Dailyhunt
ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ...

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ...

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ଉଚ୍ଚରେ ଆଉ ଏକ ଘୂର୍ଣ୍ଣିବଳୟ ଜାରି ରହିଛି। ଏହା ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ଜାରି ରହିଛି ।

ଆଗାମୀ ୪ ଦିନ ଅର୍ଥାତ୍‌ ଏପ୍ରିଲ ୧୦ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ମଙ୍ଗଳବାର ରାଜ୍ୟର ୭ ଜିଲା କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକକୁ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ବର୍ଷା ସମୟରେ ପବନର ବେଗ ୫୦ରୁ ୬୦ କି.ମି. ରହିବ। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବରଗଡ଼ ଏବଂ କେନ୍ଦୁଝର ଜିଲାକୁ ଘଡ଼ଘଡ଼ି ସହିତ ବର୍ଷା ଓ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହାବାଦ୍‌ ରାଜ୍ୟର ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ ବୋଲି ସୂଚନା ଦିଆଯାଇଛି।
କାଳବୈଶାଖୀ ପ୍ରଭାବରେ ସୋମବାର ରାଜଧାନୀ ଭୁବନେଶ୍ୱରରେ ବର୍ଷା ଓ ପବନ ହୋଇଥିଲା। ସେହିପରି ନୟାଗଡ଼ ଜିଲା ଦଶପଲ୍ଲା, ବଲାଙ୍ଗୀର ଜିଲା ପାଟଣାଗଡ଼, କଟକ ଜିଲାର ଆଠଗଡ଼, କଳାହାଣ୍ଡି ଜିଲାର ଧର୍ମଗଡ ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ଝଡ଼ତୋଫାନ ସହିତ କିଛି ସ୍ଥାନରେ କୁଆପଥର ମାଡ଼ ହୋଇଥିବା ସୂଚନା ମିଳିଛି। ଅପରପକ୍ଷେ ବର୍ଷା ପାଇଁ ତାପମାତ୍ରା କମିବାରେ ଲାଗିଛି। ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮.୩ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବଲାଙ୍ଗୀର ୩୭.୨ ଡିଗ୍ରୀ, ହୀରାକୁଦ ୩୬.୮, ଭବାନୀପାଟଣା ୩୬.୫, ସମ୍ବଲପୁର ୩୬.୨, ସୋନପୁର ୩୬.୨ ଏବଂ ପାରଳାଖେମୁଣ୍ଡିରେ ୩୬ ଡିଗ୍ରୀ ରହିଥିଲା।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri