Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସଂରକ୍ଷିତ ରାୟ ୩ ମାସରେ ଘୋଷଣା କର

ସଂରକ୍ଷିତ ରାୟ ୩ ମାସରେ ଘୋଷଣା କର

ନୂଆଦିଲ୍ଲୀ,୩୦ା୫: ରାୟ ପ୍ରଦାନରେ ଅତ୍ୟଧିକ ବିଳମ୍ବ ପକ୍ଷମାନଙ୍କର ଅପୂରଣୀୟ କ୍ଷତି ଘଟାଉଥିବା ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ରାୟ ସଂରକ୍ଷଣ ରଖିବାର ୩ ମାସ ମଧ୍ୟରେ ଘୋଷଣା କରିବାକୁ ସର୍ବୋଚ୍ଚ ଅଦାଲତ ହାଇକୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟକ୍ତିଗତ ସ୍ବାଧୀନତା ସମ୍ପର୍କିତ ମାମଲାରେ ନିଷ୍ପତ୍ତି ଯଥାଶୀଘ୍ର ହେବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠ କହିଛନ୍ତି।

ହାଇକୋର୍ଟ ରାୟ ଅପ୍‌ଲୋଡ୍‌ରେ ବିଳମ୍ବ ହେଉଥିବା ଅଭିଯୋଗ ସମ୍ପର୍କିତ ଆବେଦନର ଶୁଣାଣି କରି ଖଣ୍ଡପୀଠ କେତେଗୁଡ଼ିଏ ଆଦେଶ ଜାରି କରିଛନ୍ତି। ଜାମିନ ଆବେଦନ ଉପରେ ରାୟ ସେହିଦିନ ଘୋଷଣା ହେବା ଆବଶ୍ୟକ। ଯଦି ତାହାକୁ ସଂରକ୍ଷିତ ରଖାଯାଏ, ତେବେ ତାହା ପରଦିନ ଘୋଷଣା ହେବା ସହ ଅପ୍‌ଲୋଡ କରାଯିବା ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି। ଜାମିନ ନିର୍ଦ୍ଦେଶ ବା ଦଣ୍ଡକୁ ସ୍ଥଗିତ ରଖାଯିବା ସମ୍ପର୍କରେ ରାୟ ଘୋଷଣା ହେବା ସଙ୍ଗେସଙ୍ଗେ ଜେଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯିବା ଆବଶ୍ୟକ। ବିଚାରାଧୀନ ଅଭିଯୁକ୍ତ କିମ୍ବା ଦୋଷୀସାବ୍ୟସ୍ତ ଅପରାଧୀ ସେହିଦିନ କିମ୍ବା ଅତିବେଶିରେ ତା' ପରଦିନ ଜେଲରୁ ମୁକ୍ତ ହେବା ଆବଶ୍ୟକ ବୋଲି ଅଦାଲତ କହିଛନ୍ତି।
ସମ୍ବିଧାନର ଅନୁଚ୍ଛେଦ ୧୪୨ରେ ପ୍ରଦତ୍ତ ଅସାଧାରଣ କ୍ଷମତାର ଉପଯୋଗକ୍ରମେ କହିଛନ୍ତି, ଯଦି ରାୟର କେବଳ ଫଳାଫଳ ଘୋଷଣା କରାଯାଏ ତେବେ କାରଣ ସହିତ ସମ୍ପୂର୍ଣ୍ଣ ରାୟକୁ ୧୫ ଦିନ ମଧ୍ୟରେ ଅପ୍‌ଲୋଡ୍‌ କରିବାକୁ ପଡ଼ିବ। ରାୟ ସଂରକ୍ଷିତ ରହିବାର ୪ ମାସ ମଧ୍ୟରେ ଯଦି ଘୋଷଣା ନ ହୁଏ, ତେବେ ପକ୍ଷମାନେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ୱାରସ୍ଥ ହୋଇ ଅନ୍ୟ ଏକ ଖଣ୍ଡପୀଠକୁ ମାମଲା ହସ୍ତାନ୍ତର କରିବାକୁ ନିବେଦନ କରିପାରିବେ। ସେହିପରି କାରଣ ସହିତ ରାୟ ଯଦି ମୁକ୍ତ ଅଦାଲତରେ ଘୋଷଣା କରାଯାଏ, ତେବେ ୨୪ ଘଣ୍ଟା ମଧ୍ୟରେ ଓ୍ବେବ୍‌ସାଇଟ୍‌ରେ ତାହା ଅପ୍‌ଲୋଡ୍‌ ହେବା ଜରୁରୀ। ତେବେ ସର୍ବୋଚ୍ଚ ଅଦାଲତ ଜାରି କରିଥିବା ନିର୍ଦ୍ଦେଶନାମା କୌଣସି ନିର୍ଦ୍ଦିଷ୍ଟ ବିଚାରପତି କିମ୍ବା ହାଇକୋର୍ଟଙ୍କ ରାୟକୁ ସମାଲୋଚନା କରିବା କିମ୍ବା ପ୍ରଶ୍ନ କରିବା ଉଦ୍ଦେଶ୍ୟ ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।


Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri