Dailyhunt
ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ ଟାରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକ ଦ୍ୱୟ ହେଲେ ଏସ.ଦୀନବନ୍ଧୁ ଦୋରାଙ୍କ ଏକମାତ୍ର ଝିଅ ୬ଷ୍ଠ ଶ୍ରେଣୀ ଛାତ୍ରୀ ପ୍ରାଞ୍ଜଳି ଦୋରା(୧୧) ଏବଂ ଏସ.

ପ୍ରକାଶ ଦୋରାଙ୍କ ଝିଅ ୭ମ ଶ୍ରେଣୀ ଛାତ୍ରୀ ମାନିନୀ ଦୋରା(୧୨)।

ସୂଚନା ଅନୁସାରେ, ଗାଁ ସ୍କୁଲରୁ ଫେରି ଉଭୟେ ଗ୍ରାମର ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତା କାରଣରୁ ଉଭୟେ ଗଭୀର ପାଣିରେ ବୁଡିଯାଇଥିଲେ । ପୋଖରୀର ଅନ୍ୟ ତୁଠରେ ଗାଧୋଉଥିବା କିଛି ବ୍ୟକ୍ତି ଉଭୟଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳ ନହେବାରୁ ଦିଗପହଣ୍ଡି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଉପସ୍ଥିତ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ଦିଗପହଣ୍ଡି ଥାନାରେ ଏତଲା ହେବାପରେ ଆଇଆଇସି କିଶୋର କୁମାର ସାମଲ ଅପମୃତ୍ୟୁ ମାମଲା ନଂ.୧୮/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି । ଦିଗପହଣ୍ଡି ପୋଲିସ ଟିମ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ କରାଯିବା ପରେ ମୃତଦେହ ଦୁଇଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଗାଁ ଶ୍ମଶାନରେ ଶୋକାକୁଳ ପରିବେଶ ମଧ୍ୟରେ ଉଭୟଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଖବର ପ୍ରଚାରିତ ହେବାପରେ ଗ୍ରାମରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri