Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସମ୍ବଲପୁରରେ ଡପ୍‌ଲର ୱେଦର ରାଡାରର ଉଦ୍‌ଘାଟନ

ସମ୍ବଲପୁରରେ ଡପ୍‌ଲର ୱେଦର ରାଡାରର ଉଦ୍‌ଘାଟନ

ମ୍ବଲପୁର, ୧୭ା୯ (ପ୍ରମୋଦ ବହିଦାର): ପବିତ୍ର ନୂଅଁାଖାଇ ଉତ୍ସବ ଅବସରରେ ସମ୍ବଲପୁରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିହୋଇଛି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କ ଆଭାସି ଉପସ୍ଥିତିରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରଠାରେ ଦେଶର ୫୧ତମ ତଥା ଓଡ଼ିଶାର ୩ୟ ଅତ୍ୟାଧୁନିକ 'ଡପ୍‌ଲର ୱେଦର ରାଡାର'ର ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ସେ ସମ୍ବଲପୁର ଜିଲା ପାଇଁ ପ୍ରାୟ ୯୬୦ କୋଟି ଟଙ୍କା ବ୍ୟୟଅଟକଳର ୫୦ଟି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି।
ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ) ପ୍ରେକ୍ଷାଳୟରେ ଅନୁଷ୍ଠିତ ଉତ୍ସବରେ ୧୩୩.୪୭ କୋଟି ଟଙ୍କାର ୧୫ଟି ସମ୍ପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ ଏବଂ ୮୨୫.୮୩ କୋଟି ଟଙ୍କାର ୩୫ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏଥିରେ ସଡ଼କ ଓ କୋଠା ନିର୍ମାଣ (୫୮୫ କୋଟି), ଜଳସମ୍ପଦ (୨୨୦.୫୬ କୋଟି ଟଙ୍କାର ମେଗା ଉଠା ଜଳସେଚନ ଓ ୮.୮୮ କୋଟି ଟଙ୍କାର କ୍ଷୁଦ୍ର ଜଳସେଚନ), କ୍ରୀଡ଼ା (୭୪.୭୨ କୋଟି) ଏବଂ କୁଚିଣ୍ଡା ଗ୍ରାମ୍ୟ ଉନ୍ନୟନ (୬୦.୫୦ କୋଟି) ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଅନ୍ତର୍ଭୁକ୍ତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରୀ କଳା, ସଂସ୍କୃତି ଓ ମା' ସମଲେଶ୍ୱରୀଙ୍କ ମହିମାକୁ ସ୍ମରଣ କରିବା ସହ ୨୦୩୬ ସୁଦ୍ଧା 'ବିକଶିତ ଓଡ଼ିଶା' ଓ ୨୦୪୭ ସୁଦ୍ଧା 'ବିକଶିତ ଭାରତ' ଗଠନରେ ଏହି ପ୍ରକଳ୍ପଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଥିଲେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଏହି ରାଡାର ଦ୍ୱାରା ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ପଡ଼ୋଶୀ ରାଜ୍ୟଗୁଡ଼ିକ ମଧ୍ୟ ଠିକ୍‌ ପାଣିପାଗ ପୂର୍ବାନୁମାନ ପାଇପାରିବେ। ଭାଜପା ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସଦସ୍ୟ ମନମୋହନ ସାମଲ ଏହାକୁ ରାଜ୍ୟ ପାଇଁ ଏକ ବଡ଼ ଉପଲବ୍ଧି ବୋଲି ଅଭିହିତ କରିଛନ୍ତି। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ ଏହି ରାଡାର ସାହାଯ୍ୟରେ ୪୫୦ କିମି ପରିଧି ମଧ୍ୟରେ ବର୍ଷା, ଲଘୁଚାପ, ବଜ୍ରପାତ ଓ ପବନର ଗତିବିଧି ସମ୍ପର୍କରେ ୩ ଘଣ୍ଟା ପୂର୍ବରୁ ସଠିକ ସତର୍କ ସୂଚନା ମିଳିପାରିବ। କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଏସ୍‌ଆର୍‌ସି ରାଜେଶ ପ୍ରଭାକର ପାଟିଲ, ଉତ୍ତରାଞ୍ଚଳ ଡିଆଇଜି ଚରଣ ସିଂ ମୀନା, ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri