Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସୀମା ଉପରେ ନଜର ରଖିବ 'ଦୃଷ୍ଟି'

ସୀମା ଉପରେ ନଜର ରଖିବ 'ଦୃଷ୍ଟି'

ବେଙ୍ଗାଲୁରୁ,୪ା୫: ବେଙ୍ଗାଲୁରୁର ସ୍ପେସ୍‌ ଷ୍ଟାର୍ଟଅପ୍‌ ଗାଲାକ୍ସଆଇ ରବିବାର ଏହାର ପ୍ରଥମ ବ୍ୟବସାୟିକ ସାଟେଲାଇଟ୍‌ 'ଦୃଷ୍ଟି'କୁ କାଲିଫର୍ନିଆର ଭଣ୍ଡେନ୍‌ବର୍ଗରୁ ସ୍ପେସ୍‌ଏକ୍ସର ଫାଲ୍‌କନ-୯ ରକେଟ ସହାୟତାରେ କକ୍ଷପଥରେ ସ୍ଥାପନ କରିଛି। ଏହା ବିଶ୍ୱର ପ୍ରଥମ ଅପ୍ଟୋସାର୍‌ ସାଟେଲାଇଟ୍‌ ବୋଲି କମ୍ପାନୀ କହିଥିବାବେଳେ ଏହି ଉତ୍‌କ୍ଷେପଣ ଭୂପର୍ଯ୍ୟବେକ୍ଷଣ ପ୍ରଯୁକ୍ତିର ବିକାଶରେ ଏକ ବଡ଼ ସଫଳତା ଓ ମହାକାଶ କ୍ଷେତ୍ରରେ ଭାରତର ବଢ଼ୁଥିବା ସାମର୍ଥ୍ୟକୁ ସୁଦୃଢ଼ କରିଥିବା କହିଛି।

୧୯୦ କେ.ଜି. ଓଜନ ବିଶିଷ୍ଟ ମିଶନ ଦୃଷ୍ଟି ଭାରତରେ ଘରୋଇ ଭାବେ ବିକଶିତ ସର୍ବବୃହତ୍‌ ଭୂପର୍ଯ୍ୟବେକ୍ଷଣ ସାଟେଲାଇଟ୍‌। ଏହା ବିଶ୍ୱରେ ପ୍ରଥମ ସାଟେଲାଇଟ୍‌, ଯାହା ସିନ୍ଥେଟିକ୍‌ ଆପାରଚର ରାଡାର (ଏସ୍‌ଏଆର୍‌) ସେନ୍‌ସରଗୁଡ଼ିକୁ ଏକକ କାର୍ଯ୍ୟକ୍ଷମ ପ୍ଲାଟ୍‌ଫର୍ମରେ ସଂଯୋଗ କରିଛି। ସବୁ ଋତୁରେ ଏବଂ ଦିନରାତି ଚିତ୍ର ଉତ୍ତୋଳନ କରିବା ସାମର୍ଥ୍ୟ ଏହି ସାଟେଲାଇଟ୍‌ର ରହିଥିବା କମ୍ପାନୀ କହିଛି।

ଦୃଷ୍ଟି ବାଦଲ ଭିତରୁ, ଅନ୍ଧକାରରେ ଏବଂ ଖରାପ ପାଗରେ ମଧ୍ୟ ପୃଥିବୀର ସ୍ପଷ୍ଟ ଚିତ୍ର ଉତ୍ତୋଳନ କରିପାରିବ। ଏହି ସାଟେଲାଇଟ୍‌ ଦେଶର ସୀମା ସୁରକ୍ଷା ଓ ଶତ୍ରୁପକ୍ଷ ଉପରେ ନଜର ରଖିବା ସହ ବିପର୍ଯ୍ୟୟ ପରିଚାଳନା, କୃଷି, ଭିତ୍ତିଭୂମି ଯୋଜନା ଏବଂ ବୀମା ଆକଳନରେ ସହାୟକ ହେବ ବୋଲି ଆଶା କରାଯାଉଛି। ଉଦାହରଣ ସ୍ବରୂପ ବନ୍ୟା, ବାତ୍ୟା କିମ୍ବା ଭୂସ୍ଖଳନ ସମୟରେ ମେଘୁଆ ଆକାଶ ଯୋଗୁ ଅପ୍‌ଟିକାଲ ସାଟେଲାଇଟ୍‌ ଚିତ୍ର ଉତ୍ତୋଳନ କରିପାରୁ ନ ଥିବାବେଳେ ଏହି ରାଡାର ଇମେଜିଂ କାର୍ଯ୍ୟ ଜାରି ରଖିବ। ଏନ୍‌ଭିଡିଆର ଜେଟ୍‌ସନ ଓରିନ୍‌ କମ୍ପ୍ୟୁଟିଂ ପ୍ଲାଟ୍‌ଫର୍ମ ପରିଚାଳିତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରକ୍ରିୟାକରଣ କରିଥିବା ଗାଲାକ୍ସଆଇ ସହପ୍ରତିଷ୍ଠାତା ତଥା ସିଇଓ ସୁୟାଶ ସିଂ କହିଛନ୍ତି। ଏହାଦ୍ୱାରା ଅଧିକ ପରିମାଣରେ ଫଟୋ ଭୂପୃଷ୍ଠକୁ ପଠାଇବା ପରିବର୍ତ୍ତେ ମହାକାଶରେ ହିଁ ସେଗୁଡ଼ିକର ବିଶ୍ଳେଷଣ କରାଯିବ। ଏହାଦ୍ୱାରା ସାଟେଲାଇଟ୍‌ ଫଟୋଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ ସୂଚନାରେ ପରିବର୍ତ୍ତନ କରାଯାଇ ସମୟ ବଞ୍ଚାଯାଇପାରିବ ବୋଲି ସିଂ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri