Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ' ୩୧ରେ RCB ସହ ମହାମୁକାବିଲା

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ' ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି ବଡ଼ ବିଜୟ ସହ ଗୁଜରାଟ ଫାଇନାଲ୍‌ରେ ପ୍ରବେଶ କରିଛି। ଆସନ୍ତା ୩୧ ମେ, ୨୦୨୬ (ରବିବାର) ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମହାଲଢ଼େଇରେ ଗୁଜରାଟର ସାମ୍ନା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ସହ ହେବ।

ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ସାମ୍ନାରେ ୨୧୫ ରନ୍‌ର ଏକ ବିଶାଳ ବିଜୟ ଲକ୍ଷ୍ୟ ରହିଥିଲା। ମାତ୍ର ଅଧିନାୟକ ଶୁଭମନ ଗିଲ୍ ଏବଂ ଓପନର ସାଇ ସୁଦର୍ଶନଙ୍କ ଦମଦାର ବ୍ୟାଟିଂ ଏହି ମୁସ୍କିଲ୍ ଲକ୍ଷ୍ୟକୁ ସହଜ କରିଦେଇଥିଲା। ଗୁଜରାଟ ମାତ୍ର ୧୮.୪ ଓଭରରେ ୨ ଉଇକେଟ ହରାଇ ବିଜୟ ହାସଲ କରିନେଇଥିଲା।

ଅଧିନାୟକ ଗିଲ୍ ମାତ୍ର ୫୩ଟି ବଲ୍‌ରେ ୧୦୪ ରନ୍‌ର ଏକ ବିସ୍ଫୋରକ ଶତକୀୟ ପାଳି ଖେଳିଥିଲେ। ସୁଦର୍ଶନ ୩୨ଟି ବଲ୍‌ରେ ୫୮ ରନ୍ କରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ, ହେଲେ ସେ ଦୁର୍ଭାଗ୍ୟବଶତଃ 'ହିଟ୍ ୱିକେଟ୍' (Hit Wicket) ହୋଇ ଆଉଟ୍ ହୋଇଥିଲେ।ଦୁହେଁ ପ୍ରଥମ ଉଇକେଟ ପାଇଁ ୧୬୦ ରନ୍ ଯୋଡ଼ିଥିଲେ, ଯାହା ଆଇପିଏଲ୍ ଇତିହାସରେ ପ୍ଲେ-ଅଫ୍ ମ୍ୟାଚ୍‌ରେ ଯେକୌଣସି ଉଇକେଟ ପାଇଁ ସବୁଠାରୁ ବଡ଼ ପାର୍ଟନରସିପ୍‌।

ଆଇପିଏଲ୍ ଇତିହାସରେ ଗୁଜରାଟ ଟାଇଟନ୍ସ ମାତ୍ର ୫ଟି ସିଜନ୍ ମଧ୍ୟରେ ୩ୟ ଥର ପାଇଁ ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କପ୍ତାନୀରେ ଦଳ ୨୦୨୨ ଏବଂ ୨୦୨୩ ରେ ଫାଇନାଲ୍ ଖେଳିଥିଲା।

୨୦୨୨ ରେ ଦଳ ରାଜସ୍ଥାନକୁ ହରାଇ ଚାମ୍ପିଅନ୍ ହୋଇଥିବା ବେଳେ ୨୦୨୩ରେ ଚେନ୍ନାଇ ସୁପର କିଙ୍ଗସ ସାମ୍ନାରେ ହାରି ରନର୍ସଅପ୍ ହୋଇଥିଲା। ହାର୍ଦ୍ଦିକଙ୍କ ପରେ ଗୁଜରାଟକୁ ଫାଇନାଲ୍‌ରେ ପହଞ୍ଚାଇବାରେ ଗିଲ୍ ଦ୍ୱିତୀୟ ଅଧିନାୟକ ବନିଛନ୍ତି।

ଆଇପିଏଲ୍ ଇତିହାସରେ ଏହା ପ୍ରଥମ ଥର ହେବ ଯେବେ ଫାଇନାଲ୍ ମ୍ୟାଚ୍‌ରେ ଗୁଜରାଟ ଏବଂ ବାଙ୍ଗାଲୋର ମଧ୍ୟରେ ମୁହାଁମୁହିଁ ଲଢ଼େଇ ହେବ। ଚଳିତ ସିଜନ୍‌ରେ ଉଭୟ ଦଳ ଏପର୍ଯ୍ୟନ୍ତ ୩ ଥର ପରସ୍ପର ସହ ଖେଳି ସାରିଛନ୍ତି, ଯେଉଁଥିରୁ ଆରସିବି ୨ଟି ମ୍ୟାଚ୍ ଏବଂ ଗୁଜରାଟ ୧ଟି ମ୍ୟାଚ୍ ଜିତିଛି। ଶେଷ ଥର ପାଇଁ କ୍ୱାଲିଫାୟର୍-୧ ରେ ଆରସିବି ୯୨ ରନ୍‌ରେ ଗୁଜରାଟକୁ ପରାସ୍ତ କରି ସିଧାସଳଖ ଫାଇନାଲ୍ ଟିକେଟ୍ କାଟିଥିଲା, ଏବେ ଗୁଜରାଟ ପାଖରେ ସେହି ପରାଜୟର ପ୍ରତିଶୋଧ ନେବାର ବଡ଼ ସୁଯୋଗ ରହିବ।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri