Dailyhunt
ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି...

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି...

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା ସମୟରେ ବିଶୃଙ୍ଖଳାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ଓ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗତ ଶୁକ୍ରବାର ରାତିରେ ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଉଦଯାପନୀ ଶୋଭାଯାତ୍ରା ଚାଲିଥିବା ବେଳେ ଗ୍ରାମର ଦିପୁନ ପଣ୍ଡା ବିଶୃଙ୍ଖଳା ସୃଷ୍ଟି କରିଥିଲେ। ସେଠାରେ ଉପସ୍ଥିତ ଥିବା ସନ୍ତୋଷ ଗୌଡ଼ ଏହାର ପ୍ରତିବାଦ କରି ଦିପୁନଙ୍କୁ ତାଗିଦ କରିଥିଲେ। ସେତେବେଳେ ଦିପୁନ ସେଠାରୁ ଚାଲିଯାଇଥିଲେ ମଧ୍ୟ କିଛି ସମୟ ପରେ ନିଜର ୩ ସହଯୋଗୀ ଅଜିତ ସେଠୀ, କୁନା ଓରଫ ହରେଶ ସେଠୀ ଏବଂ ଜିତୁ ପ୍ରଧାନଙ୍କ ସହ ଫେରି ସନ୍ତୋଷଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।

ସନ୍ତୋଷ ଏହାର ପ୍ରତିବାଦ କରିବାରୁ ଦିପୁନ ଏକ ବ୍ଲେଡ୍‌ ସାହାଯ୍ୟରେ ସନ୍ତୋଷଙ୍କ ମୁଣ୍ଡ ଓ ମୁହଁକୁ ବାରମ୍ବାର କାଟି ରକ୍ତାକ୍ତ କରିଦେଇଥିଲେ। ଅନ୍ୟ ଅଭିଯୁକ୍ତମାନେ ସନ୍ତୋଷଙ୍କୁ ଚାପୁଡ଼ା, ମୁଥ ମାରି ତଳେ ପକାଇ ଦେବା ସହ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ। ଆକ୍ରମଣ ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ।
ଗୁରୁତର ସନ୍ତୋଷଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ହେବା ପରେ ଶନିବାର ସେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଆଇଆଇସି କିଶୋର କୁମାର ସାମଲଙ୍କ ନିର୍ଦ୍ଦେଶରେ ପୋଲିସ ମାମଲା ନଂ. ୧୪୩/୨୬ ଭାରତୀୟ ନ୍ୟାୟ ସଂହିତାର ଧାରା -୧୯୧(୨)/୧୯୧(୩)/୨୯୬/୧୨୬(୨)/୧୧୫(୨)/୧୦୯/୩୫୧(୨)/୧୯୦ ଅନୁଯାୟୀ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ ଦିପୁନ ପଣ୍ଡା, ଅଜିତ ସେଠୀ, ହରେଶ ସେଠୀ (କୁନା) ଓ ଜିତୁ ପ୍ରଧାନ। ସେମାନଙ୍କଠାରୁ ଆକ୍ରମଣରେ ବ୍ୟବହୃତ ବ୍ଲେଡକୁ ପୋଲିସ ଜବତ କରିଛି। ଶନିବାର ସନ୍ଧ୍ୟାରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ସେମାନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସମସ୍ତଙ୍କୁ ଦିଗପହଣ୍ଡି ସବ୍‌ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri