Dailyhunt
ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି...

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି...

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ମରାମତି ପାଇଁ ଅଭିଯୋଗ ପରେ ମଧ୍ୟ ସୁଫଳ ମିଳି ନ ଥିଲା। ଶେଷରେ ମଙ୍ଗଳବାର ୱାର୍ଡ ନଂ.୫ ପଡ଼ାବାସୀ ରାସ୍ତା ନିଜେ ମରାମତି କରିଛନ୍ତି।

ସୂଚନା ଅନୁଯାୟୀ, ୩୫୩ ନମ୍ବର ଜାତୀୟ ରାଜପଥଠାରୁ ପଡ଼ାକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ୱରେ ଥିବା ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ଉକ୍ତ ରାସ୍ତା ଉପରେ ପଡାର ୧୫ରୁ ଊର୍ଦ୍ଧ୍ୱ ପରିବାର ସହ ତେଳିପଡ଼ାର ଲୋକେ ନିର୍ଭର କରନ୍ତି। ଏହି ସମସ୍ୟା ଯୋଗୁ ଉକ୍ତ ରାସ୍ତାରେ ଗାଡ଼ିମୋଟର ଯାତାୟାତ କରିପାରୁ ନ ଥିଲା। ଫଳରେ ପଡାବାସୀ ଅସୁବିଧାର ସମ୍ମୁଖୀନ ହେଉଥିଲେ। ହଠାତ୍‌ କୌଣସି ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ଆମ୍ବୁଲାନ୍ସ ଆସିବା ଅସମ୍ଭବ ହୋଇପଡିଥିଲା। ଏହାର ମରାମତି ପାଇଁ ଲୋକେ ଅନେକଥର ଏନ୍‌ଏସି ଅଫିସରେ ଅଭିଯୋଗ କରିଥିଲେ ମଧ୍ୟ ରାସ୍ତା କାମ ହୋଇପାରି ନ ଥିଲା। ମଙ୍ଗଳବାର ପଡ଼ାବାସୀ ଚାନ୍ଦା ଆଦାୟକରି ଡ୍ରେନ୍‌ ଉପରେ ଘୋଡ଼ଣି ପକାଇବା ସହ ମାଟି ମୋରମ ଦେଇ ସମାନ କରିଛନ୍ତି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri