Dailyhunt
ଥୁଆମୁଳ ରାମପୁର ବିଦ୍ୟାଳୟରେ ଶିଶୁ ବାଟିକା 'ପ୍ରବେଶ ଉତ୍ସବ' ଓ 'ଖଡ଼ିଛୁଆଁ' କାର୍ଯ୍ୟକ୍ରମ,ଶିକ୍ଷା ପ୍ରତି...

ଥୁଆମୁଳ ରାମପୁର ବିଦ୍ୟାଳୟରେ ଶିଶୁ ବାଟିକା 'ପ୍ରବେଶ ଉତ୍ସବ' ଓ 'ଖଡ଼ିଛୁଆଁ' କାର୍ଯ୍ୟକ୍ରମ,ଶିକ୍ଷା ପ୍ରତି...

ଥୁଆମୁଳ ରାମପୁର, ୪ା୪ (ଦୁର୍ଗା କୀର୍ତ୍ତି): ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ଗୁଣାତ୍ମକ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ସରକାରଙ୍କ ନୂତନ ଶିକ୍ଷାନୀତି-୨୦୨୦ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟ ସ୍ତରରେ 'ଶିଶୁ ବାଟିକା' ଶିକ୍ଷାର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ମୁଖ୍ୟାଳୟ ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂତନ ନାମଲେଖା ଓ 'ଖଡ଼ିଛୁଆଁ' କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।

ବିଆରସିସି (BRCC) ହେମନ୍ତ କୁମାର ପଣ୍ଡା ଓ ଏବିଓ (ABO) ହେମନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ବ୍ଲକ ପ୍ରତିନିଧି ପବିତ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁନି କୁନି ଶିଶୁ ଓ ସେମାନଙ୍କ ଅଭିଭାବକଙ୍କୁ ଉତ୍ସାହିତ କରିଥିଲେ। ପିଲାମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା, ବିଦ୍ୟାଳୟରେ ଏକ ଆନନ୍ଦମୟ ଶିକ୍ଷଣ ପରିବେଶ ଯୋଗାଇଦେବା ଏବଂ ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ ପ୍ରକାଶ କରିଥିଲେ।

ପଣ୍ଡିତ ରତୀକାନ୍ତ ପଣ୍ଡାଙ୍କ ପୌରୋହିତ୍ୟରେ ଶାସ୍ତ୍ରୀୟ ବିଧି ଅନୁସାରେ ୧୪ ଜଣ ଶିଶୁଙ୍କୁ ଖଡ଼ିଛୁଆଁ କରାଯାଇ ଅକ୍ଷର ଶିକ୍ଷାର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟରୁ ଏକ ସଚେତନତା ରଥ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରା ସ୍ଥାନୀୟ ମା' ମାଣିକେଶ୍ୱରୀଙ୍କ ଆଦି ଶକ୍ତିପୀଠରେ ପହଞ୍ଚିବା ପରେ ମା'ଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ କାର୍ଯ୍ୟକ୍ରମର ସଫଳ ସମାପ୍ତି ହୋଇଥିଲା।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାଗେଶ୍ୱର ନାଏକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସହ ଶିକ୍ଷୟିତ୍ରୀ ଅନାମିକା ନାଏକ, ସବୀତା ନାଏକ, ସୀତ୍ତିରାଣୀ ପୁରୋହିତ ଏବଂ ସହ ଶିକ୍ଷକ ଉତ୍ତମ କୁମାର ବିଶ୍ୱାଳ, ଅଜିତ କୁମାର ଦୁର୍ଗା, ନରେନ୍ଦ୍ର ଛତ୍ରୀଆ, ମୂରଳୀ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖେଳ ଶିକ୍ଷକ ଚୈତନ୍ୟ ଦୁର୍ଗା, ଶିଶୁ ସେବିକା ସୁନୀତା ପାତ୍ର ଓ ବହୁ ସଂଖ୍ୟାରେ ଅଭିଭାବକ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri