Friday, 22 Jan, 11.31 am Emerging Odisha

ରାଜ୍ୟ
ଆଦିତ୍ୟ ଦାଶ ମୃତ୍ୟୁ ମାମଲା : କ୍ରାଇମ୍‌ବ୍ରାଞ୍ଚ୍ ଉପରେ ହାଇକୋର୍ଟଙ୍କ ଅସନ୍ତୋଷ

କଟକ : ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ସାକ୍ଷୀଙ୍କ ବୟାନ ଦାଖଲ ନହେବାରୁ ହାଇକୋର୍ଟ କ୍ରାଇମ୍‌ବ୍ରାଞ୍ଚ୍ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ୩ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ଓ ମୃତକଙ୍କ ପୋଷ୍ଟ୍‌ମର୍ଟମ ରିପୋର୍ଟ କ୍ରାଇମ୍‌ବ୍ରାଞ୍ଚ୍ ହାଇକୋର୍ଟରେ ଦାଖଲ କରିବା କଥା । ତେବେ କ୍ରାଇମ୍‌ବ୍ରାଞ୍ଚ୍ ଅଦାଲତରେ ଉପରୋକ୍ତ ରିପୋର୍ଟ ଦାଖଲ କରିବାରେ ବିଫଳ ହେବାରୁ ଏହାର ତଦନ୍ତ ଉପରେ ହାଇକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି । ଏଥିସହିତ ଅଦାଲତ କ୍ରାଇମ୍‌ବ୍ରାଞ୍ଚ୍‌କୁ ଆସନ୍ତା ୨୫ ତାରିଖ ମଧ୍ୟରେ ଉପରୋକ୍ତ ତଥ୍ୟ ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୫ ତାରିଖ ଦିନ ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପୂର୍ବରୁ ମାମଲାର ଶୁଣାଣିବେଳେ ବନ୍ଦ ଲଫାପାରେ ଦାଖଲ ତଦନ୍ତର ଷ୍ଟାଟସ୍ ରିପୋର୍ଟକୁ ଖୋଲାଯିବା ପରେ ଏଥିରେ ସ୍ୱାଧୀନ ସାକ୍ଷୀଙ୍କ ବୟାନ ନଥିବାରୁ ହାଇକୋର୍ଟ ସାକ୍ଷୀଙ୍କ ବୟାନ ଦାଖଲ କରିବାକୁ କହିଥିଲେ । ସେହିପରି ହାଇକୋର୍ଟ ଆଦିତ୍ୟ ଦାଶଙ୍କ ସହ ସମ୍ପର୍କ ଥିବା ଯୁବତୀଙ୍କ ବୟାନ ରେକର୍ଡ ସମ୍ପର୍କରେ ତଥ୍ୟଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଥାଉକି ମୃତକ ଆଦିତ୍ୟଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ଏହାର ସିବିଆଇ ତଦନ୍ତ ନିମନ୍ତେ ପ୍ରାର୍ଥନା କରାଯାଇ ମାମଲା ରୁଜୁ କରାଯାଇଛି । ଏଥିରେ କୁହାଯାଇଛି ଯେ ଉପରୋକ୍ତ ଘଟଣାର ସିବିଆଇ ତଦନ୍ତ ହେଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ । ମାମଲାରେ ଦର୍ଶାଯାଇଛି ଯେ ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ଦୁଇଜଣଙ୍କ ମତାମତ ଆଧାରରେ ବିଭାଘର ହୋଇଥିଲା । ବିବାହର ମାତ୍ର ୨୭ ଦିନ ପରେ ସ୍ଥାନୀୟ ଲିଙ୍ଗରାଜ ରେଳଷ୍ଟେସନ ନିକଟରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାକୁ ନେଇ ରେଳବାଇ ଥାନାରେ ମାମଲା ରୁଜୁ ହୋଇଥିଲା । ରେଳବାଇ ପୁଲିସ୍ ତଦନ୍ତରେ ତଥ୍ୟ ହାସଲ କରିବାରେ ବିଫଳ ହେବାରୁ କ୍ରାଇମବ୍ରାଞ୍ଚକୁ ଏହାର ତଦନ୍ତ ଭାର ଦିଆଯାଇଥିଲା । ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏପରିସ୍ଥଳେ ଘଟଣାର ସିବିଆଇ ତଦନ୍ତ ଜରୁରୀ ହୋଇପଡିଛି ବୋଲି ଆବେଦନରେ ଦର୍ଶାଯାଇଛି । ରୁଜୁ ମାମଲାରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ସଚିବ, ଜିଆର୍‌ପି ଏସ୍‌ପି, ସିବିଆଇ ଏସ୍‌ପି ଓ କ୍ରାଇମବ୍ରାଞ୍ଚକୁ ପକ୍ଷଭୁକ୍ତ କରାଯାଇଛି । ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଓଡିଶା ହାଇକୋର୍ଟରେ ପ୍ରଦୀପ୍ ଧଣ୍ଡିଆଙ୍କ ତରଫରୁ ମଧ୍ୟ ଏହାର ସିବିଆଇ ତଦନ୍ତ ପାଇଁ ଆବେଦନ ହୋଇଛି । ଉକ୍ତ ଘଟଣାରେ ଜିଆର୍‌ପି ଥାନାରେ ଅଭିଯୋଗ କରିଥିବା ଶ୍ରୀ ଧଣ୍ଡିଆଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ଆଦିତ୍ୟ ଦାସକୁ ହତ୍ୟା କରାଯାଇଛି । ଏହି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍ ହତ୍ୟାକାରୀଙ୍କୁ ଖୋଜି ପାଉନଥିବାବେଳେ ଏହି ଘଟଣାର ସିବିଆଇ ତଦନ୍ତ କରାଗଲେ ସଠିକ୍ ତଥ୍ୟ ଲୋକଲୋଚନକୁ ଆସିପାରିବ । ମାମଲାରେ ଆବେଦନକାରୀ ସିବିଆଇ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ୍ ଓ ଆଇଜି ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Emerging Odisha
Top