ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ 'ଆଶୀର୍ବାଦ ଦୀପ'। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ 'ସେବା ସଂକଳ୍ପ ଅଭିଯାନ୨୦୨୬'ରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟବାସୀ ଏହି ଦୀପ ଜାଳିଛନ୍ତି।
ସନ୍ଧ୍ୟାରେ ଏନେଇ ଭୁବନେଶ୍ୱର ମୁକ୍ତେଶ୍ୱର ମନ୍ଦିରରେ ଆୟୋଜିତ 'ଆଶୀର୍ବାଦର ଦୀପ' କାର୍ଯ୍ୟକ୍ରମରେ ୧୧ ହଜାରରୁ ଅଧିକ ଦୀପ ପ୍ରଜ୍ଜ୍ୱଳିତ ହୋଇଥିଲା। ହଜାର ହଜାର ମହିଳା ଓ ଯୁବବର୍ଗଙ୍କ ଉପସ୍ଥିତିରେ ମୁକ୍ତେଶ୍ୱର ପ୍ରାଙ୍ଗଣ ଆଲୋକମୟ ହୋଇଉଠିଥିଲା। ମୁଖ୍ୟମନ୍ତ୍ରୀ ମାଝୀ ଦୀପ ପ୍ରଜ୍ଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ଯୁବବର୍ଗଙ୍କ ଗହଣକୁ ଯାଇ ସେମାନଙ୍କ ସହ ଭାବବିନିମୟ କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ପ୍ରଜ୍ଜ୍ୱଳିତ ଏହି ଦୀପ ଓଡ଼ିଶାବାସୀଙ୍କ ଆଶୀର୍ବାଦର ପ୍ରତୀକ। ମୋଦିଜୀଙ୍କ ସ୍ବପ୍ନ ସାକାର କରିବା ପାଇଁ ଓଡ଼ିଶା ନିରନ୍ତର ଉଦ୍ୟମ କରିବ ଏବଂ ଭାରତ ବିଶ୍ୱଗୁରୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଏକାମ୍ର ବିଧାୟକ ବାବୁ ସିଂ ଓ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସନ୍ଧ୍ୟା ଆରତୀର ଘଣ୍ଟ, ଘଣ୍ଟା ଓ ଶଙ୍ଖଧ୍ୱନି ସାଙ୍ଗକୁ ଓଡ଼ିଆ କଣ୍ଠଶିଳ୍ପୀଙ୍କ ଭଜନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

