Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମେଣ୍ଟ ସରକାର ଗଢ଼ିବାକୁ ବିଜୟଙ୍କ ଉଦ୍ୟମ

ମେଣ୍ଟ ସରକାର ଗଢ଼ିବାକୁ ବିଜୟଙ୍କ ଉଦ୍ୟମ

ଚେନ୍ନାଇ,୬ା୫: ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରଥମ ଥର ଲଢ଼ିଥିବା ଅଭିନେତାରୁ ରାଜନେତା ବିଜୟଙ୍କ ଦଳ ତାମିଲାଗା ଭେଟ୍ରି କାଝାଗମ୍‌ (ଟିଭିକେ) ୧୦୮ ଆସନରେ ବିଜୟୀ ହୋଇ ସମସ୍ତଙ୍କୁ ଚମକାଇ ଦେଇଥିବାବେଳେ ସଂଖ୍ୟାଗରିଷ୍ଠତାଠାରୁ ୧୦ ଆସନ ପଛରେ ରହିଛି। ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ଟିଭିକେ ଅନ୍ୟ ଦଳ ସହ ମିଶି ମେଣ୍ଟ ସରକାର ଗଠନ ପାଇଁ ଉଦ୍ୟମ ଚଳାଇଥିବା କେତେକ ସୂତ୍ରରୁ ଜଣାପଡ଼ିଛି।

୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍‌ ନମ୍ବର ୧୧୮।
ବିଜୟ ମଙ୍ଗଳବାର ସକାଳେ ନବନିର୍ବାଚିତ ଟିଭିକେ ବିଧାୟକମାନଙ୍କ ସହ ବୈଠକରେ ମେଣ୍ଟ ଗଠନ ନେଇ ଆଲୋଚନା କରିଥିଲେ। କଂଗ୍ରେସ, ଭିସିକେ (ବିଦୁତାଲାଇ ଚିରୁଥାଇଗଲ କାଟ୍‌ଚି), ସିପିଆଇ ଏବଂ ସିପିଆଇ(ଏମ୍‌) ସହ ମିଶି ସରକାର ଗଢ଼ିବାକୁ ବିଜୟ ଉଦ୍ୟମ ଚଳାଇଛନ୍ତି। କଂଗ୍ରେସ ୫ ଆସନରେ ବିଜୟୀ ହୋଇଥିବାବେଳେ ଭିସିକେ ୨, ସିପିଆଇ ୨ ଏବଂ ସିପିଆଇ(ଏମ୍‌) ୨ ଆସନରେ ଜିତିଛି। ଏହି ଦଳଗୁଡ଼ିକର ମୋଟ ୧୧ ବିଧାୟକଙ୍କୁ ନେଲେ ବିଜୟ ସରକାର ଗଠନ ପାଇଁ ସଂଖ୍ୟା ଜୁଟାଇପାରିବେ। ତେବେ ଉକ୍ତ ଦଳଗୁଡ଼ିକ ଡିଏମ୍‌କେ ନେତୃତ୍ୱାଧୀନ ମେଣ୍ଟରେ ରହିଥିବାରୁ ଟିଭିକେକୁ ସମର୍ଥନ କରିବାକୁ ହେଲେ ଉକ୍ତ ମେଣ୍ଟରୁ ବାହାରି ଆସିବାକୁ ପଡ଼ିବ।
ମେଣ୍ଟ ଗଠନ ଲାଗି ବିଜୟ କଂଗ୍ରେସ ସମେତ ଭିସିକେ, ସିପିଆଇ(ଏମ୍‌), ସିପିଆଇ ଏବଂ ଆଇୟୁଏମ୍‌ଏଲ୍‌ ସହ ଆଲୋଚନା କରିବାକୁ ଯୋଜନା କରୁଛନ୍ତି। ଖୁବ୍‌ଶୀଘ୍ର ଏହି ଦଳଗୁଡ଼ିକୁ ସେ ନିମନ୍ତ୍ରଣ ପଠାଇପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଟିଭିକେ ସହ ମେଣ୍ଟ କରିବା ଲାଗି କେତେକ ଦଳ ସଙ୍କେତ ଦେଇଛନ୍ତି। ଲୋକେ ମେଣ୍ଟ ସପକ୍ଷରେ ଥିବା ଜଣାପଡ଼ୁଛି ବୋଲି ଭିସିକେ ମୁଖ୍ୟ ଥୋଲ ଥିରୁମାଭାଲାଭାନ କହିଛନ୍ତି। ରାଜ୍ୟରେ ଭିସିକେ ଏବଂ ବାମଦଳଗୁଡ଼ିକ ଧର୍ମନିରପେକ୍ଷ ମେଣ୍ଟରେ ରହିବେ। ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ, କଂଗ୍ରେସ ମେଣ୍ଟ ସରକାରରେ ସାମିଲ ହେବାକୁ ଚାହିଁଲେ, ଏହାକୁ ୨ଟି ମନ୍ତ୍ରୀ ପଦ ମିଳିପାରେ। ସେହିପରି ଛୋଟ ଦଳଗୁଡ଼ିକୁ ଗୋଟିଏ ଲେଖାଏ ମନ୍ତ୍ରୀପଦ ଯଚାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି।

Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri