Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ ଜାରି ରହିଛି। ଶନିବାର ଘସିପୁରା ଥାନା ପୋଲିସ ଶାଳପଡ଼ା ହାଟପଡ଼ିଆଠାରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କୁ ନିଷିଦ୍ଧ ମାଦକ ଦ୍ରବ୍ୟ ବ୍ରାଉନସୁଗାର ସହିତ ଗିରଫ କରିଥିବା ଜଣାପଡ଼ିଛି।

ଗିରଫ ଅଭିଯୁକ୍ତ ଜଣକ ପଞ୍ଚୁପଲ୍ଲୀ ଗ୍ରାମର ଭକ୍ତବନ୍ଧୁ ବାରିକଙ୍କ ପୁଅ ମନୋଜ ବାରିକ (୩୩) ବୋଲି ଆନନ୍ଦପୁର ଏସ୍‌ଡିପିଓ କମଳ ପଣ୍ଡା ସୂଚନା ଦେଇଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ଶାଳପଡ଼ା ହାଟପଡ଼ିଆ ନିକଟରେ ମନୋଜ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଥିଲା। ଏନ୍‌ଡିପିଏସ୍ (NDPS) ଆଇନର ନିର୍ଦ୍ଧାରିତ ନିୟମ ଅନୁସରଣ କରି ନିର୍ବାହୀ ମାଜିଷ୍ଟ୍ରେଟଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଅଭିଯୁକ୍ତଙ୍କର ଜାନତଲାସି କରାଯାଇଥିଲା। ଏହି ସମୟରେ ତାଙ୍କ ପାଖରୁ ୦.୬୮ ଗ୍ରାମ୍ ଓଜନର ନିଷିଦ୍ଧ ବ୍ରାଉନସୁଗାର ଜବତ କରାଯାଇଛି। ଏହି ଚୋରା ନିଶା କାରବାର ସଂକ୍ରାନ୍ତରେ ଘସିପୁରା ଥାନାରେ କେସ୍ ନଂ- ୨୫୨/୨୦୨୬ ରୁଜୁ କରାଯାଇଛି। ପୋଲିସ ଅଭିଯୁକ୍ତ ମନୋଜଙ୍କ ବିରୋଧରେ ଧାରା ୨୧(ଏ)/୨୫ ଏନ୍‌ଡିପିଏସ୍ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ ଯେ, ନିକଟ ଅତୀତରେ ଆନନ୍ଦପୁର ଉପଖଣ୍ଡ ଅଧୀନରେ ଥିବା ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ଉ କରାଯାଇଛି। ଏହି ବିଶେଷ ଅଭିଯାନରେ ଏପର୍ଯ୍ୟନ୍ତ ୨୦ରୁ ଊର୍ଦ୍ଧ୍ୱ ନିଶା ବ୍ୟବସାୟୀଙ୍କୁ ବିପୁଳ ପରିମାଣର ବ୍ରାଉନସୁଗାର ସହ ଗିରଫ କରାଯାଇ ଜେଲ୍ ପଠାଯାଇଛି। ସ୍ଥାନୀୟ ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ପୋଲିସର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri