Dailyhunt
'ମୁଁ ୬ ଜଣ ପୀଡିତାଙ୍କ ମଧ୍ୟରୁ ଜଣେ', ବ୍ରିଜଭୂଷଣ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଭିନେଶ ଫୋଗଟ

'ମୁଁ ୬ ଜଣ ପୀଡିତାଙ୍କ ମଧ୍ୟରୁ ଜଣେ', ବ୍ରିଜଭୂଷଣ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୩ା୫: ଭାରତର ପ୍ରସିଦ୍ଧ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ରବିବାର ଏକ ଚେତାବନୀ ଜାରି କରିଛନ୍ତି । ଗୋଣ୍ଡାରେ ହେବାକୁ ଥିବା ଜାତୀୟ ଓପନ୍ ରାଙ୍କିଂ ଟୁର୍ନାମେଣ୍ଟରେ ତାଙ୍କ କିମ୍ବା ତାଙ୍କ ଦଳର ସଦସ୍ୟମାନଙ୍କ ପ୍ରତି କୌଣସି ଅପ୍ରୀତିକର ଘଟଣା ଘଟେ, ତେବେ ଭାରତ ସରକାର ଦାୟୀ ରହିବେ। ଏହା ବ୍ୟତୀତ, ସେ ଏହି ପୁନରାଗମନ ଇଭେଣ୍ଟରେ 'ପକ୍ଷପାତିତାପୂର୍ଣ୍ଣ କାର୍ଯ୍ୟ' ହେବାର ସମ୍ଭାବନା ସମ୍ପର୍କରେ ଆଶଙ୍କା ପ୍ରକାଶ କରିଛନ୍ତି।

ପ୍ରାୟ ୧୮ ମାସ ପରେ ଏକ ଭିଡିଓରେ ସେ ବ୍ରିଜଭୂଷଣ ଶରଣ ସିଂଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ହେବାକୁ ଥିବା ପ୍ରତିଯୋଗିତା ବ୍ରିଜଭୂଷଣଙ୍କ ସହ ଜଡିତ । ଭାରତୀୟ କୁସ୍ତି ମହାସଂଘ (WFI) ର ପୂର୍ବତନ ମୁଖ୍ୟଙ୍କ ନିକଟତର ବ୍ୟକ୍ତିବିଶେଷଙ୍କ ଦ୍ୱାରା ପ୍ରଭାବିତ ହୋଇପାରେ। ଯଦି ପ୍ରତିଯୋଗିତା ସମୟରେ ମୋ ଉପରେ, ମୋ ଦଳ ଉପରେ କିମ୍ବା ମୋର ସମର୍ଥକଙ୍କ ଉପରେ କୌଣସି ଅପ୍ରୀତିକର ଘଟଣା ଘଟେ, ତେବେ ଭାରତ ସରକାର ଦାୟୀ ରହିବେ ବୋଲି ଭିନେଶ ପୁଣି କହିଛନ୍ତି । ଏହା ବ୍ୟତୀତ, ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସେ ଗଣମାଧ୍ୟମ ଏବଂ କ୍ରୀଡ଼ା ଭାଇଚାରାମାନଙ୍କୁ ସ୍ଥାନରେ ଉପସ୍ଥିତ ରହିବାକୁ ଅନୁରୋଧ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ମୁଁ ଅଭିଯୋଗ ଦାଖଲ କରିଥିବା ଛଅ ଜଣ ମହିଳା ମଲ୍ଲଯୋଦ୍ଧାଙ୍କ ମଧ୍ୟରୁ ଜଣେ। ମାମଲାଟି ଏବେ ବି କୋର୍ଟରେ ଅଛି, ଏବଂ ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯାଉଛି। ତାଙ୍କ ସହିତ ଜଡିତ ଏକ ସ୍ଥାନରେ ପ୍ରତିଯୋଗିତା କରିବା ଏବଂ ଯେଉଁଠାରେ ଉପସ୍ଥିତ ଅଧିକାଂଶ ଲୋକ ତାଙ୍କ ସହିତ ଜଡିତ ହୋଇପାରନ୍ତି । ମୋ ଉପରେ ପ୍ରଚଣ୍ଡ ମାନସିକ ଚାପ ସୃଷ୍ଟି କରୁଛି ।'

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri