Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସମସ୍ୟା ଶୁଣି କାର୍ଯ୍ୟକ୍ରମ ଛାଡ଼ି ପଳାଇଲେ ମନ୍ତ୍ରୀ: ଏମ୍‌ପି-ମନ୍ତ୍ରୀ ମନୋମାଳିନ୍ୟ ଚର୍ଚ୍ଚା

ସମସ୍ୟା ଶୁଣି କାର୍ଯ୍ୟକ୍ରମ ଛାଡ଼ି ପଳାଇଲେ ମନ୍ତ୍ରୀ: ଏମ୍‌ପି-ମନ୍ତ୍ରୀ ମନୋମାଳିନ୍ୟ ଚର୍ଚ୍ଚା

ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ବିଷୟ ପଦାକୁ ଆସିଛି। ଗୁରୁବାର ଗୋପାଳପୁର ନିର୍ବାଚନମଣ୍ଡଳୀ ଗୋଳାବନ୍ଧରେ ବିସ୍ଥାପିତଙ୍କୁ ପୁନଃସ୍ଥାପନ ଏବଂ ପୁନର୍ବାସ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଏହାର ପ୍ରମାଣ ମିଳିଛି।

ସଭା ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ପ୍ରଥମେ ଏମ୍‌ପି ପାଣିଗ୍ରାହୀ ଭାଷଣ ଦେବାବେଳେ ସମସ୍ୟାର ଲମ୍ବା ତାଲିକା ଶୁଣାଇଥିଲେ। ହେଲେ ପରିବହନ ମନ୍ତ୍ରୀଙ୍କଠାରୁ ସମାଧାନର ଉତ୍ତର ଶୁଣିବା ପୂର୍ବରୁ ସେ କାର୍ଯ୍ୟକ୍ରମ ଛାଡ଼ି ପଳାଇଥିଲେ, ଯାହାକି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି।
ମୁଖ୍ୟମନ୍ତ୍ରୀ ସଭାକୁ ଆସିବା ପରେ ଏମ୍‌ପି ଓ ମନ୍ତ୍ରୀ ଏକାଠି ଠିଆ ହୋଇ ତାଙ୍କୁ ସ୍ବାଗତ ଜଣାଇଥିଲେ। ଏହାପରେ ଉଭୟେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଏହାର କିଛି ସମୟ ପରେ ଏମ୍‌ପି ପାଣିଗ୍ରାହୀ ନିଜର ଅଭିଭାଷଣ ରଖିଥିଲେ। ୮ ମିନିଟ ୩୦ ସେକେଣ୍ଡର ଭାଷଣରେ ସେ ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ଓ ଦାବି ଉପସ୍ଥାପନ କରିଥିଲେ। ପୁରୁଣା ଗ୍ରାମଗୁଡ଼ିକର ପଟ୍ଟା ସମସ୍ୟା, ଧବଳେଶ୍ୱର ପାର୍ଶ୍ୱବର୍ତ୍ତୀ ୪ଟି ପଞ୍ଚାୟତର ସିଭିଲ-ଆର୍ମି ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା, ଦକ୍ଷିଣ ଓଡ଼ିଶାର ଲୋକଙ୍କ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ସମ୍ବଲପୁରରେ ଏମ୍ସ ଘୋଷଣା ଭଳି ଗଞ୍ଜାମରେ ଏମ୍ସ ପ୍ରତିଷ୍ଠା, ଜିଲାର ଦାଦନ ଶ୍ରମିକ ସମସ୍ୟା ଦୂର ପାଇଁ ହୁମାଠାରେ 'ଶିପ୍‌ ବିଲ୍ଡିଂ ୟୁନିଟ୍‌ ସ୍ଥାପନ ତଥା ମାର୍କଣ୍ଡି, ଗୋପାଳପୁର ଓ ଆର୍ଯ୍ୟପଲ୍ଲୀ ଫିସିଂ ହାର୍ବର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହ ବ୍ରହ୍ମପୁରରେ ମଞ୍ଜୁର ହୋଇଥିବା ଫ୍ଲାଏଓଭର କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଏମ୍‌ପି କାର୍ଯ୍ୟକ୍ରମରୁ ଚାଲି ଯାଇଥିଲେ। ଏହାପରେ ପରିବହନ ମନ୍ତ୍ରୀ ଜେନା ନିଜର ଭାଷଣରେ କହିଥିଲେ, ସେନା ତାଲିମ କେନ୍ଦ୍ର ପାଇଁ ଭିଟାମାଟି ଛାଡିଥିବା ଗୋଳାବନ୍ଧର ୧,୩୭୧ଟି ଯୋଗ୍ୟ ନୋଳିଆ ପରିବାରଙ୍କୁ ୭୫.୬୦ କୋଟିର ସ୍ବତନ୍ତ୍ର ପୁନର୍ବାସ ପ୍ୟାକେଜ ଏବଂ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇ ସେମାନଙ୍କ ତ୍ୟାଗକୁ ଉଚିତ ସମ୍ମାନ ଦିଆଯାଇଛି। ଗଞ୍ଜାମର ଆର୍ଥିକ ବିକାଶ ଓ ଯୁବପିଢ଼ିଙ୍କ ନିଯୁକ୍ତି ପାଇଁ ବାହୁଦାଠାରେ ୨୧,୫୦୦ କୋଟି ଟଙ୍କା ବ୍ୟୟରେ ନୂଆ ବନ୍ଦର ନିର୍ମାଣ, ଗୋପାଳପୁର ଶିଳ୍ପ ପାର୍କରେ ୪୦,୦୦୦ କୋଟିରୁ ଊର୍ଦ୍ଧ୍ୱ ନିବେଶ, ୧୮,୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ, ଭାରତୀୟ ସାମୁଦ୍ରିକ ବିଶ୍ୱବିଦ୍ୟାଳୟର ସାଟେଲାଇଟ୍‌ କ୍ୟାମ୍ପସ ଏବଂ ୱାଲର୍‌ଡ ସ୍କିଲ ସେଣ୍ଟର ସ୍ଥାପନ ଭଳି ଯୁଗାନ୍ତକାରୀ ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ କହିଥିଲେ।
ମନ୍ତ୍ରୀଙ୍କ ଭାଷଣ ପରେ ମୁଖ୍ୟମନ୍ତ୍ରୀ ଭାଷଣ ଦେଇଥିଲେ। ଏହାପରେ ଘରବାରି ପଟ୍ଟା ଓ ଆର୍ଥିକ ସହାୟତା ବଣ୍ଟନ କରାଯାଇଥିବା ବେଳେ ଏମ୍‌ପି ପାଣିଗ୍ରାହୀ ଅନୁପସ୍ଥିତ ଥିଲେ। କାହା ନାଁ ନ ନେଇ ମନ୍ତ୍ରୀ ଜେନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ମଞ୍ଚରେ ପୂର୍ବ ସରକାରର ନୀତିକୁ ପ୍ରଶ୍ନ କରିବା ସହ ପୂର୍ବତନ ବିଧାୟକଙ୍କୁ ତେରଛା ବାଣ ମାରିଥିଲେ। ସେ ନିଜ ଭାଷଣରେ ଗୋପାଳପୁର ନିର୍ବାଚନମଣ୍ଡଳୀର ସମସ୍ୟା ସମାଧାନ ପାଇଁ ଉତ୍ତରାଧିକାରୀ ଭାବେ ତାଙ୍କୁ ସୁଯୋଗ ମିଳିଛି, ସମସ୍ୟା ସମାଧାନ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଥିଲେ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri