Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ସହଯୋଗୀ ଫେରାର

ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ସହଯୋଗୀ ଫେରାର

ଝାରସୁଗୁଡ଼ା, ୩୦।୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅଞ୍ଚଳରେ ଝାରସୁଗୁଡା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ରେଙ୍ଗାଲି ଥାନା ଅନ୍ତର୍ଗତ କଦମଘାଟ ମା' ଘଣ୍ଟେଶ୍ୱରୀ ମନ୍ଦିର ନିକଟରେ ପୋଲିସ ଏବଂ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୋଲିସର ଏହି ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ ହୋଇଥିବା ବେଳେ ତାର ଅନ୍ୟ ସହଯୋଗୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଆହତ ଅପରାଧୀ ଜଣକ ବ୍ରଜରାଜନଗର ଗାନ୍ଧୀଛକ ଅଞ୍ଚଳର ଜୟ ଚୌହାନ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, କଦମଘାଟ ନିକଟରେ କିଛି ଅପରାଧୀ ଏକତ୍ରିତ ହୋଇ ଡକାୟତି ପାଇଁ ଯୋଜନା କରୁଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହି ଆଧାରରେ ପୋଲିସ ଟିମ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଅପରାଧୀମାନେ ପ୍ରଥମେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ପୋଲିସ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ସୱରୂପ ପାଲଟା ଗୁଳି ଚଳାଇଥିଲା।
ଏହି ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଫଳରେ ସେ ସେଠାରେ ଟଳି ପଡ଼ିଥିଲା। ପୋଲିସ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ରେ ଭର୍ତ୍ତି କରିଛି। ଏହି ସମୟର ସୁଯୋଗ ନେଇ ତାର ଅନ୍ୟ ସହଯୋଗୀମାନେ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି। ଫେରାର ଅପରାଧୀମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ନାକାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଜୋରଦାର କରାଯାଇଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆହତ ଜୟ ଚୌହାନ ଜଣେ ପେସାଦାର ଅପରାଧୀ ଏବଂ ତା' ନାମରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ସଙ୍ଗୀନ ମାମଲା ରହିଛି। ଏହି ଏନକାଉଣ୍ଟର ସମ୍ପର୍କରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି। ଅପରପକ୍ଷରେ, ଘଟଣାର ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ ଆଜି ଦିନ ୧୦ଟାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP) ଜି.ଆର. ରେଡ୍ଡୀ ଏସପି ଅଫିସରେ ଏକ ପ୍ରେସମିଟ ଡାକିଥିବା ଜଣାପଡ଼ିଛି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri