Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୁରୀର ଖଜା ଦୋକାନରେ ଚଢ଼ାଉ, ଗୁଣବତ୍ତା ସହ ଲାଇସେନ୍ସ ଯାଞ୍ଚ

ପୁରୀର ଖଜା ଦୋକାନରେ ଚଢ଼ାଉ, ଗୁଣବତ୍ତା ସହ ଲାଇସେନ୍ସ ଯାଞ୍ଚ

ପୁରୀ, ୧୭।୯( ଅଜିତ୍ କୁମାର ମହାନ୍ତି ): ନିମ୍ନମାନର ଓ ଭେଜାଲ ଖଜା ବିକ୍ରି ନେଇ ଆସୁଥିବା ଅଭିଯୋଗକୁ ଆଧାର କରି ପୁରୀ ସହରର ବିଭିନ୍ନ ଖଜା ଗୋଦାମ ଓ ପ୍ରସ୍ତୁତି ହେଉଥିବା ଦୋକାନରେ ଗୁରୁବାର ସକାଳୁ ବଡ଼ଧରଣର ଚଢ଼ାଉ କରାଯାଇଛି । ସିଟି ଡିଏସ୍‌ପିଙ୍କ ନେତୃତ୍ୱରେ ଟାଉନ୍‌ ଥାନା ପୋଲିସ, ଖାଦ୍ୟ ସୁରକ୍ଷା ବିଭାଗ ଏବଂ ଓଜନ ଓ ମାପ ବିଭାଗର ମିଳିତ ଟିମ୍‌ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛି ।

ଶ୍ରୀମନ୍ଦିର ନିକଟବର୍ତ୍ତୀ ଅଞ୍ଚଳ ସମେତ ଶ୍ରୀକୃଷ୍ଣ ସିନେମା ଲେନ୍‌, ବଡ଼ଦାଣ୍ଡ, ସ୍ୱର୍ଗଦ୍ୱାର ଓ ଆଖପାଖ ଅଞ୍ଚଳରେ ଥିବା ଖଜା ଗୋଦାମ ଏବଂ କାରଖାନାରେ ଏହି ଚଢ଼ାଉ କରାଯାଇଥିଲା । ଖଜା କେଉଁ ପରିବେଶରେ ପ୍ରସ୍ତୁତ ହେଉଛି, ଏହାର ଗୁଣବତ୍ତା କିଭଳି ରହିଛି, ଓଜନରେ କୌଣସି ହେରଫେର ହେଉଛି କି ନାହିଁ, ପ୍ୟାକେଜିଂ ଓ ଖାଦ୍ୟ ସୁରକ୍ଷା ଲାଇସେନ୍ସ ରହିଛି କି ନାହିଁ, ସେସବୁ ଯାଞ୍ଚ କରାଯାଉଛି । ଚଢ଼ାଉ ବେଳେ କେତେକ ସ୍ଥାନରେ ଅସ୍ୱାସ୍ଥ୍ୟକର ପରିବେଶରେ ଖଜା ପ୍ରସ୍ତୁତ ହେଉଥିବା ଅଭିଯୋଗ ମିଳିଥିବା ବେଳେ ଏଭଳି ଖଜା ନଷ୍ଟ କରାଯାଇଛି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ମଧ୍ୟରେ ପୁରୀର ଖଜାର ଚାହିଦା ଅଧିକ। ତେଣୁ ଖଜାର ମାନ, ଖାଦ୍ୟ ସୁରକ୍ଷା ଓ ବିକ୍ରି ବ୍ୟବସ୍ଥାକୁ ନେଇ ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ଅଭିଯାନ କରାଯାଇଛି।

ଯାଞ୍ଚ ସମୟରେ ଭେଜାଲ କିମ୍ବା ନିମ୍ନମାନର ଖଜା ମିଳିଲେ ଜବତ କରାଯିବା ସହ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ନିୟମାନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଟି ଡିଏସ୍‌ପି ସୂଚନା ଦେଇଛନ୍ତି । ଖଜାକୁ ନେଇ ଭକ୍ତଙ୍କଠାରୁ ଆସୁଥିବା ଅଭିଯୋଗ ଉପରେ ଆଗକୁ ମଧ୍ୟ ନଜର ରଖାଯିବା ସହ ନିୟମିତ ଯାଞ୍ଚ ଜାରି ରହିବ ବୋଲି ଜଣାପଡ଼ିଛି ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri