Dailyhunt
ନବୀନଙ୍କୁ ନେଇ ଏମିତି କହିଦେଲେ ପ୍ରଭାତୀ ପରିଡା: ଛଳନା କରି...

ନବୀନଙ୍କୁ ନେଇ ଏମିତି କହିଦେଲେ ପ୍ରଭାତୀ ପରିଡା: ଛଳନା କରି...

ଭୁବନେଶ୍ୱର,୧ା୫(ରବିନାରାୟଣ ଜେନା):ବିଧାନସଭାର ସ୍ବତନ୍ତ୍ର ଅଧିବେଶନ କାଳରେ ଗୁରୁବାର ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଉପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବର୍ଷିଛନ୍ତି। ପ୍ରଭାତୀ କହିଛନ୍ତି, ଆଜି ବିରୋଧୀ ଦଳ ନେତା କେନ୍ଦୁଝର ଜିତୁ ମୁଣ୍ଡାଙ୍କ କଥା ଗୃହରେ ଉଠାଉଛନ୍ତି। ହେଲେ ସେ ଭୁଲି ଯାଉଛନ୍ତି, ସେ ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଦାନ ମାଝୀ ଭଳି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ରାଜ୍ୟରେ ଘଟିଥିଲା।

ଅର୍ଥ ଅଭାବରୁ ଦାନ ମାଝୀ ତାଙ୍କ ସ୍ତ୍ରୀଙ୍କୁ କାନ୍ଧରେ ଦୀର୍ଘପଥ ବୋହି ନେଇଥିଲେ। ସେତେବେଳେ ଏହା କ'ଣ ମହିଳାଙ୍କ ପ୍ରତି ସମ୍ମାନ ଥିଲା କି ? ନବୀନବାବୁ କ'ଣ ପାଇଁ ଏହାର ଜବାବ ରଖି ନ ଥିଲେ, ହେଲେ ଏବେ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି। ବିଜୁବାବୁ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଲାଗୁ କରିଛନ୍ତି। ଏଥିପାଇଁ ବିଜୁବାବୁଙ୍କ ପ୍ରତି ଆମର ସମ୍ମାନ ରହିଛି। କିନ୍ତୁ ନବୀନବାବୁଙ୍କ ୨୪ ବର୍ଷ ଶାସନରେ ଯେତେସବୁ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଛି ତା'ର ଜବାବ ଦେଇପାରିବେ କି ? ନବୀନବାବୁ ଛଳନା କରି ଭାଜପାର ୨୦ ସାଂସଦଙ୍କୁ ଚିଠି ଲେଖିଥିଲେ। ଯେଉଁଦଳ ୨୪ବର୍ଷ ଧରି କିଛି କରିପାରିଲେ ନାହିଁ, ସେମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରୁଛନ୍ତି। ହେଲେ ମୋଦି ଅଛନ୍ତି ତ ସବୁ ସମ୍ଭବ। ଇତିହାସ ଏମାନଙ୍କୁ କ୍ଷମାଦେବ ନାହିଁ। ଯେଉଁମାନେ ମହିଳାଙ୍କୁ ଅବହେଳା କରିଛନ୍ତି, ସେମାନଙ୍କୁ ସମୟ ହିଁ ଅବହେଳା କରିଦେବ। ନବୀନବାବୁ ଆପଣ ଆଉ ମହିଳାଙ୍କୁ ବୋକା ବନେଇପାରିବେ ନାହିଁ ବୋଲି କହି ପ୍ରଭାତୀ ବର୍ଷିଛନ୍ତି।
ପ୍ରଭାତୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, କଂଗ୍ରେସ ୪୦ବର୍ଷ ଧରି ଶାସନରେ ରହିଥିଲେ ହେଁ ମହିଳାଙ୍କ ପାଇଁ କିଛି କରିନାହିଁ। କଂଗ୍ରେସ କେବଳ ଗାନ୍ଧୀ ପରିବାରର ମହିଳା କିଭଳି ଆଗକୁ ଯିବେ ସେହି ଚିନ୍ତା କରୁଛି। ୨୦୨୩ରେ ଯେଉଁ ମହିଳା ବିଲ୍‌ ସଂସଦରେ ଆସିଥିଲା ତାହା ୨୦୨୪ରେ ଲାଗୁ ହୋଇପାରିବ ନାହିଁ ବୋଲି ବିରୋଧୀ ଜାଣିଥିଲେ। କଂଗ୍ରେସ ମହିଳା ବିରୋଧୀ ବୋଲି ପ୍ରଭାତୀ କହିଥିଲେ।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri