ନୂଆଦିଲ୍ଲୀ,୨୪ା୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ଏ ସମ୍ପର୍କରେ ମଧ୍ୟ ଆର୍ବିଆଇର ଜଣେ ବରିଷ୍ଠ ପଦାଧିକାରୀ ସୂଚନା ଦେଇଛନ୍ତି। ଦେଶରୁ ଖୁବ୍ ଶୀଘ୍ର ପୁରୁଣା ୫ ଟଙ୍କିଆ, ୧୦ ଟଙ୍କିଆ ଓ ୧୦୦ଟଙ୍କିଆ ନୋଟ୍କୁ ବଜାରରୁ ପ୍ରତ୍ୟାହାର କରିବାକୁ ଆର୍ବିଆଇ ଯୋଜନା କରୁଥିବା ଜଣାପଡ଼ିଛି। ସେହିଭଳି ଚଳିତବର୍ଷ ମାର୍ଚ୍ଚ ଓ ଏପ୍ରିଲ ସୁଦ୍ଧା ଏହିସବୁ ପୁରୁଣା ନୋଟ୍ ଗୁଡ଼ିକ ପୂରାପୂରି ଅଚଳ ହୋଇଯିବ ବୋଲି ବୋର୍ଡ ପକ୍ଷରୁ ପ୍ରସ୍ତାବ ରହିଛି। ଦେଶର ଶୀର୍ଷ ବ୍ୟାଙ୍କ୍ ଏହିସବୁ ପୁରୁଣା ନୋଟ୍ଗୁଡିକୁ ସ୍ଥାୟୀ ଭାବେ ପ୍ରତ୍ୟାହାର କରିବା ପାଇଁ ଯୋଜନା କରୁଛି। ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ରିଜର୍ଭ ବ୍ୟାଙ୍କର ଆସିଷ୍ଟାଣ୍ଡ ଜେନେରାଲ ମ୍ୟାନେଜର (ଏଜିଏମ୍) ବି.ମହେଶ ଜିଲାସ୍ତରୀୟ ସୁରକ୍ଷା କମିଟି ଏବଂ ଜିଲାସ୍ତରୀୟ ମୁଦ୍ରା ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ସମ୍ପର୍କରେ ମତ ଦେଇଥିବା ଜଣାପଡିଛି।