Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ ନାହିଁ। ଏହାକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ତେଜି ଉଠିଛି।

ବରଗଡ଼ରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ବୁଧବାର ଭାରତ ମୁକ୍ତିମୋର୍ଚ୍ଚା ଏବଂ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବରଗଡ଼ ଜିଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ୧୦ଦଫା ଦାବି ହୋଇଛି। ନୂତନ ଶିକ୍ଷାନୀତି ୨୦୨୦ ଦ୍ୱାରା ପ୍ରକାଶିତ ସମ୍ପୁର୍ଣ୍ଣ ପାଠ୍ୟପୁସ୍ତକର ପାଠ ପ୍ରତ୍ୟାହାର କରି ପୁରୁଣା ପାଠ୍ୟପୁସ୍ତକ ଦ୍ୱାରା ଛାତ୍ରୀଛାତ୍ରଙ୍କୁ ପଢ଼ାଇବା, ପାଠ୍ୟପୁସ୍ତକ ଦାୟିତ୍ୱରେ ରହିଥିବା ସମସ୍ତ ଅଧିକାରୀ, ଏଜେନ୍ସି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ, ପଛୁଆବର୍ଗ ଛାତ୍ରୀଛାତ୍ରଙ୍କୁ ମେଡ଼ିକାଲ, ଇଞ୍ଜିନିୟରିଂ କ୍ଷେତ୍ରରେ ୨୭ପ୍ରତିଶତ ସଂରକ୍ଷଣ, ଅତିଥି ଶିକ୍ଷକଙ୍କୁ ଉଚ୍ଛେଦ କରି ସ୍ଥାୟୀ ଶିକ୍ଷକ ନିଯୁକ୍ତି ଆଦି ଦାବି ସେଥିରେ ରହିଛି। ଉପରୋକ୍ତ ଦାବି ସମୂହ ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଦାବିପତ୍ରରେ ଚେତାବନୀ ଦିଆଯାଇଛି। ସେହିପରି ମଙ୍ଗଳବାର ବରଗଡ଼ର କୋସଲ ସେନା ପକ୍ଷରୁ ମଧ୍ୟ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନର ଉଚ୍ଚସ୍ତରୀୟ ତଦନ୍ତ, ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ପାଠ୍ୟପୁସ୍ତକର ତ୍ରୁଟି ସଂଶୋଧନ କରି ତୁରନ୍ତ ଛାତ୍ରୀଛାତ୍ରୀଙ୍କୁ ସଂଶୋଧିକ ପାଠ୍ୟପୁସ୍ତକ ପ୍ରଦାନ, ପାଠ୍ୟପୁସ୍ତକ ପ୍ରକାଶନ ପୂର୍ବରୁ ଭାଷାବିତ୍‌, ବିଷୟ ବିଶେଷଜ୍ଞ, ଅଭିଜ୍ଞ ଶିକ୍ଷାବିତ୍‌, ଶିକ୍ଷକଙ୍କ ଦ୍ୱାରା ତାହା ଯାଞ୍ଚ କରିବା, ଜନସାଧାରଣଙ୍କୁ ପାଠ୍ୟପୁସ୍ତକ ତ୍ରୁଟି ଘଟଣାର ସ୍ପଷ୍ଟୀକରଣ ଦେବା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପାଇଁ ଦାବିପତ୍ରରେ ଦାବି ହୋଇଛି। ଦାବି ପୂରଣ ନ ହେଲେ କୌଣସି ମୁହୂର୍ତ୍ତରେ କୋସଲ ସେନା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଦାବିପତ୍ର ପ୍ରଦାନ ସମୟରେ କୋସଲ ସେନାର ବିରବଲ ମହାକୁଡ଼ଙ୍କ ସମେତ ରମେଶ ମହାପାତ୍ର, ଜ୍ଞାନେନ୍ଦ୍ର ବେହେରା, ଚନ୍ଦନ ବାରିକ, ରୋହନ ପ୍ରଧାନ, ଠାକୁର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri