Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଟ୍ରେଡ୍‌ ଡିଲ୍‌କୁ ନେଇ ଭାରତ ପାଇଁ ହୋଇପାରେ ସକାରାତ୍ମକ ସ୍ଥିତି

ଟ୍ରେଡ୍‌ ଡିଲ୍‌କୁ ନେଇ ଭାରତ ପାଇଁ ହୋଇପାରେ ସକାରାତ୍ମକ ସ୍ଥିତି

ଭୁବନେଶ୍ୱର,୫ା୧୧: ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ରିପ୍ଲବିକାନ୍‌ ପାର୍ଟି ତୁଳନାରେ ଡେମୋକ୍ରାଟ୍‌ ଦଳକୁ ଅଧିକ ସଫଳତା ମିଳିବା ପରେ ଏବେ ଆମେରିକୀୟ କଂଗ୍ରେସର ଉଭୟ ସଦନରେ ଟ୍ରମ୍ପ୍‌ଙ୍କ ଦବ୍‌ଦବା ରହିବ ନାହିଁ। କେବଳ ସେତିକି ନୁହେଁ, ରାଷ୍ଟ୍ରପତି ଟ୍ରମ୍ପ୍‌ ଏକଚାଟିଆ ଭାବେ ବିଭିନ୍ନ ଦେଶ ଉପରେ ଟାରିଫ୍‌ ଜାରି କରିଆସିଥିଲାବେଳେ ଆଗାମୀ ଦିନରେ ବିଭିନ୍ନ ଦେଶ ସହ ଆମେରିକାର ବାଣିଜ୍ୟ ବୁଝାମଣା ଦିଗରେ ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି ଆକଳନ ଆରମ୍ଭ ହୋଇଗଲାଣି।

ଏହି କ୍ରମରେ ଭାରତ-ଆମେରିକା ଟ୍ରେଡ୍‌ ଡିଲ୍‌କୁ ନେଇ ମଧ୍ୟ ଭାରତ ପାଇଁ ସକାରାତ୍ମକ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି। ଟ୍ରମ୍ପ୍‌ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ହାରିବା ପରେ ନିଜର କର୍ତ୍ତୃତ୍ୱ ଜାହିର କରିବାକୁ ଭାରତ ସହ ଯଥାଶୀଘ୍ର ବାଣିଜ୍ୟ ବୁଝାମଣା ଚୂଡ଼ାନ୍ତ କରିବାକୁ ଚାହିଁବେ। କିନ୍ତୁ ଏହାର ସୁଯୋଗ ନେଇ ଭାରତୀୟ ପ୍ରତିନିଧିମାନେ ପ୍ରତିକୂଳରହିତ ସର୍ତ୍ତଗୁଡ଼ିକୁ ବାଦ୍‌ ଦେବାକୁ ଚାପ ସୃଷ୍ଟି କରିପାରନ୍ତି ବୋଲି କୁହାଯାଉଛି। ଏହି ନିର୍ବାଚନ ଫଳାଫଳର ଅର୍ଥ ହେଉଛି, ଟ୍ରମ୍ପ୍‌ଙ୍କ ନୀତି ଉପରେ ଅଧିକ ନଜର ରଖାଯିବ ଏବଂ ଏକପାଖିଆ ଭାବେ ପାରସ୍ପରିକ ଶୁଳ୍କ ଲାଗୁକରିବା ପାଇଁ ରାଷ୍ଟ୍ରପତିଙ୍କ କ୍ଷମତା ଉପରେ କଟକଣା ଲାଗିବ। କେନ୍ଦ୍ର ସରକାରଙ୍କ କେତେଜଣ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଏହା ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ଏବଂ ଭାରତ ଭଳି ଦେଶଗୁଡ଼ିକ ପାଇଁ ସକାରାତ୍ମକ ରହିବ।
ପରାଜୟର ସାମ୍ନା କରିଥିବା ଟ୍ରମ୍ପ୍‌ ବାଣିଜ୍ୟ ଚୁକ୍ତି ଉପରେ ଚାଲିଥିବା ଆଲୋଚନାରେ ଭାରତକୁ କିଛିଟା ଆଶ୍ୱସ୍ତି ଦେବେ, ଫଳରେ ଭାରତ ପାଇଁ ପ୍ରତିକୂଳ ଥିବା ସର୍ତ୍ତଗୁଡ଼ିକୁ ଗ୍ରହଣ କରିବାକୁ ଥିବା ଚାପ କମିଯିବ ବୋଲି ସମ୍ପୃକ୍ତ ଅଧିକାରୀମାନେ ପ୍ରକାଶ କରିଛନ୍ତି।
ତେବେ ଏ ସମ୍ପର୍କରେ ବାଣିଜ୍ୟ ମନ୍ତ୍ରଣାଳୟର ମତାମତ ଲୋଡ଼ାଯାଇଥିଲେ ମଧ୍ୟ ତୁରନ୍ତ କୌଣସି ପ୍ରତିକ୍ରିୟା ଦେବାକୁ ମନ୍ତ୍ରଣାଳୟ ମନା କରିଦେଇଛି।
ଗତ ବର୍ଷ ବିଭିନ୍ନ କାରଣକୁ ନେଇ ଭାରତ-ଆମେରିକା ସମ୍ପର୍କରେ ତିକ୍ତତା ଆସିବା ପରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବାକୁ ଉଭୟ ପକ୍ଷର ପ୍ରତିନିଧି ମଣ୍ଡଳ ମାସ ମାସ ଧରି ଆଲୋଚନା କରିଆସିଛନ୍ତି। କିନ୍ତୁ ଏବେ ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ସ୍ବାଭାବିକ ହେବା ସହ ବାଣିଜ୍ୟ ଚୁକ୍ତି ବୁଝାମଣା ଚୂଡ଼ାନ୍ତ ହେବାକୁ ବାଟ ଖୋଲିଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri