ମିଳିଥିଲା। ପ୍ରଥମ ଇନିଂସରେ ବୈଭବ ଧୁଆଁଧାର ବ୍ୟାଟିଂ କରି ୯୨ ରନ କରିଥିଲେ। ଏହି ଇନିଂସରେ ସେ ୭ଟି ଚୌକା ଓ ୭ଟି ଛକା ମାରିଥିଲେ। ତେବେ ଶତକରୁ ମାତ୍ର ୮ ରନ ଦୂରରେ ତାଙ୍କ ଇନିଂସ ଶେଷ ହୋଇଥିଲା। ଦ୍ୱିତୀୟ ଇନିଂସରେ ମଧ୍ୟ ସେ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ମାତ୍ର ୪୩ ବଲରେ ୪୦ ରନ କରିଥିଲେ। ଏଥିରେ ୩ଟି ଚୌକା ଓ ୨ଟି ଛକା ସାମିଲ ଥିଲା।

ବୈଭବ ସୂର୍ଯ୍ୟବଂଶୀ ଦୁଲୀପ ଟ୍ରଫି ଇତିହାସରେ ସବୁଠାରୁ କମ୍‌ ବୟସରେ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟର୍‌ ହୋଇଛନ୍ତି। ଇଷ୍ଟ ଜୋନରେ ଇନିଂସର ପ୍ରଥମ ୧୫ ଓଭର ମଧ୍ୟରେ ସେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

ସାରାଂଶ ଜୈନଙ୍କ ବଲରେ ଛକା ମାରି ବୈଭବ ମାତ୍ର ୪୨ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ସେତେବେଳେ ତାଙ୍କ ବୟସ ୧୫ ବର୍ଷ ୧୫୭ ଦିନ ଥିଲା। ଯଦିଓ ସେ ଶତକ ହାସଲ କରିପାରିନଥିଲେ, ୯୨ ରନର ଦମଦାର ଇନିଂସ ସହ ନିଜ ନାମ ଦୁଲୀପ ଟ୍ରଫି ରେକର୍ଡ ବୁକ୍‌ରେ ସାମିଲ କରିଛନ୍ତି।


Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri