Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସ୍ଥଗିତ, ଆସିବେ ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସ୍ଥଗିତ, ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୨୪ା୧୦: ଓଡ଼ିଶାର ମୟୂରଭଞ୍ଜ ଜିଲା ଅନ୍ତର୍ଗତ ରାଇରଙ୍ଗପୁରକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିର୍ଦ୍ଧାରିତ ଗସ୍ତ ବାତ୍ୟା ଆଶଙ୍କା ଯୋଗୁ ସ୍ଥଗିତ ରଖାଯାଇଛି। ଅନ୍ୟପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଅତ୍ୟାଧୁନିକ ଡାଟା ସେଣ୍ଟର ଉଦ୍‌ଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥିର ରହିଛି।

ରାଷ୍ଟ୍ରପତିଙ୍କ ଗସ୍ତ ନଭେମ୍ବରକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ, ରାଷ୍ଟ୍ରପତିଙ୍କ ଅକ୍ଟୋବର ୨୮ ଏବଂ ୨୯ ତାରିଖରେ ନିଜ ଜନ୍ମସ୍ଥାନ ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ବର୍ତ୍ତମାନର ପାଗ ସ୍ଥିତି ଏବଂ ବାତ୍ୟା ପୂର୍ବାଭାସକୁ ଦୃଷ୍ଟିରେ ରଖି ତାଙ୍କର ଏହି ଦୁଇ ଦିନିଆ ଗସ୍ତକୁ ନଭେମ୍ବର ୪ ଏବଂ ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

କିନ୍ତୁ ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ଖୋର୍ଦ୍ଧା ଜିଲା ଜଟଣୀ (ଇନଫୋ ଭ୍ୟାଲି-୨) ସ୍ଥିତ RBIର ଗ୍ରୀନ୍ଫିଲ୍ଡ ଡାଟା ସେଣ୍ଟରର ଶୁଭ ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ରାଜଧାନୀ ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି। ସୁରକ୍ଷା ପାଇଁ ପ୍ରାୟ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛନ୍ତି। ଏହାସହିତ ସବ-ଇନ୍ସପେକ୍ଟର (SI) ଏବଂ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର (ASI)ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ୱରେ ନିୟୋଜିତ କରାଯାଇଛି। ଭୁବନେଶ୍ୱରରୁ ଜଟଣୀ ପର୍ଯ୍ୟନ୍ତ ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ, ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri