Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପିଲାଶୂନ୍ୟ ପଡ଼ିଆ

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା ସେ ସ୍ଥାନ ଏବେ ପିଲା ଶୂନ୍ୟ। ସବୁଦିନ ଉପରଓଳା ସ୍କୁଲ ଛୁଟି ହେଲା ପରେ ପିଲାମାନେ ସେଠାରେ ଜମା ହୋଇଯାଉଥିଲେ। ବିଭିନ୍ନ ପ୍ରକାର ଖେଳରେ ପଡ଼ିଆ ଉଛୁଳିପଡୁଥିଲା। ଏବେ ଅଧିକାଂଶ ପିଲା ସ୍କୁଲ ଛୁଟି ପରେ ଖେଳ ପଡ଼ିଆକୁ ନ ଯାଇ ମୋବାଇଲ ଧରି ବସିପଡୁଛନ୍ତି।

ଦିନକୁ ଦିନ ପାଠ ସହ ମୋବାଇଲର ସମ୍ପର୍କ ବଢ଼ିବାରେ ଲାଗିଛି। ପ୍ରଚଣ୍ଡ ଖରାକୁ ଆଖିଆଗରେ ରଖି ସରକାର ପିଲାଙ୍କ ସୁରକ୍ଷା ପାଇଁ ସ୍କୁଲ ଗୁଡ଼ିକୁ ଆଗୁଆ ଛୁଟି ଘୋଷଣା କରିଦେଲେ। ପିଲାଙ୍କ ଏପ୍ରିଲ ମାସର ପାଠପଢ଼ା ହୋଇ ପାରିଲା ନାହିଁ। ସେହି ପାଠକୁ ମୋବାଇଲ ମାଧ୍ୟମରେ ପିଲାଙ୍କ ନିକଟକୁ ପଠାଇବାକୁ ସ୍ଥିର କରାଗଲା। ପିଲାମାନେ ନିଜର ହ୍ବାଟ୍ସଆପ୍‌ରେ ପାଠଗୁଡ଼ିକୁ ପଢ଼ିବେ। ଏହାକୁ କୁହାଗଲା ସମର ଲର୍ନିଂ। ତେବେ ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ପିଲାମାନେ ବେଶି ସମୟ ମୋବାଇଲରେ ବିତାଉଛନ୍ତି। ଖେଳ ପଡ଼ିଆକୁ ଯିବାକୁ ସେମାନଙ୍କ ହାତରେ ସମୟ ନାହିଁ।
ଖେଳ ପଡ଼ିଆରେ ଖେଳାଯାଉଥିବା ଖେଳଗୁଡ଼ିକୁ ଆଉ ପିଲାଙ୍କ ପସନ୍ଦ ନାହିଁ। କେବଳ କ୍ରିକେଟକୁ ଛାଡ଼ିଦେଲେ ଅନ୍ୟ ଖେଳଗୁଡ଼ିକର ଆଦର ଆଉ ନାହିଁ। ଫୁଟ୍‌ବଲର ଆଦର ପିଲାଙ୍କ ମଧ୍ୟରେ ନାହିଁ। ଫୁଟ୍‌ବଲ ଖେଳ ପାଇଁ ଉଦ୍ଦିଷ୍ଟ ଗୋଲପୋଷ୍ଟଗୁଡିକ ଆଉ ଖେଳ ପଡ଼ିଆ ମାନଙ୍କରେ ଦେଖାଯାଉ ନାହିଁ। ସ୍କୁଲରେ ଖେଳ ପିରିୟଡ୍‌ରେ ସାର୍‌ମାନେ ପିଲାଙ୍କୁ ବିଭିନ୍ନ ପ୍ରକାର ଖେଳ ଉପକରଣ ଦେଇ ଖେଳାଇବାର ଅଭ୍ୟାସ ଦୃଷ୍ଟିଗୋଚର ହେଉନାନାହିଁ। ସବୁ ସ୍କୁଲରେ ଏହିସବୁ ଖେଳ ଉପକରଣ ରଖାହୋଇଛି। କେତେକ ସ୍କୁଲରେ ତାହା ଅବ୍ୟବହୃତ ହୋଇ ନଷ୍ଟ ହୋଇଗଲାଣି। ଧୀରେ ଧୀରେ ପିଲାଙ୍କ ଆଗ୍ରହ କମିଲା। ଖେଳ ସାର୍‌ଙ୍କର ମଧ୍ୟ ଆଗ୍ରହ କମିଗଲା। ଖେଳ ପଡ଼ିଆ ଏବେ ପିଲାଙ୍କୁ ଝୁରୁଛି। କିନ୍ତୁ ପିଲାମାନେ ଆଉ ଖେଳ ପଡ଼ିଆକୁ ଆସିବାକୁ ସମୟ ପାଉନାହାନ୍ତି। ଖେଳ ମାଧ୍ୟମରେ ଯେଉଁ ଶାରୀରିକ ବ୍ୟାୟାମ ପାଉଥିଲେ ତାହା ଆଉ ପାଇପାରୁ ନାହାନ୍ତି।
ପିଲାଙ୍କ ଶାରୀରିକ ଓ ମାନସିକ ବିକାଶରେ ଖେଳର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶରୀର ସୁସ୍ଥ ରହିଲେ ମନ ସୁସ୍ଥ ରହେ। ତେଣୁ ଶରୀରକୁ ସୁସ୍ଥ ରଖିବା ପାଇଁ ଖେଳ ତଥା ବ୍ୟାୟାମର ଆବଶ୍ୟକତା ରହିଛି। ବିଭିନ୍ନ ପ୍ରକାର ଖେଳ ଖେଳିବା ଦ୍ୱାରା ଉଭୟ ଶାରୀରିକ ଓ ମାନସିକ ବିକାଶ ହୋଇଥାଏ। ପାଠ ପଢ଼ିବା ପାଇଁ ଆଗ୍ରହ ସୃଷ୍ଟି ହୋଇଥାଏ। ଆଜିକାଲି ଅନେକ ପିଲାଙ୍କର କମ୍‌ ବୟସରୁ ଦୃଷ୍ଟିଶକ୍ତି କମିଯାଉଛି । ଏଥିପାଇଁ ଦୁଇଟି କାରଣ ରହିଛି। ଗୋଟିଏ ହେଲା ଶାରୀରିକ ବ୍ୟାୟାମର ଅଭାବ। ଅନ୍ୟଟି ପୁଷ୍ଟିକର ଖାଦ୍ୟର ଅଭାବ। ଗୋଟିଏ ପଟେ ଭିଟାମିନ୍‌ଯୁକ୍ତ ଖାଦ୍ୟର ଅଭାବ ,ଅନ୍ୟପଟେ ଅତ୍ୟଧିକ ମୋବାଇଲର ବ୍ୟବହାର ପିଲାଙ୍କ ଶାରୀରିକ ବିକାଶରେ ବାଧକ ସାଜୁଛି। ପିଲାମାନେ ମୋବାଇଲ ସହ ଏତେ ମାତ୍ରାରେ ଜଡ଼ିତ ହୋଇଯାଇଛନ୍ତି ଯେ ,ପରିବାରର କାହାରି ସହ କଥାବାର୍ତ୍ତା ମଧ୍ୟ କରିବାକୁ ଧ୍ୟାନ ଦେଉନାହାନ୍ତି। ପାରିବାରିକ ସମ୍ପର୍କ ଏକ ପ୍ରକାର କମିଗଲାଣି। ଅଜାଆଈ ଡାକିଲେ ଶୁଣୁନାହାନ୍ତି। ସେମାନଙ୍କଠାରୁ ଯେଉଁ କଥାଗୁଡ଼ିକ ଶିଖିବା କଥା ତାହା ଆଉ ସମ୍ଭବ ହେଉନାହିଁ।

ସତ୍ୟନାରାୟଣ ଦେହୁରୀ

ରାଧାନଗର, ବୌଦ୍ଧ
ମୋ: ୯୯୩୮୭୫୮୩୫୩

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri