ଭୁବନେଶ୍ୱର,୨୬।୫:ବରିଷ୍ଠ ରାଜନେତା ଦେବାଶିଷ ସାମନ୍ତରାୟ ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ସୋମବାର ବିଜେଡିରୁ ଇସ୍ତଫା ଦେବା ସହ ଏମ୍ପି ପଦରୁ ଇସ୍ତଫା ଦେଇଥିଲେ ରାଜ୍ୟସଭା ଏମ୍ପି ଦେବାଶିଷ ସାମନ୍ତରାୟ।
ସୂଚନାଯୋଗ୍ୟ, ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ। ଏହାର କିଛି ସମୟ ପରେ ସେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍ଙ୍କୁ ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ପତ୍ର ଦେଇଥିଲେ। ଦେବାଶିଷଙ୍କ ଏଭଳି ପଦକ୍ଷେପ କଟକ ରାଜନୀତିର ଚର୍ଚ୍ଚାର ବିଷୟ ପାଲଟିଛି। ଦେବାଶିଷ ଭାଜପାରେ ଯୋଗଦେବା ନେଇ ଅନୁମାନ କରାଯାଉଥିବାବେଳେ ସେ ମଧ୍ୟ ଏ ନେଇ ସବୁଜ ସଙ୍କେତ ଦେଇଥିଲେ।
ଏ ବାବଦରେ ଦେବାଶିଷ କହିଛନ୍ତି, ସେ ରାଷ୍ଟ୍ରୀୟ ଦଳରେ ଯୋଗଦେବାକୁ ଯାଉଛନ୍ତି। ଦଳର ମୁଖ୍ୟଙ୍କଠାରୁ ଆଶ୍ୱାସନା ପାଇଛନ୍ତି ଏବଂ ଖୁବ୍କମ୍ ସମୟରେ ସେଥିରେ
ଯୋଗ ଦେବା ସମ୍ପର୍କରେ ସମସ୍ତେ ଜାଣିପାରିବେ। ସେ ସର୍ବଦା ବିଜେଡି ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି। କିନ୍ତୁ ଏବେ ଯୋଜନାବଦ୍ଧ ଭାବେ ଦଳ ତାଙ୍କୁ ଅଣଦେଖା କରୁଥିବା ଅନୁଭବ କରୁଛନ୍ତି। ଦଳ ମୋର ସେବା ଚାହୁଁ ନ ଥିବା ଅନୁଭବ କରୁଛନ୍ତି। ଦୀର୍ଘ ଦିନ ହେବ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ସୁଯୋଗ ପାଇନାହାନ୍ତି। କାର୍ତ୍ତିକେୟାନ ପାଣ୍ଡିଆନ ବିଜେଡିକୁ ଏବେ ବି ପରିଚାଳନା କରୁଛନ୍ତି। ନିର୍ବାଚନ ସମୟରେ ନବୀନ ବାବୁ ପାଣ୍ଡିଆନଙ୍କୁ ତାଙ୍କ ଉତ୍ତରାଅଧିକାରୀ ନୁହଁନ୍ତି ବୋଲି କହିଥିଲେ, ହେଲେ ଏବେ ବିଜୁ ନବୀନ ଇନ୍ସ୍ପିରେଶନାଲ ଟ୍ରଷ୍ଟ ଗଠନ କରିବା ସହ ବିଜୁବାବୁଙ୍କ ପୈତୃକ ଦିଲ୍ଲୀସ୍ଥିତ ଔରଙ୍ଗଜେବ ରୋଡ୍ ଘରକୁ ମଧ୍ୟ ଟ୍ରଷ୍ଟକୁ ଦେଇଦେଲେ। ସେହି ଘର ଏବେ ପାଣ୍ଡିଆନ ଓ ରାଜ୍ୟ ସଭା ସଦସ୍ୟ ଡ. ସନ୍ତୃପ୍ତ ମିଶ୍ର ଭଳି ଦୁଇ ଅପରିଚିତ ଲୋକଙ୍କ ହାତରେ ରହିଛି। ଏହି ଦୁଇ ବ୍ୟକ୍ତି କେବେ ବିଜେଡିକୁ ଆଗକୁ ନେଇ ପାରିବେନାହିଁ। ତାମିଲ ଲୋକ ଓଡ଼ିଶାକୁ ଶାସନ କରିବା ଓଡ଼ିଆ ଅସ୍ମିତା ପ୍ରତି ଅପମାନ। ବିଜେଡି ଏବେ ନେତାଙ୍କୁ ନିଲମ୍ବନ କରିବାରେ ବ୍ୟସ୍ତ ରହିଛି। ନିର୍ବାଚନରେ ହାରିଥିବା ନେତାଙ୍କୁ ଏବେ ଯାଏଁ ନବୀନ ବାବୁ ଦେଖା କରି ଆଲୋଚନା କରିନାହାନ୍ତି। ପୂର୍ବପରି ଏବେ ଆଉ ଦଳର ସଙ୍ଗଠନ ଠିକ୍ ନାହିଁ। ଏଭଳି ଦଳରେ ସେ ରହିବା ଠିକ୍ ଭାବିଲେ ନାହିଁ ଏବଂ ଏଥିରେ ମୋର ଭବିଷ୍ୟତ ନାହିଁ। ତେଣୁ ସାଧାରଣ ଲୋକଙ୍କ ସ୍ବାର୍ଥ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ସେ ଏହି ଇସ୍ତଫା ନେଇ କୌଣସି ନେତା ତାଙ୍କୁ ଆକ୍ଷେପ କରି ପାରନ୍ତି, ହେଲେ ସେମାନେ ନିଜେ ନିଜର ସ୍ତରକୁ ମାପିକି ଟିପ୍ପଣୀ ଦେବା ହିଁ ଭଲ ହେବ ବୋଲି ସେ କହିଛନ୍ତି। ତେବେ ଦେବାଶିଷଙ୍କ ଏଭଳି ଦଳରୁ ଇସ୍ତଫା ଦେବା ପରେ କଟକ ମେୟର ସୁବାସ ସିଂ ତାଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି, ଦେବାଶିଷ ବାବୁଙ୍କୁ ପୂର୍ବରୁ ଲୋକ ନାପସନ୍ଦ କରିବା ଆରମ୍ଭ କରି ଦେଇଥିଲେ। ଶେଷ ନିଃଶ୍ୱାସ ଯାଏ ଦଳ ସହ ରହିବାକୁ ନିଜେ ଦେବାଶିଷ ବାବୁ କହିଥିଲେ। ହେଲେ ଏବେ ନିଜ କଥା ସେ ନିଜେ ରଖି ପାରିଲେ ନାହିଁ। ବିଜେଡି ତାଙ୍କୁ ବହୁ କ୍ଷମତା ଦେଇଛି, ହେଲେ ସେ ଦଳକୁ ଠକିଛନ୍ତି। ଯିଏ ଅନ୍ୟ ଦଳ ସହ ସମ୍ପର୍କରେ ଥିଲେ, ସେମାନେ ଏବେ ନିଜ ପ୍ରକୃତ ରଙ୍ଗ ଦେଖାଉଛନ୍ତି। ସେ ପୂର୍ବରୁ ବହୁବାର ଦଳକୁ ଦୁର୍ବଳ କରିବାକୁ ଚେଷ୍ଟା କରିଛନ୍ତି। ବାରବାଟୀ-କଟକ ହେଉ କି ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ବିଜେଡି ସୁଦୃଢ଼ ରହି ଆସିଛି। ସଂଗଠନ ଏବେ ଆହୁରି ଭଲ ଭାବେ ପରିଚାଳିତ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ଦେବାଶିଷଙ୍କ ସପକ୍ଷରେ ବାହାରି ପୂର୍ବତନ ବିଜେଡି କଟକ ନଗର ସଭାପତି ମଧୁସୂଦନ ସାହୁ କହିଛନ୍ତି, ଦେବାଶିଷ ବାବୁଙ୍କ ନିଷ୍ପତ୍ତିକୁ ସ୍ବାଗତ କରୁଛି। ସେ କଟକର ନେତୃତ୍ୱ ନେଉଥିଲେ। ଦଳ ପାଇଁ ବହୁ କାମ କରିଥିଲେ ହେଲେ, ଦଳ ଏଭଳି କୋଣଠେସା କରିବା ଉଚିତ୍ ନୁହେଁ। ଦେବାଶିଷ ବାବୁ ପୂର୍ବରୁ ବହୁବାର ଗଣମାଧ୍ୟମ ସମ୍ମୁଖରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶେଷରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଦେବାଶିଷ ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ଏହି ଆସନ ଲାଗି ଆଉଥରେ ନିର୍ବାଚନ ଅନୁଷ୍ଠିତ ହେବ। ଦେବାଶିଷ ୨୦୨୪ ଫେବୃଆରୀରେ ବିଜେଡିରୁ ରାଜ୍ୟ ସଭାକୁ ଯାଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୩୦ ଫେବୃଆରୀରେ ସରିଥାନ୍ତା। ତାଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ସରିବାକୁ ଆହୁରି ପାଖାପାଖି ସାଢ଼େ ୩ ବର୍ଷରୁ ଅଧିକ ଦିନ ରହିଥିବା ବେଳେ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡିରୁ ଏଭଳି ରାଜ୍ୟ ସଭା ସଦସ୍ୟ ଥାଇ ଦଳ ଛାଡ଼ିବା ନୂଆକଥା ନୁହେଁ। ୨୦୨୪ ସାଧାରଣ ନିର୍ବାଚନ ପରେ ବିଜେଡି ରାଜ୍ୟ ସଭା ଏମ୍ପି ଥିବା ମମତା ମହନ୍ତ ଏବଂ ସୁଜିତ୍ କୁମାର ସମାନ ଢଙ୍ଗରେ ଦଳ ଛାଡ଼ି ଭାଜପାରେ ଯୋଗଦେଇଥିଲେ। ସେମାନେ ରାଜ୍ୟ ସଭା ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ଏହାପରେ ଭାଜପାରେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ଉଭୟ ନେତାଙ୍କୁ ସଂଖ୍ୟାବଳରେ ଭାଜପା ରାଜ୍ୟ ସଭାକୁ ପଠାଇଥିଲା। ସେହିଭଳି ଦେବାଶିଷ ଭାଜପାରେ ଯୋଗଦେଲେ ଶାସକ ଦଳ ସମର୍ଥନରେ ରାଜ୍ୟ ସଭାକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଦେବାଶିଷ ଯିବାପରେ ରାଜ୍ୟ ସଭାରେ ବିଜେଡି ସଂଖ୍ୟା ୫ରେ ପହଞ୍ଚତ୍ଛି। ଅନ୍ୟପଟେ ଦେବାଶିଷ ଭାଜପାରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ ଦେବାଶିଷ କହିଛନ୍ତି, ଭାଜପାରେ ଯୋଗଦେଲେ ଅସୁବିଧା କ'ଣ।
Dharitri - Odisha's No.1 Odia Daily

