Dailyhunt
ସାକ୍ଷୀ ମହାରାଜଙ୍କ ବିବାଦୀୟ ମନ୍ତବ୍ୟ: ନେତାଜୀଙ୍କ ହତ୍ୟା ପଛରେ କଂଗ୍ରେସ ହାତ

ସାକ୍ଷୀ ମହାରାଜଙ୍କ ବିବାଦୀୟ ମନ୍ତବ୍ୟ: ନେତାଜୀଙ୍କ ହତ୍ୟା ପଛରେ କଂଗ୍ରେସ ହାତ

ଉନ୍ନାଓ, ୨୪।୧: ସବୁବେଳେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା ଭାଜପା ଏମ୍‌ପି ସାକ୍ଷୀ ମହାରାଜଙ୍କୁ ନେଇ ଏବେ ଦେଶର ରାଜନୈତିକ ମହଲରେ ଉଷ୍ଣତା ବଢ଼ିବାରେ ଲାଗିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହତ୍ୟା ପଛରେ କଂଗ୍ରେସର ହାତ ଥିବା ସେ କହିଛନ୍ତି। ନେତାଜୀ ମହାତ୍ମା ଗାନ୍ଧୀ ଏବଂ ଜବାହର ଲାଲ ନେହେରୁଙ୍କଠାରୁ ଅଧିକ ଲୋକପ୍ରିୟ ଥିଲେ ବୋଲି ସେ କହିଛନ୍ତି। ସାକ୍ଷୀ ମହାରାଜଙ୍କ ଭାଷଣର ୫୧ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭାରତକୁ ସ୍ବାଧୀନତା ଦେବାରେ ନେତାଜୀଙ୍କ ଭୂମିକା ଅତୁଳନୀୟ। ସେ ତାଙ୍କ ସମଗ୍ର ଜୀବନ ଦେଶ ପାଇଁ ଉତ୍ସର୍ଗ କରିଥିଲେ। 'ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି' ସ୍ଲୋଗାନରେ ସେ ବୀରତ୍ୱପୂର୍ଣ୍ଣ ବିପ୍ଳବ ଆରମ୍ଭ କରିଥିଲେ। ଦେଶକୁ ଶାସନ କରୁଥିବା ବ୍ରିଟିଶ୍‌ମାନେ ସେତେ ସହଜରେ ଭାରତ ଛାଡ଼ି ଯାଇ ନ ଥିଲେ।

ରକ୍ତର ମୂଲ୍ୟ ବଦଳରେ ଭାରତୀୟ ସ୍ବାଧୀନତା କିଣିଥିଲେ। ଦେଶ କେବେ ବି ନେତାଜୀଙ୍କ ବଳିଦାନକୁ ଭୁଲିପାରିବ ନାହିଁ। କିନ୍ତୁ ଇତିହାସରେ ତାଙ୍କ ବୀରତ୍ୱ ଓ ସାହସର ଗାଥାକୁ ଚାପି ଦିଆଯାଇଛି। ନେହେରୁ ଓ ଗାନ୍ଧିଜୀ ନେତାଜୀଙ୍କ ଲୋକପ୍ରିୟତାଠାରୁ କାହିଁ କେତେ ପଛରେ ରହିଥିଲେ।

ଏହା ଦେଖି କଂଗ୍ରେସ ହାତରୁ ଶାସନ ଗାଦି ଚାଲିଯିବାର ଭୟ ସୃଷ୍ଟି ହୋଇଥିଲା। କ୍ଷମତା ଲୋଭରେ କଂଗ୍ରେସ ନେତାଜୀଙ୍କୁ ସମୟ ପୂର୍ବରୁ ମୃତ୍ୟୁର ଖାଲକୁ ଠେଲିଦେଇଥିଲା ବୋଲି ସାକ୍ଷୀ ମହାରାଜ କହିଛନ୍ତି। ଏହା ନ କରିଥିଲେ ନେତାଜୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ଏବଂ ନେହେରୁଙ୍କୁ ଏହି ପଦ ମିଳିପାରି ନ ଥାନ୍ତା। ଏଥିପାଇଁ କଂଗ୍ରେସ ନେତାଜୀଙ୍କ ବୀରତ୍ୱକୁ ଚାପି ଦେବାକୁ ଉଦ୍ୟମ କରିଥିଲା।

କାହିଁକି ଆଜି ପର୍ଯ୍ୟନ୍ତ ନେତାଜୀଙ୍କ ମୃତ୍ୟୁ ରହସ୍ୟମୟ ହୋଇ ରହିଛି ବୋଲି ସେ ପ୍ରଶ୍ନ କରିଥିଲେ। ୧୯୪୫ ଅଗଷ୍ଟ ୧୮ରେ ତାଇପେଇରେ ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲେ ହେଁ ତାଙ୍କ ସମର୍ଥକ ଏବଂ ସଙ୍ଗଠନ ଆଜାଦ ହିନ୍ଦ ଫୌଜର ସଦସ୍ୟମାନେ ମଧ୍ୟ ଏହାକୁ ବିଶ୍ୱାସ କରି ନ ଥିଲେ। ନେହେରୁ କାହିଁକି ଏହାର କାରଣ ଜାଣିବାକୁ ତଦନ୍ତ କରାଇ ନ ଥିଲେ ବୋଲି ସାକ୍ଷୀ ମହାରାଜ ପ୍ରଶ୍ନ କହିଛନ୍ତି। ଏପରିକି ନେହେରୁ ସୁଭାଷ ବୋଷଙ୍କ ପଛରେ ଗୁପ୍ତଚର ଲଗାଇଥିଲେ ବୋଲି ସେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ହେଲେ ଭାଜପା ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବା ଗୌରବର କଥା ବୋଲି ସେ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri