Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମୁମ୍ବାଇରେ ଦିଗପହଣ୍ଡି ଦାଦନ ଶ୍ରମିକଙ୍କ ମୃତ୍ୟୁ; ବିଧାୟକ ଙ୍କ ହସ୍ତକ୍ଷେପ ପରେ ଅଣାଯାଉଛି ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ମୁମ୍ବାଇରେ ଦିଗପହଣ୍ଡି ଦାଦନ ଶ୍ରମିକଙ୍କ ମୃତ୍ୟୁ; ବିଧାୟକ ଙ୍କ ହସ୍ତକ୍ଷେପ ପରେ ଅଣାଯାଉଛି ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ଖବର ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ଛୋଟରାୟପୁର-ବାସୁଦେବପୁର ଗ୍ରାମ ବଡ଼ସାହିର ପ୍ରଦୀପ ମହାରଣାଙ୍କ ୨ୟ ପୁଅ ସନ୍ତୋଷ ମହାରଣା(୩୬) ପରିବାର ପରିପୋଷଣ ନିମନ୍ତେ ଦାଦନ ଶ୍ରମିକ ଭାବେ କାମ କରିବାକୁ ମୁମ୍ବାଇ ଯାଇଥିଲେ ।

ତେବେ ସୋମବାର ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୁମ୍ବାଇ ଥାନେ ଅଞ୍ଚଳର ଦିଭା ନାକା ରାବାଲେର ଏକ ଭଡ଼ା ଘରେ ରହୁଥିବା ସନ୍ତୋଷ ଆକସ୍ମିକ ଭାବେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ରବିବାର ରାତି ପ୍ରାୟ ସାଢେ ୯ ଟାରେ ନାଭି ମୁମ୍ବାଇ ଭାସି ସ୍ଥିତ ମ୍ୟୁନିସିପାଲ କର୍ପୋରେସନ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଭୋରରେ ତାଙ୍କ ମୃତ୍ୟୁ ହୋଇଛି ।

ଖବରପାଇ ପରିବାର ଲୋକେ ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡିଥିବା ବେଳେ ସ୍ତ୍ରୀ ଧୈର୍ଯ୍ୟହରା ହୋଇ ପଡୁଛନ୍ତି ଏବଂ ୪ ବର୍ଷର ପୁଅ ତାଙ୍କ ବାପାଙ୍କୁ ହରାଇ ବାପ ଛେଉଣ୍ଡ ହୋଇଯାଇଛନ୍ତି । ଗ୍ରାମରେ ଏକପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଆର୍ଥିକ ସଙ୍କଟ ଯୋଗୁଁ ପରିବାର ଲୋକେ ମୁମ୍ବାଇ ଯାଇ ପାରିନାହାନ୍ତି । ଏନେଇ ପରିବାର ଲୋକେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଏମ.ସନ୍ତୋଷ ପାତ୍ରଙ୍କୁ ଘଟଣା ଜଣାଇଥିଲେ। ସରପଞ୍ଚ ପ୍ରତିନିଧି ଘଟଣା ସମ୍ପର୍କରେ ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଧାୟକ ସେଠାକାର ପ୍ରଶାସନ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କ ସହ କଥା ହେବାପରେ ତାଙ୍କ ମୃତଦେହକୁ ସେଠାରେ ବ୍ୟବଚ୍ଛେଦ କରିବା ପାଇଁ ସହମତ ହୋଇଥିଲେ। ସନ୍ଧ୍ୟା ପ୍ରାୟ ୬ ଟାରେ ବ୍ୟବଚ୍ଛେଦ ପରେ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କ ମରଶରୀରକୁ ଭିଟାମାଟି ବାସୁଦେବପୁର ଗାଁକୁ ଅଣାଯାଉଥିବା ସରପଞ୍ଚ ପ୍ରତିନିଧି କହିଛନ୍ତି । ସନ୍ତୋଷ ସେଠାରେ କାଠ ମିସ୍ତ୍ରୀ ଶ୍ରମିକ ଭାବେ କାମ କରୁଥିଲେ । ଗତ ଫେବୃଆରୀ ମାସରେ ସାନଭାଇଙ୍କ ବାହାଘର ଭୋଜିକୁ ସେ ଗ୍ରାମକୁ ଆସି ଅଳ୍ପଦିନ ପରିବାର ସହ ବିତାଇବା ପରେ ପୁଣି ମୁମ୍ବାଇ ଫେରି ଯାଇଥିଲେ ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri