Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି। ଚିକିତ୍ସା ଚାଲିଥିବାବେଳେ ଜ୍ୱର କମୁଛି ଓ ପୁଣି ହେଉଛି। ତେବେ ଦାୟିତ୍ୱରେ ଥିବା ଡାକ୍ତରମାନେ ସଜାଗ ରହି ସ୍ବତନ୍ତ୍ର ଭାବେ ଚିକିତ୍ସା କରୁଛନ୍ତି।

ଜ୍ୱର ସହ ଗ୍ୟାସ ହୋଇଥିବାର ଜଣାପଡିଛି। ଉକ୍ତ ଓରାଙ୍ଗଉଟାନଟି ଅଲଗା କରି ଚିକିତ୍ସା ଚାଲୁଥିବାବେଳେ ମଶା କବଳରୁ ରକ୍ଷା କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।

ସୂଚନାଯୋଗ୍ୟ, ବାଲେଶ୍ୱର ବନଖଣ୍ଡରୁ ଉଦ୍ଧାର ହୋଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିବା ୫ଟି ଓରାଙ୍ଗ୍‌ଉଟାନଙ୍କ ଯତ୍ନ ଓ କଲ୍ୟାଣ ପାଇଁ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଏକ ୫ଜଣିଆ ବୈଷୟିକ କମିଟି ଗଠନ କରାଯାଇଛି। କମିଟିରେ ମୈସୁରୁସ୍ଥିତ ଚାମରାଜେନ୍ଦ୍ର ପ୍ରାଣୀ ଉଦ୍ୟାନର ଜଣେ ପ୍ରାଣୀଧନ ଚିକିତ୍ସା ଅଧିକାରୀ, ଡେହରାଡୁନ୍‌ସ୍ଥିତ ୱାଇଲ୍ଡଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର ପ୍ରତିନିଧି, ଭୁବନେଶ୍ୱରସ୍ଥିତ ଓୟୁଏଟିର ୱାଇଲ୍ଡଲାଇଫ୍‌ ହେଲ୍‌ଥ ସେଣ୍ଟରର ପ୍ରକଳ୍ପ ସଂଯୋଜକ ଏବଂ ନୂଆଦିଲ୍ଲୀସ୍ଥିତ ନ୍ୟାଶନାଲ ଜୁଲୋଜିକାଲ ପାର୍କର ନିର୍ଦ୍ଦେଶକଙ୍କ ମନୋନୀତ ପ୍ରାଣୀଧନ ଚିକିତ୍ସା ଅଧିକାରୀ ସଦସ୍ୟ ରହିଛନ୍ତି। ନନ୍ଦନକାନନ ଜୈବିକ ଉଦ୍ୟାନର ନିର୍ଦ୍ଦେଶକ କମିଟିର ସଦସ୍ୟ-ଆବାହକ ଭାବେ ରହିବେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ ନିର୍ଦ୍ଦେଶରେ ଏ ସଂକ୍ରାନ୍ତ ଆଦେଶ ଶନିବାର ଜାରି ହୋଇଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ ଅନୁଯାୟୀ ଏହି ସଂରକ୍ଷିତ ପ୍ରାଣୀଗୁଡ଼ିକର ଉପଯୁକ୍ତ ଯତ୍ନ, ଚିକିତ୍ସା ଓ କଲ୍ୟାଣ ସୁନିଶ୍ଚିତ କରିବା ସହ ସେମାନଙ୍କ ରକ୍ଷଣାବେକ୍ଷଣ ନେଇ ବୈଷୟିକ ପରାମର୍ଶ ଦେବା କମିଟିର ମୁଖ୍ୟ ଦାୟିତ୍ୱ ରହିବ। କମିଟିର କାର୍ଯ୍ୟକାଳ ୬ ମାସ ରହିବ। ଆବଶ୍ୟକତା ଅନୁଯାୟୀ ଏହାର କାର୍ଯ୍ୟକାଳ ବଢ଼ାଯାଇପାରିବ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri