Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସୁଧାରିବାର ସୁଯୋଗ

ସୁଧାରିବାର ସୁଯୋଗ

ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ ନଭେମ୍ୱର ୩ରେ ହେବ। ରାଷ୍ଟ୍ରପତିଙ୍କ ୪ ବର୍ଷର କାର୍ଯ୍ୟକାଳ ମଧ୍ୟଭାଗରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ମିଡଟର୍ମ ବା ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ କୁୁହାଯାଏ। ଆମେରିକାର ସାଂସଦ(କଂଗ୍ରେସମ୍ୟାନ)ମାନେ ପ୍ରତି ୨ ବର୍ଷରେ ଏହି ନିର୍ୱାଚନର ସମ୍ମୁଖୀନ ହୁଅନ୍ତି। ରାଜନୀତିରେ ଯେଉଁ ନେତାଙ୍କ କ୍ଷମତା ଓ ପ୍ରଭାବ ହ୍ରାସ ପାଇବାକୁ ଲାଗେ ସେମାନଙ୍କୁ 'ଲେମ ଡକ୍‌' ବା ଦୁର୍ୱଳ ବୋଲି କୁହାଯାଏ।

ନଭେମ୍ୱର ୩ ତାରିଖ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏପରି ସ୍ଥିତିରେ ପହଞ୍ଚତ୍ପାରନ୍ତି। ଯଦି ଏହି ନିର୍ୱାଚନରେ ଟ୍ରମ୍ପ୍‌ଙ୍କ ଦଳ ରିପବ୍ଲିକାନ ପାର୍ଟି ଆମେରିକୀୟ କଂଗ୍ରେସର ଗୋଟିଏ ବା ଉଭୟ ସଦନରେ ନିୟନ୍ତ୍ରଣ ହରାଏ, ତେବେ ଟ୍ରମ୍ପ୍‌ଙ୍କ ରାଜନୈତିକ ସ୍ଥିତି ଆହୁରି ଦୁର୍ୱଳ ହୋଇଯିବ। ସେ ନିଜେ ଚାହୁଁଥିବା କୌଣସି ଆଇନ ପାସ୍‌ କରାଇପାରିବେ ନାହିଁ, ବିଚାରପତିଙ୍କୁ ନିଯୁକ୍ତି ଦେଇପାରିବେ ନାହିଁ କିମ୍ୱା ସରକାରୀ ପଦବୀରେ ନିଯୁକ୍ତିକୁ ଅନୁମୋଦନ କରାଇବା କଷ୍ଟକର ହୋଇଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିରୋଧୀ ଦଳ ଟ୍ରମ୍ପ୍‌ ଏବଂ ତାଙ୍କ ପରିବାର ବିରୋଧରେ ତଦନ୍ତ ଆରମ୍ଭ କରାଇପାରିବ, ମହାଭିଯୋଗ ଆଣିପାରିବ। ଜନମତ ସର୍ଭେରୁ ଜଣାପଡ଼ିଛି, ଟ୍ରମ୍ପ୍‌ ନିକଟ ଅତୀତର ଇତିହାସରେ ସବୁଠାରୁ ଅଧିକ ଲୋକପ୍ରିୟତା ହରାଇଥିବା ରାଷ୍ଟ୍ରପତି। ଅଧିକାଂଶ ଆମେରିକୀୟ ଭାବୁଛନ୍ତି, ସେ ଭଲ କାମ କରୁନାହାନ୍ତି। ଏହା 'ଆପ୍ରୁଭାଲ ରେଟିଂ' ବା ଜନସମର୍ଥନ ସୂଚକାଙ୍କ ମାଧ୍ୟମରେ ଜଣାପଡ଼େ। ଏହି ସର୍ଭେ ଅନେକ ପ୍ରତିଷ୍ଠିତ ସଂସ୍ଥା ଦ୍ୱାରା କରାଯାଏ। ଏଥିରେ ଏକ ପ୍ରଶ୍ନ ପଚରାଯାଏ, ଯେମିତି କି- 'ରାଷ୍ଟ୍ରପତି ଟ୍ରମ୍ପ୍‌ ଯେଭଳି ଭାବରେ କାର୍ଯ୍ୟ କରୁଛନ୍ତି, ତାହାକୁ ଆପଣ ସମର୍ଥନ କରୁଛନ୍ତି ନା ବିରୋଧ କରୁଛନ୍ତି?' ଉତ୍ତରଦାତାମାନେ ହଁ, ନା କିମ୍ୱା ସେମାନେ କିଛି କହିପାରିବେ ନାହିଁ ବୋଲି କୁହନ୍ତି। ଟ୍ରମ୍ପ୍‌ଙ୍କ ଆପ୍ରୁଭାଲ ରେଟିଂ ୪୦%ରୁ କମ୍‌ ଅଛି। ଅର୍ଥାତ୍‌ ଆମେରିକୀୟଙ୍କ ମଧ୍ୟରୁ ଏକ ବଡ଼ ଅଂଶ ତାଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଅସନ୍ତୁଷ୍ଟ। ଅର୍ଥନୈତିକି କାର୍ଯ୍ୟଦକ୍ଷତା ସମ୍ପର୍କିତ ପ୍ରଶ୍ନରେ ତାଙ୍କର ଜନସମର୍ଥନ ଆହୁରି କମ୍‌ ଦେଖାଯାଏ। ଏହା ସତ୍ୟ ହୋଇପାରେ, କାରଣ ଫେବୃଆରୀରୁ ଇରାନ ଯୁଦ୍ଧ ଆରମ୍ଭ ହେବା ପରେ ଇନ୍ଧନ ମୂଲ୍ୟ ବଢ଼ିଛି ଏବଂ ଲୋକଙ୍କ ଜୀବନଯାପନ ବ୍ୟୟବହୁଳ ହୋଇଛି। ମୁଦ୍ରାସ୍ଫୀତି ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ଚାହୁଁଥିବା ସ୍ତରଠାରୁ ଅଧିକ ରହିଛି। ଏହାର ଆଂଶିକ କାରଣ ହେଉଛି ଟ୍ରମ୍ପ୍‌ କ୍ଷମତାକୁ ଫେରିବା ପରେ ଅଯଥାରେ ଆରମ୍ଭ କରିଥିବା ଶୁଳ୍କ ଯୁଦ୍ଧ। ଗୃହ ଋଣ ଉପରେ ସୁଧ ହାର ୧% ବୃଦ୍ଧି ପାଇଛି।
ଟ୍ରମ୍ପ୍‌ ଗତବର୍ଷ ଜାନୁଆରୀରୁ କ୍ଷମତାରେ ଅଛନ୍ତି, ତାଙ୍କ ଦଳ କଂଗ୍ରେସର ଉଭୟ ସଦନକୁ ନିୟନ୍ତ୍ରଣ କରୁଛି। ସୁପ୍ରିମ କୋର୍ଟରେ ରିପବ୍ଲିକାନ ଦଳର ବିଚାରଧାରା ସହ ସମ୍ପୃକ୍ତ ବିଚାରପତିଙ୍କ ପ୍ରଭାବ ରହିଛି। ତେଣୁ ଯଦି ଭୋଟରମାନେ ଅନୁଭବ କରନ୍ତି ଯେ ସ୍ଥିତି ସେମାନଙ୍କ ଆଶାନୁକୂଳ ହୋଇନାହିଁ, ତେବେ ସେମାନେ କେବଳ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଦୋଷ ଦେବେ। ଏହି ନିର୍ୱାଚନରେ ଟ୍ରମ୍ପ୍‌ଙ୍କ ସମର୍ଥିତ ଦଳୀୟ ପ୍ରାର୍ଥୀମାନଙ୍କୁ ଭୋଟଦେବା ଅର୍ଥ ହେଉଛି ତାଙ୍କୁ ଏବଂ ତାଙ୍କ ନୀତିକୁ ଗ୍ରହଣ କରିବା।
ଏହି କାରଣରୁ ଆସନ୍ତା ସପ୍ତାହର ନିର୍ୱାଚନ ଫଳାଫଳ ଆକର୍ଷଣୀୟ ହେବ ଏବଂ ଲୋକମାନେ କିପରି ଭୋଟ ଦିଅନ୍ତି ସେ ବିଷୟରେ ଆମକୁ କିଛି ଜଣାଇଦେବ। ଲୋକଙ୍କ ଦୈନନ୍ଦିନ ଜୀବନରେ କ୍ଷତି ଘଟାଇବା ସତ୍ତ୍ୱେ ଯଦି ଟ୍ରମ୍ପ୍‌ଙ୍କ ଅଧିକାଂଶ ଦଳୀୟ ପ୍ରାର୍ଥୀ ବିଜୟୀ ହୁଅନ୍ତି, ତେବେ ଏହା ଗୋଷ୍ଠୀଗତ ଅନ୍ଧ ସମର୍ଥନର ଉଦାହରଣ ହେବ। ଅର୍ଥାତ୍‌ ଲୋକମାନେ ନିଜର ଆର୍ଥିକ ଓ ଦୈନନ୍ଦିନ ସ୍ୱାର୍ଥକୁ ଅଣଦେଖା କରି ରାଜନୈତିକ ପରିଚୟ ଓ ଗୋଷ୍ଠୀଗତ ବିଚାରଧାରାକୁ ଗୁରୁତ୍ୱ ଦେଇ ଭୋଟ ଦେବେ। ଏହି ନିର୍ୱାଚନର ଆଉ ଏକ ଆକର୍ଷଣୀୟ ଦିଗ ହେଉଛି, ଆମେରିକୀୟଙ୍କ ମଧ୍ୟରେ ଇସ୍ରାଏଲ ପ୍ରତି ହ୍ରାସ ପାଉଥିବା ଲୋକପ୍ରିୟତା କିପରି ବିନା ସର୍ତ୍ତରେ ଇସ୍ରାଏଲକୁ ଦିଆଯାଉଥିବା ସମର୍ଥନର ଅନ୍ତ ଘଟାଇବ।
ଏହି ନିର୍ୱାଚନରେ ଲଢ଼ୁଥିବା ଅନେକ ଡେମୋକ୍ରାଟିକ ପ୍ରାର୍ଥୀ ଇସ୍ରାଏଲର କଠୋର ସମାଲୋଚକ। ଏବେ ଜିଓନିଜମ ବା ଇହୁଦିବାଦ ବିରୋଧରେ ଆମେରିକୀୟଙ୍କ ମତ ପ୍ରକାଶ ପାଉଛି। ଗତବର୍ଷ ନ୍ୟୁୟର୍କ ମେୟର ଜୋହରାନ ମମଦାନି ପାଲେଷ୍ଟାଇନ ଲୋକଙ୍କ ସମର୍ଥନରେ ଖୋଲାଖୋଲି ଭାବରେ ମତ ଦେବାରେ ଥିଲେ ପ୍ରଥମ ଆମେରିକୀୟ ରାଜନେତା। ଏହା ସତ୍ତ୍ୱେ ସେ ନିର୍ୱାଚନରେ ଜିତିଥିଲେ। ସମୟ ଥିଲା ଆମେରିକାରେ ଥିବା ଆମେରିକାନ ଇସ୍ରାଏଲ ପବ୍ଲିକ ଆଫେୟାର୍ସ କମିଟି(ଏଆଇପିଏସି) ଇସ୍ରାଏଲ ବିରୋଧୀ ପ୍ରାର୍ଥୀମାନଙ୍କର ରାଜନୈତିକ ଭବିଷ୍ୟତ ନଷ୍ଟ କରିଦେବାର କ୍ଷମତା ରଖୁଥିଲା। କିନ୍ତୁ ଏବେ ଏହି ସଂଗଠନ ନିଜର ବିଶ୍ୱସନୀୟତା ହରାଇ ପ୍ରାର୍ଥୀମାନଙ୍କୁ ସମର୍ଥନ କରିବା ବନ୍ଦ କରିଦେଇଛି। ଯଦି ଡେମୋକ୍ରାଟ୍ସମାନେ ବିଜୟୀ ହୁଅନ୍ତି, ତେବେ ସେମାନେ କ'ଣ ଇସ୍ରାଏଲକୁ ଦୀର୍ଘଦିନରୁ ମିଳୁଥିବା ସାଂଗଠନିକ ସମର୍ଥନକୁ ଶେଷ କରିପାରିବେ? ଆଶା କରାଯାଏ, ଏହା କରିପାରିବେ। ଇସ୍ରାଏଲ ଦ୍ୱାରା ମାନବିକତାର ବଡ଼ କ୍ଷତି ଘଟାଯାଇଛି ଏବଂ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଣ ଓ କୂଟନୈତିକ ସମର୍ଥନ ବନ୍ଦ କିମ୍ୱା ହ୍ରାସ କଲେ ସୁନ୍ଦର ପୃଥିବୀଟିଏ ଦେଖିବାକୁ ମିଳିବ। ଟ୍ରମ୍ପ୍‌ଙ୍କ ଦଳ ହାରିବା ପାଇଁ ଆଶା କରିବାର ଅନ୍ୟ ଏକ କାରଣ ହେଉଛି, ଏହି ପାଗଳାମି ଯୁଦ୍ଧ ଆମ ସମସ୍ତଙ୍କୁ ଏବଂ ବିଶେଷ କରି ଉପସାଗରୀୟ ଦେଶଗୁଡ଼ିକରେ ରହୁଥିବା ଏକ କୋଟି ଭାରତୀୟ ଓ ସେମାନଙ୍କ ପରିବାରକୁ ପ୍ରଭାବିତ କରୁଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲ ପୁଣି ଆକ୍ରମଣ କଲେ ଇରାନ ଓ ଉପସାଗରୀୟ ଅଞ୍ଚଳର ଭିତ୍ତିଭୂମି ଆହୁରି ଧ୍ୱଂସ ହୋଇପାରେ। ଆସନ୍ତା ସପ୍ତାହରେ ଯଦି ରିପବ୍ଲିକାନ ପାର୍ଟି ପରାଜିତ ହୁଏ ତେବେ ଇରାନ ଯୁଦ୍ଧକୁ ସେତିକି ଉତ୍ସାହର ସହ ସମର୍ଥନ କରିବ ନାହିଁ। ଶେଷ କଥା ହେଉଛି, କଂଗ୍ରେସ ସଦସ୍ୟଙ୍କ କାର୍ଯ୍ୟକାଳ ମାତ୍ର ଦୁଇବର୍ଷ ହୋଇଥିବାରୁ ଏହାକୁ ନେଇ ଅନେକ ସମୟରେ ସମାଲୋଚନା କରାଯାଏ। କାରଣ ଏହା ଯୋଗୁ ପ୍ରାର୍ଥୀମାନେ ପ୍ରାୟ ସବୁବେଳେ ନିର୍ୱାଚନ ପ୍ରଚାରରେ ବ୍ୟସ୍ତ ରହନ୍ତି। ଏହା ସତ ଯେ, ଯେତେବେଳେ ରାଜନେତାମାନେ ଲୋକଙ୍କ କ୍ଷତି କଲାଭଳି କାର୍ଯ୍ୟ କରନ୍ତି ସେତେବେଳେ ଏହି ସ୍ୱଳ୍ପ ଅବଧି ଭୋଟରଙ୍କୁ ସରକାରଙ୍କ ଗତିପଥ ସୁଧାରିବା ପାଇଁ ସୁଯୋଗ ଦେଇଥାଏ। ଆମେରିକୀୟ ଏବଂ ଆମେ ସମସ୍ତେ ଆଶା କରିବା ଯେ ଏଥର ସେମାନେ ନିଜ ଭୋଟର ଶକ୍ତି ବ୍ୟବହାର କରି ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିକୁ ସଂଶୋଧନ କରିବେ; ନିଜର ରାଜନୈତିକ ବିଚାରଧାରା ପ୍ରତି ଅନ୍ଧ ସମର୍ଥନ ଦେଖାଇବା ପାଇଁ ଭୋଟ ଦେବେ ନାହିଁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri