Dailyhunt
ମନ୍ଦିର ପାଇଁ ମଞ୍ଜୁର ଟଙ୍କାରେ ଘର ତିଆରି ଅଭିଯୋଗ: ବିଧାୟକ ପାଣ୍ଠିର ଦୁରୁପଯୋଗ

ମନ୍ଦିର ପାଇଁ ମଞ୍ଜୁର ଟଙ୍କାରେ ଘର ତିଆରି ଅଭିଯୋଗ: ବିଧାୟକ ପାଣ୍ଠିର ଦୁରୁପଯୋଗ

ଗୁଣପୁର,୬।୫(ସଂକେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଅଧୀନ ମେରିଙ୍ଗି ଗ୍ରାମରେ ଅବସ୍ଥିତ ମାତାରବନମ୍‌ ମନ୍ଦିର ଉନ୍ନତି ପାଇଁ ମଞ୍ଜୁରି ହୋଇଥିବା ବିଧାୟକ ପାଣ୍ଠିର ଦୁରୁପଯୋଗ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗୁଣପୁରର ବିଜେଡି ନେତା ଅଶ୍ବୀନୀ ଗମାଙ୍ଗଙ୍କ ନେତୃତ୍ୱରେ ମନ୍ଦିର ପରିଚାଳନା କମିଟି ମଙ୍ଗଳବାର ଉପଜିଲାପାଳ ଦୁଧାଲ ଅଭିଷେକଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।

ଉପଜିଲାପାଳ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି।

ସୂଚନାନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗଙ୍କ ବିଧାୟକ ପାଣ୍ଠିରୁ ୩ ଲକ୍ଷ ଟଙ୍କା ମନ୍ଦିର ଉନ୍ନତି ପାଇଁ ମଞ୍ଜୁରି ହୋଇଥିଲା। କିନ୍ତୁ ଏହି ପାଣ୍ଠିକୁ ମନ୍ଦିର କାମରେ ବ୍ୟବହାର ନକରି, ବିଶ୍ୱ ହିନ୍ଦୁ ପରିଷଦର କିଛି ସଦସ୍ୟ ତାଙ୍କ ଭୋଗଦଖଲରେ ଥିବା ଜାଗାରେ ଘର ନିର୍ମାଣ କରିଥିବା ଅଭିଯୋଗ ହୋଇଛି। କିନ୍ତୁ ସେହି ସ୍ଥାନରେ ମାତାରବନମ୍‌ ମନ୍ଦିର, ମେରିଙ୍ଗି-ଏମ୍‌.ଏଲ୍‌.ଏ. ଲେଡ୍‌ ସ୍କିମ୍‌ (୨୦୨୩-୨୪), ମୋଟ ମୂଲ୍ୟ ୩,୦୦,୦୦୦/- ଲେଖା ଥିବା ଫଳକ ଲଗାଯାଇଛି। ଯାହା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ଦାବିପତ୍ରରେ ଉଲ୍ଲେଖ ରହିଛି। ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି ଯେ, ଏହି ପାଣ୍ଠି ବିଷୟରେ ସେମାନେ ପୂର୍ବରୁ କୌଣସି ସୂଚନା ପାଇନଥିଲେ ଏବଂ ମନ୍ଦିର ପାଇଁ କୌଣସି ଉନ୍ନତିମୂଳକ କାମ ହୋଇନାହିଁ। ତେବେ ମନ୍ଦିର ନାମରେ ଅନୁଦାନ ଥିବା ସତ୍ତ୍ୱେ ଅନ୍ୟ ସ୍ଥାନରେ କାମ କେମିତି ହେଲା ଓ କେଉଁ ପରିସ୍ଥିତିରେ ଏହାକୁ ଅନୁମତି ମିଳିଲା ତାହାକୁ ନେଇ ପ୍ରଶ୍ନ କରାଯାଇଛି। ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ମନ୍ଦିର ପାଇଁ ମଞ୍ଜୁରି ପାଣ୍ଠି ପୁନଃ ଫେରାଇବାକୁ ଦାବି ଜୋରଦାର ହୋଇଛି।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri